ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ସାମୂହିକ ରଜପର୍ବ ଓ ପ୍ରତିଭା ସମ୍ମାନ ଉତ୍ସବ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟସ୍ତରୀୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ସାମୂହିକ ରଜ ପର୍ବ ଓ ପ୍ରତିଭା ସମ୍ମାନ ଉତ୍ସବ ଗତକାଲି ଭୁବନେଶ୍ୱରସ୍ଥିତ ବ୍ଲାଇଣ୍ଡ ଆସୋସିଏସନ ହଲ୍ରେ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବରିଷ୍ଠ ପୁଲିସ୍ ପ୍ରଶାସକ ଅମିତାଭ ଠାକୁର କହିଲେ ଯେ, ଆମେ, ଆମ ଓଡ଼ିଶାର ମହାନ ଇତିହାସ ଓ ଗୌରବମୟ ଐତିହ୍ୟ ଉପରେ ଅବଗତ ନାହୁଁ । ଭାରତବର୍ଷର ପ୍ରସିଦ୍ଧ ଚାରିଗୋଟି ଶକ୍ତିପୀଠରୁ ଦୁଇଗୋଟି ଓଡ଼ିଶାରେ ଅବସ୍ଥିତ । ତାର ପ୍ରଚାର ପ୍ରସାର ହେବାକୁ ସେ ବୁଦ୍ଧିଜୀବୀମାନଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅର୍ଗସ ଟିଭିର ପ୍ରତିଷ୍ଠାତା ସମ୍ପାଦକ ସଞ୍ଜୟ କୁମାର ଜେନା କହିଲେ ଯେ, ଭାଷାଭିତିରେ ରାଜ୍ୟ ଗଠନରେ ଆମେ ହେଉଛେ ପ୍ରଥମ ରାଜ୍ୟ । କିନ୍ତୁ ଆଜିର ନୂତନ ଯୁବପିଢୀ ଓଡ଼ିଆ ଭାଷା ପ୍ରତି ଅନାଗ୍ରହ ପ୍ରକାଶ କରିବା ଆମ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ଏକ ଆହ୍ୱାନ ।ଫାଉଣ୍ଡେସନର ଅଧ୍ୟକ୍ଷ ବାସ୍ତୁବିତ ମନୋଜ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆର୍ଯ୍ୟସମାଜ ଓଡ଼ିଶାର ସଭାପତି, ବୈଦିକ ବିଦ୍ୱାନ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣରେ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ କାର୍ଯ୍ୟକ୍ରମର ସଂକ୍ଷିପ୍ତ ବିବରଣୀ ଦେଇଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ମହାନ ବ୍ୟକ୍ତିମାନଙ୍କୁ ଉତରୀୟ, ସମ୍ମାନ ଫଳକ ଓ ଫୁଲତୋଡ଼ା ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଭାଷା ସଂସ୍କୃତି ସଂଗଠନ ପାଇଁ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ଓକିଲ ବନ ମହାନ୍ତି, ପ୍ରଫେସର ସଂଘମିତ୍ରା ମିଶ୍ର, ସାମ୍ବାଦିକ ସମାଜସେବୀ ପ୍ରଦୀପ ଦାସ, ଶିକ୍ଷାବିତ୍ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ, ଗାନ୍ଧିବାଦୀ ପୂର୍ବ ପ୍ରଶାସକ ଜୟନ୍ତ ଦାସ, ପୂର୍ବ ପ୍ରଶାସକ କବି ସହଦେବ ଜୟସିଂହ, ଆଦର୍ଶ ଶିକ୍ଷକ ଶରତ ରଥ, ସ୍ତମ୍ଭକାର ଶ୍ର୍ରୀ ସନ୍ନ୍ୟାସୀ, ଆଇନଜୀବୀ ଡଃ ଶମ୍ଭୁନାଥ ପାଣିଗ୍ରାହୀ, ଅଜୟ ପ୍ରତାପ ସ୍ୱାଇଁ, ଶ୍ରୀ ରାମଚନ୍ଦ୍ର ମିଶ୍ର, ସନ୍ତୋଷ ସ୍ୱାଇଁ, କବୟତ୍ରୀ ନମିତା ପଣ୍ଡା, ଶ୍ରୀ ରାମକୃଷ୍ଣ ଆଶ୍ରମ କଳାହାଣ୍ଡିର ସନ୍ନ୍ୟାସୀ ସ୍ୱାମୀ ଅଶୋକାନନ୍ଦ ଓ ସ୍ୱାମୀ ବିସରାନନ୍ଦ, ଗୋସେବକ ସମାଜସେବୀ କମଲ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ରାଜେଶ ନାୟକ ଓ ଫଟୋ ସାମ୍ବାଦିକ ଦିଲ୍ଲିପ କୁମାର ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କେନ୍ଦୁଝରର ସାଂସ୍କୃତିକ ଅନୁଷ୍ଠାନ ବୀଣାପାଣି ସଂସ୍କୃତି ପରିଷଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଭାତ ନାୟକ, ବରୁଣରାଜ, ପ୍ରଭାତ ପାଣିଗ୍ରାହୀ, ଶ୍ରୀମତୀ ମମତା ପରିଡ଼ା ଓ ସନ୍ତୋଷ ପ୍ରମୁଖ ପରିଚାଳନା କରିଥିଲେ । ବାସ୍ତୁବିତ ମନୋଜ ଲେଙ୍କାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।