ହାଲୁକା ପବନ ଝିପି ଝିପି ବର୍ଷା ଫସଲ ନଷ୍ଟ ହେବା ଆଶଙ୍କା
ନିମାପଡ଼ା, (ସନ୍ତୋଷ ଦାଶ):ବାତ୍ୟା ମିଗଜୋମ ପ୍ରଭାବ ରେ ଆଜି ଦିନ ସାରା ନିମାପଡ଼ା, ଗୋପ, କୋଣାର୍କ, ଅସ୍ତରଙ୍ଗ, କାକଟପୁର ପ୍ରଭୃତି ଅଞ୍ଚଳ ର ଆକାଶ ମେଘାଚ୍ଛନ୍ନ ରହିବା ସାଙ୍ଗକୁ ଝିପି ଝିପି ବର୍ଷା ଲାଗିରହିଛି। ଫଳରେ ଧାନ ଓ ପନିପରିବା ଚାଷୀମାନେ ଭୟଭୀତ ହୋଇ ପଡ଼ିଛନ୍ତି । ଅନେକ ବିଲରେ ଧାନ ପାଚି ଯାଇଥିବାରୁ ବର୍ଷା ମାଡ଼ରେ ଧାନ ସବୁ ଝଡି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। କିଛି ସ୍ଥାନ ରେ ପବନ ମାଡ଼ ରେ ପାଚିଲା ଧାନ ଗଛ ଗୁଡ଼ିକ ତଳେ ସୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଯଦି ବାତ୍ୟା ମିଗଜୋମ ପ୍ରଭାବ ରେ ଲଗାଣ ବର୍ଷା ଜାରି ରୁହେ ତେବେ ଏହି ସବୁ ଅଞ୍ଚଳ ରେ ପାଚି ଆସୁଥିବା ଧାନ ଫସଲ ଓ ପନିପରିବା ଚାଷ ର ବ୍ୟାପକ କ୍ଷତି ଘଟିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଚାଷୀ ଶଶାଙ୍କ ନାୟକ ଓ ଚୈତନ୍ୟ ବେହେରା। ସେହିପରି ଚାଷ ହୋଇଥିବା କୋବି, ଆଳୁ, ବିନ୍, ଝୁଡୁଙ୍ଗ, ଧନିଆଁ ପ୍ରଭୃତି ପନିପରିବା ଅଧିକ ବର୍ଷା ଓ ପବନ ରେ କ୍ଷତି ହେବା ଆଶଙ୍କା ରେ ଚାଷୀମାନେ ଭୟଭୀତ ହୋଇ ପଡିଛନ୍ତି।


