ହାତୀ ରହୁଥିବା ଜଙ୍ଗଲରେ ନିଆଁ, ଆୟତକୁ ଆଣିଲା ବନ ବିଭାଗ

ଯୋଡା,(ସମିର କୁମାର ଦାସ): ଚମ୍ପୁଆ ବନାଂଚଳ ଅଧିନ ଯୋଡା ଫରେଷ୍ଟ ସେକ୍ସନର ବୈତରଣୀ ସଂରକ୍ଷିତ ଝରଣ ଜଙ୍ଗଲରେ ବ୍ୟାପକ ନିଆଁ ଲାଗି ଆଂଶିକ ବନାଂଚଳ ନଷ୍ଟ ହୋଇଯାଇଛି । ଯୋଡା ସହରର ଦକ୍ଷିଣ-ପୂର୍ବ ଦିଗରେ ଥିବା ମନମରା-ଝରଣ ଜଙ୍ଗଲରେ ଶନିବାର ଧୂଆଁ ଉଠୁଥିବାର ଦେଖି ସ୍ଥାନୀୟ ଅଂଚଳବାସୀ ବନ ବିଭାଗକୁ ଖବର କରିଥିଲେ । ବନ ବିଭାଗ ଏକ ଟିମ୍ ଗଠନ କରି ଫାୟାର୍ ବ୍ଲୋୟର ମେସିନ୍ ବ୍ୟବହାର କରି ନିଆଁକୁ ଆୟତରେ ଆଣିଥିଲା । ଯୋଡା ବନପାଳ ଅନିରୁଦ୍ଧ ପଣ୍ଡା ଙ୍କ ସୂଚନା ଅନୁଯାୟୀ ଏହି ଜଙ୍ଗଲରେ ୧୫ଟି ହାତୀ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ହାତୀ ଓ ଜଙ୍ଗଲ ନିଆଁକୁ ଆୟତ କରିବାପାଇଁ ତୀକ୍ଷଣ ଦୃଷ୍ଟି ରଖିଛି । ପଣ୍ଡା କହିଛନ୍ତି ଯେ, ହାତୀପଲ ଉପରେ ନଜର ରଖିବା ପାଇଁ ୬ ଜଣିଆ ସ୍କ୍ୱାର୍ଡ ନିୟୋଜିତ କରାଯାଇଥିବା ବେଳେ ନିଆଁ କୁ ଲିଭାଇବା ପାଇଁ ୯ ଜଣ ଫରେଷ୍ଟ ସ୍କ୍ୱାର୍ଡ କୁ କାର୍ଯ୍ୟରେ ଲଗାଯାଇଛି । ସେ କହିଛନ୍ତି ଶୁକ୍ରବାର ରାତିରେ ମଧ୍ୟ ଜଙ୍ଗଲରେ ନିଆଁ ଲାଗିଯାଇଥିଲା, ଏହାକୁ ରାତିରେ ଲିଭାଇ ଦିଆଯାଇଥିଲା । ଜଙ୍ଗଲରେ ନିଆଁ ଲାଗିବା ମନୁଷ୍ୟକୃତ, ଯୋଡା ଅଂଚଳରୁ ମହୁଲ, ଗିଲିରି ଫୁଲ, ଦାନ୍ତ କାଠି, ଶାଳ ପତ୍ର ସମେତ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀ ମାନେ ବିଶୃଙ୍ଖଳିତ ହୋଇ ଶୁଖିଲା ପତ୍ରରେ ନିଆଁ ଲଗାଇ ଦେଉଥିବାରୁ ଏହି ନିଆଁ କ୍ରମଶଃ ଜଙ୍ଗଲକୁ ଜଳାଇ ଦେଉଛି । ତେଣେ ହାତୀପଲ ଥିବାରୁ ସେ ଅଂଚଳଟି ନିଆଁ ଲାଗିଲେ ହାତୀମାନଙ୍କ ପ୍ରତି ବିପଦ ହୋଇଥିବାରୁ ଏହାକୁ ବନ ବିଭାଗ ଯୁଦ୍ଧକାଳୀନ ଭିତିରେ ନିୟନ୍ତ୍ରଣ କରୁଥିବା ପଣ୍ଡା କହିଛନ୍ତି । ସୂଚନାଯୋଗ୍ୟ ଯେ, ବିଛାକୁଣ୍ଡି, ମହାପର୍ବତ, ଗୁରୁବେଡା, ଜଜାଙ୍ଗ, ଗୁରୁତୁଆଁ, ରୋଇଡା, ଖଣ୍ଡବନ୍ଧ, ଠାକୁରାଣୀ ପ୍ରଭୃତି ଜଙ୍ଗଲରେ ନିଆଁ ଲାଗି ବହୁ ପରିମିତ ବନାଂଚଳ ଧ୍ୱଂସ ପାଉଥିଲେ ମଧ୍ୟ ନିଆଁ ଲିଭାଇବାକୁ ନିକଟବର୍ତୀ ବନାଂଚଳରେ ଥିବା ଖଣି ଲିଜ୍‌ଧାରୀମାନେ ନିଆଁ ଲିଭାଇବାକୁ ଆଗଭର ହେଉନାହାନ୍ତି । ଫଳରେ ରାଜ୍ୟର ମୂଲ୍ୟବାନ ପ୍ରାକୃତିକ ସମ୍ପଦ ନଷ୍ଟ ହେବାରେ ଲାଗିଛି ଏବଂ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ