ହାତ ଗୋଡ଼ ବାନ୍ଧି ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା : ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ନିକଟ ଜଗନ୍ନାଥପୁର ଛକ ନିକଟରୁ ୫୦୦ମିଟର ଦୂରରେ ଗୁରୁବାର ଦିନ ଅପରାହ୍ନରେ ହାତ ଗୋଡ଼ ବନ୍ଧା ଯୁବକର ମୃତ ଦେହ ଉଦ୍ଧାର ଘଟଣାରେ ମୁତ ଯୁବକର ପରିଚୟ ମିଳିଛି । ମୃତ ଯୁବକ ଜଣକ ହେଲେ ଅଡ଼ବା ଥାନା ଅନ୍ତର୍ଗତ ଖାରିଗୁଡା ପଞ୍ଚାୟତର ଲମ୍ବଡ଼ାଙ୍ଗ ଗାଁର ଜୋସେଫ ନାୟକ (୨୫) । ଶୁକ୍ରବାର ଦିନ ସକାଳୁ ଯୋଶେଫ ଘର ପରିବାର ଲୋକେ ଓ ତାଙ୍କ ଭାଇ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ଘଟଣା ସ୍ଥଳରେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ, ଥାନା ଅଧିକାରୀ ସୁଜିତ କୁମାର ନାୟକ, ସାଇଣ୍ଟିଫିକ ଟିମର ୫ ଜଣିଆ କର୍ମଚାରୀ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲେ । ମୃତ ଯୋଶେଫ ଭାଇ ବସନ୍ତଙ୍କ କହିବା ପ୍ରକାରେ, ଯୋଶେଫଙ୍କ ଠାରୁ କଲେମା ଗ୍ରାମର ଦିପୁ , ଧର୍ମେ, ମିଲନ ୩ ଜଣ ଏକ ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ସେମାନେ ଟଙ୍କା ଫେରାଇବାରେ ବିଳମ୍ବ କରିଥିଲେ । ଯାହାକୁ ନେଇ ଗତ ବୁଧବାର ସକାଳ ୫ଟାରେ ଲମ୍ବଡାଙ୍ଗ ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ୩ଜଣଙ୍କ ମଧ୍ୟରୁ ୨ ଜଣ ଧର୍ମେ ଓ ମିଲନ ସଭାରେ ଯୋଗ ଦେଇନଥିଲେ। ଅପରପକ୍ଷେ ଯୋଶେଫଙ୍କ ବ୍ୟାଙ୍କ ଖାତାକୁ ୫୦ ହଜାର ଟଙ୍କା ଆସିଥିବା ନେଇ ଟଙ୍କା ଛାଡିଥିବା ବ୍ୟକ୍ତି ଫୋନ କରିଥିଲେ କିନ୍ତୁ ଯୋଶେଫ ଟଙ୍କା ଆସି ନ ଥିବା କହିଥିଲା । ତା’ପରେ ଯୋସେଫ ନିଜର ବ୍ୟାଙ୍କ ଖାତା ଯାଞ୍ଚ କରିବା ପରେ ତାଙ୍କୁ ଚନ୍ଦ୍ରଗିରି ଡାକି ନେଇଥିଲେ । ଏହାପରେ ଯୋଶେଫର ପତ୍ତା ମିଳିନଥିଲା । ଯାହାକୁ ନେଇ ପରିବାର ଲୋକେ ଉକ୍ତ ତିନି ଜଣଙ୍କ ଉପରେ ସନ୍ଦେହ କରି ହତ୍ୟା ଅଭିଯୋଗ ଆଣିଛନ୍ତି । ଟଙ୍କା ଦେଣ ନେଣକୁ ନେଇ ଏଭଳି ଘଟଣା ଘଟି ଥାଇପାରେ ବୋଲି ଏସଡିପିଓ ଦିଲ୍ଲୀପ କୁମାର ନାୟକ କହିଛନ୍ତି । ପୁଲିସର ଅଧିକ ଚ୍ଛାନଭିନ ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ମୋହନା ଥାନା ପକ୍ଷରୁ ସୂଚନା ମିଳିଛି ।


