ହିଂଜିଳିକାଟୁ କଲେଜରେ ୨ ସ୍ମାର୍ଟ କ୍ଳାସ ରୁମ
ହିଂଜିଳିକାଟୁ, (ଶେଷଦେବ ସାହୁ): ଶିକ୍ଷାବର୍ଷ ୨୦୧୯-୨୦ରେ ହିଂଜିଳିକାଟୁ ସ୍ୱୟଂଶାସିତ ବିଞାନ ମହାବିଦ୍ୟାଳୟରେ ୨ ଟି ଶ୍ରେଣୀକୁ ସ୍ମାର୍ଟ କ୍ଳାସ ରୁମ ଭାବେ ପ୍ରସ୍ତୁତ କରି ଶିକ୍ଷାର୍ଥୀଙ୍କୁ ପାଠ ପଢାଯିବ । ଏଥି ସକାଶେ ୨ ଟି ଶ୍ରେଣୀରେ ଆବଶ୍ୟକ ସଂରଜାମ ସ୍ଥାପନ କରାଯାଇଛି । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଓ ନୁଆଁଦିଲ୍ଲୀର ଟିସିଆଇଏଲ (ଟେଲି କମ୍ୟୁନିକେସନ କନସଲାଂଟ ଇଣ୍ଡିଆ ଲିଃ.) ସହ ଏମଓୟୁ ହୋଇଛି ।ସ୍ମାର୍ଟ କ୍ଳାସ ରୁମରେ କଳାପଟା ପରିବର୍ତେ ସ୍ୱତନ୍ତ୍ର ସ୍କ୍ରିନ ବ୍ୟବହାର କରାଯିବ । ଦେଶର ଅଭିଞ ଶିକ୍ଷାବିତ୍ ମାନଙ୍କୁ ନେଇ ଅନଲାଇନରେ କଲେଜ ଶିକ୍ଷାର୍ଥୀଙ୍କୁ ଶିକ୍ଷାର ସୁଯୋଗ ମିଳିବ । ଏଥିସହ ଏହି କ୍ଳାସ ପାଇଁ କଲେଜ ଅଧ୍ୟାପିକା ଓ ଅଧ୍ୟାପକ ମାନେ ଆଧୁନିକ କୌଶଳରେ ଶିକ୍ଷାର୍ଥୀଙ୍କୁ ପଢାଇବାର ସୁଯୋଗ ପାଇବେ । ସାଧାରଣ କଳାପଟା କ୍ଳାସ ଅପେକ୍ଷା ଆଧୁନିକ ଟେକ୍ନୋଲୋଜିରେ ପାଠପଢା ଛାତ୍ରଛାତ୍ରୀଙ୍କୁ ନୂଆଁ ଅନୁଭୂତି ଦେବା ସହ ଅଧିକ ଆକୃଷ୍ଟ କରିବ ବୋଲି ସ୍ଥାନୀୟ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ସିଏଚ୍ ଚନ୍ଦ୍ରଶେଖର ପୃଷ୍ଟି କହିଛନ୍ତି । ବ୍ରହ୍ମପୁର ସ୍ଥିତ ଖଳ୍ଲିକୋଟ କଲେଜ ଏବବଂ ହିଂଜିଳିକାଟୁ କଲେଜରେ ୨ ଟି ଲେଖାଏଁ ସ୍ମାର୍ଟ କ୍ଳାସ ରୁମ କରାଯାଇଥିବା ବେଳେ ଗଂଜାମ ଜିଲ୍ଲାର ଅନ୍ୟ ୪ ଟି ସରକାରୀ ଓ ଗୋଟିଏ ବେସରକାରୀ କଲେଜରେ ଗୋଟିଏ ଲେଖାଏଁ ସ୍ମାର୍ଟ କ୍ଳାସ ରୁମ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।