ହିଂଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରା ଉଦଯାପିତ : ପ୍ରବଳ ଜନସମାଗମ

ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳିକାଟୁ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାମô୍କ ଯାତ୍ରାତ୍ସୋବର ଅନ୍ତିମ ଦିବସ ରବିବାର ଦିନ କେଉଟବାଡ଼଼ ପକ୍ଷରୁ ମହାଆଡ଼ମ୍ବର ସହକାରେ ପାଳନ କରାଯିବା ସହ ଯାତ୍ରାତ୍ସୋବ ଉଦଯାପିତ ହୋଇଯାଇଛି । ଯାତ୍ରା ସକାଶେ ସୁ ଊଚ୍ଚ ତୋରଣ, ରଙ୍ଗ ବେରଙ୍ଗ ବାନା ସହ ଅଲୋକମାଳାରେ ସାରାସହର ଝଲସି ଉଠିଥିଲା । ରବିବାର ପ୍ରାତଃହରୁ ମାନସିକ ଧାରୀ ବ୍ୟକ୍ତି ମାନେ କୃଷ୍ଣ, ବଳରାମ,ରାମ,ସୀତା, ହନୁମାନ, ବାଘ- ବାଘୁଣି, ଡ଼ାହାଣି,ଅସୁରୁଣି, ବାଘ, କାଚରା, ଖଟବିଦ୍ୟା, ମେହେନ୍ତର, କୁଷ୍ଠରୋଗୀ ସମେତ ବିଭିନ୍ନ ଦଳଗତ ବେଶ ପରିଧାନ ପୁର୍ବକ ପ୍ରମୁଖ ବେଶରେ ନିଜକୁ ସୁ ସଜ୍ଜିତ କରି ଗ୍ରାମ ପରିକ୍ରମା କରିଥିଲେ । ଯାତ୍ରା ସକାଶେ ବହୁ ଗ୍ରାମରୁ ଆସି ପସରା ମେଲିଥିବା ଅସ୍ଥାୟୀ ଚିତ୍ରାଳୟ ଗୁଡ଼ିକର ବ୍ୟବସାୟ ଜୋର ଧରିଥିଲା । ଦିନ ତମାମ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିଥିବା ସତ୍ୱେ ସ୍ଥାନୀୟ ସହର ସମେତ ନିକଟବର୍ତି ଅଂଚଳରୁ ବହୁ ଭକ୍ତ , ଦର୍ଶନାର୍ଥୀ ଓ ଯାତ୍ରାପ୍ରେମୀଙ୍କ ପ୍ରାତଃହରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିିଲା । ବିଶେଷ ଭାବେ ସନ୍ଧ୍ୟା ପରଠାରୁ ସହରର ବିଭିନ୍ନ ସାହି ବସ୍ତିରେ ସ୍ଥାପନ କରାଯାଇଥିବା ଆକର୍ଷଣୀୟ କଳାକୁଂଜ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ହିଂଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରା ସକାଶେ ରାଜା ସାହିରେ ବୀର ଇନ୍ଦ୍ରଜିତ ରଥ, ଦେଓଘର ସାହିରେ ବୀର ଅର୍ଜୁନ ରଥ,ଶ୍ରୀ ଜଗନ୍ନାଥ ରଥ ସମେତ ବଳି ରାଜାଙ୍କ ୩ ପାଦ ଭୂମି ପ୍ରଦାନ, ବାହୁବଳୀ ଓ ମୋଟୁ ପତଳୁ କଳାକୁଂଜ ସ୍ଥାପନ କରାଯାଇଥିଲା । ସେହିପରି କେଉଟ ସାହିରେ ଗରୁଡ଼ ରୂଢ ବିଷ୍ଣ, କାମଧେନୁ ଗାଇ, କୈଳାସ ପର୍ବତରେ ଭଗବାନ ଶିବଙ୍କ ତପସ୍ୟା, ନାରାୟଣଙ୍କ ଅନନ୍ତ ଶୟନ, ଢେଙ୍କିଶାଳ କଳାକୁଂଜ ସମେତ ଜଗନ୍ନାଥ ରଥ ରହିଥିଲା । ଥାନା ସାହିରେ ବୀର ପର୍ଶୁରାମ, ଦାନ ବୀର ହରିଶ୍ଚନ୍ଦ୍ର, କଳାକୁଂଜ ସ୍ଥାପନ କରାଯାଇଥିବା ବେଳେ ବଡ଼ ରଙ୍ଗଣି ସାହିରେ ଅଗ୍ରଜ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ରାଧାକୃଷ୍ଣ ଝୁଲଣ, ବୀର ହନୁମାନ କଳାକୁଂଜ ସମେତ ଜଜଗନ୍ନାଥ ରଥକୁ ଆମନ୍ତ୍ରିତ କରାଯାଇଥିଲା । ଭକ୍ତମାନଙ୍କୁ ପାନୀୟ ଜଳ ଯୋଗାଣ ସକାଶେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଇଥିଲା । ଯାତ୍ରା ସକାଶେ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ବିଭିନ୍ନ ସାହି ବସ୍ତିରେ ଅସ୍ଥାୟୀ ଭାବେ ଜଳଛତ୍ର କୋଲାଯାଇଥିଲା । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କେଉଟ ସାହି କୋଠଘର ନିକଟରେ ଏକ ଅସ୍ଥାୟୀ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଥିଲା । ବିଭିନ୍ନ ସାହି ବସ୍ତିରେ ଯୁବ ସମାଜ ଓ ସେଛାସେବୀ ଅନୁଷ୍ଠାନ ପକ୍ଷରୁ ଭକ୍ତ ଓ ଯାତ୍ରାପ୍ରେମୀ ମାନଙ୍କୁ ଶୀତଳ ପାନୀୟ ଜଳ, ବହୁ ରକମର ପଣା, ସରବତ୍ ଏବଂ ବିଭିନ୍ନ ରକମର ସୁସ୍ୱାଦ ବ୍ୟଂଜନ ବଂଟନ କରାଯାଇଥିଲା । ଅସମ୍ଭବ ଭିଡ଼଼କୁ ଆଖି ଆଗରେ ରଖି ଶାନ୍ତ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ଯାତ୍ରା ସମୟରେ ରୋଡ଼ ରୋମିଓ ମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସାଧା ପୋଷାକଧାରୀ ପୁଲିସ ମୃତୟନ ରହିବା ସହ ତୀକ୍ଷଣ ନଜର ରଖିଥିଲେ । ଯାତ୍ରା ସକାଶେ ବିଭିନ୍ନ ସାହି ବସ୍ତିରେ ବିଭିନ୍ନ ରକମର ଖେଳଣା, ବାରମଜା, ଘର ସାଜସଜ୍ଜା ଊପକରଣ ପ୍ରମୁଖ ସାମଗ୍ରୀର ଅସ୍ଥାୟୀ ଦୋକାନ ବଜାରମାନ ଗଢି ଉଠିଥିଲା । ବିଳମ୍ବିତ ରାତ୍ରରେ କେଉଟ ବାଡ଼ ପକ୍ଷରୁ ହିଂଜିଳିକାଟୁ ପ୍ରସିଦ୍ଧ ବାଣ ଯାତ୍ରା ରାଜବାଟି ସମ୍ମୁଖରେ ବାଣଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ ବାଣ ଯାତ୍ରାରେ ମଲ୍ଲୀ ତରାସ, କଢ ମଲ୍ଲୀ, ସାପ ବାଣ, ଗୁଆ ଗଛ, ଚମ୍ପା ଫୁଲ ଝରି, ଗ୍ଳାସ ବୋମା,କାର୍ଗିଲ ବୋମା, ମରୟର ଚନ୍ଦ୍ରିକା, ଚମ୍ପା ଗଛ, ସୁଦର୍ଶନ ଚକ୍ର ଭଳି ବହୁ ରକମର ଆତସବାଜି ଦୀର୍ଘ ୫ ଘଂଟା ଧରି ଫୁଟାଯାଇଥିଲା । ବାଣ ଯାତ୍ରା ଦେଖିବା ସକାଶେ ସ୍ଥାନୀୟ ସହର ସମେତ ନିକଟବର୍ତି ଅଂଚଳର ଯାତ୍ରାପ୍ରେମୀ ମାନଙ୍କ ଅସମ୍ଭବ ଭିଡ଼ ଲାଗି ରହିଥିଲା । ବିଭିନ୍ନ ନାଚ ଗୀତ ଓ ଡ଼ିଜେ ମାଧ୍ୟମରେ ଅଂଚଳର ଯୁବ ସମାଜ ନାଚି ନାଚି ବାଣପଡ଼ିଆକୁ ଦୁଲୁକାଇଥିବାର ଦେଖିବାକୁ ମିଳିଥିଲା । ବାଣଯାତ୍ରା ପରିସମାପ୍ତି ପରେ ସ୍ଥାନୀୟ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ବିଭିନ୍ନ ପ୍ରକାରର ବାଦ୍ୟ ବାଜଣା, ଘଂଟ, ମହୁରୀ, ଶଙ୍ଖର ତାଳେ ତାଳେ ବିଭିନ୍ନ ରକମର ମନୁଷ୍ୟକୃତ ପଶୁନୃତ୍ୟ ଯଥା ବାଘ, ହାତୀ, ଘୋଡ଼ା, ରାଜଚା ରାଣୀ ଆଦି ବେଶରେ ସୁ- ସଜ୍ଜିତ କରାଯାଇ ନଗର ପରିକ୍ରମା କରାଯାଇଥିଲା । ଯାତ୍ରାର ଅନ୍ତିମ ଦିବସ ରବିବାର ଦିନ ବଡ଼ ରଙ୍ଗଣି ସାହି ଼ ପକ୍ଷରୁ ବଡ଼ ରଙ୍ଗଣି ସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତଲୀଳା ନାଟକ ପରିବେଷଣ କରାଯାଇଥିଲା । ବଡଙ୍ରଙ୍ଗଣି ସାହି ପକ୍ଷରୁ ଦହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ଦହି ଯାତ୍ରା ସକାଶେ ସଂପୃକ୍ତ ସାହିର ଯୁବ ସମାଜ, ଯାତ୍ରା ପ୍ରେମୀ ସମେତ ଆବାଳ ବୃଦ୍ଧ ବନିିତା ରଙ୍ଗ ଖେଳି ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ଅସ୍ଥାୟୀ ମଣ୍ଡପରୁ ନେଇ ମନ୍ଦିରରେ ବିଜେ କରାଇଥିଲେ । ସୋମବାର ଦିନ କେଉଟବାଡ଼ ପକ୍ଷରୁ କୈବର୍ତ ସାହି ବସ୍ତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ଦଧିବାମନ ଯାତ୍ରା ଅନୁଷ୍ଠିତ ହେବ । ଯାତ୍ରା ଶନ୍ତେଶୃଙ୍ଖଳାର ସହ ସମାପନ ହୋଇଥିବାରୁ ବଡ଼ ରଙ୍ଗଣି ସାହି ଯାତ୍ରାଧିକାରୀ ବଂଶୀଧର ସାହୁ ଏବଂ କେଉଟ ସାହି ଯାତ୍ରା କମିଟି ସଭାପତି ଭୀମସେନ ବେହେରା, ହିଂଜିଳିକାଟୁ ରାଜା ସାହେବ ଲଳିତ କିଶେର ଭଂଜଦେଓ, ସ୍ଥାନୀୟ ଅଂଚଳର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ସମେତ ଅଂଚଳର ସ୍ୱେଛାସେବୀ, ଯୁବସମାଜ ଓ ଅଂଚଳର ଜନସାଧାରଣଙ୍କୁ ସାଧୁବାଦ ସହ କୃତଞତା ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ