ହିଂଜିଳି ଆସନ ଛାଡ଼ିନପାରନ୍ତି ନବୀନ !

ହିଂଜିଳିକାଟୁ, (ଶେଷଦେବ ସାହୁ): ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବିଧାନସଭାକୁ ଦୁଇଟି ଆସନ ପଶ୍ଚିମ ଓଡ଼ିଶା ବରଗଡ଼ ଜିଲ୍ଲା ବିଜେପୁର ସମେତ ଗଂଜାମ ଜିଲ୍ଲା ହିଂଜିଳି ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି ।ଏକାଧିକ ଆସନରେ ନିର୍ବାଚିତ ହେବା ପରେ ଗୋଟିଏ ଆସନ ରଖି ଅବଶିଷ୍ଟ ଆସନ ବିଜୟୀ ଆସନ ଛାଡ଼ିବା ନିୟମ ରହିଛି । ଏ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଆସନ ଛାଡ଼ିବା ସୁନିଶ୍ଚିତ । ତେବେ ସେ କେଉଁ ଆସନ ରଖିବେ ଓ ଏବଂ କେଉଁ ଆସନ ଛାଡ଼ିବେ ସେ ନେଇ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଉଭୟ ହିଂଜିଳି ଓ ବିଜେପୁର ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏପର୍ଯ୍ୟନ୍ତ କେଉଁ ଆସନ ଛାଡ଼ିବେ ତାହା ଅସ୍ପଷ୍ଟ ରହିଛି ।ରାଜ୍ୟରେ ଉତ୍ପନ ରାଜନୈତକ ପରିସ୍ଥିତିକୁ ବାଖ୍ୟା କଲେ ହିଂଜିଳି ଆସନ ଛାଡ଼ିବା ସମ୍ଭାବନା କମ୍ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରିଛନ୍ତି । ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ ରହିଛି ବିଜେପୁର ବିଧାନସଭା ଆସନ । ପଶ୍ଚିମାଂଚଳରେ ଶାସକ ବିଜୁ ଜନତା ଦଳ କଡ୍ଡା ଟକ୍କର ସମ୍ମୁଖୀନ ହୋଇଛି ।ଭାରତୀୟ ଜନତା ପାର୍ଟି ବର଼ଗଡ଼, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁରଓ ସୁନ୍ଦରଗଡ଼ ଲୋକସଭା ଆସନରେ ବାଜିମାତ୍ କରିଛି । ଗତ ୨୦୧୪ ନିର୍ବାଚନରେ କେବଳ ସୁନ୍ଦରଗଡ଼ ଆସନକୁ ବାଦ୍ ଦେଲେ ଅନ୍ୟ ସବୁ ଆସନରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଚଳିତ ନିର୍ବାଚନରେ ଏକାଥରରେ ୪ ଟି ଆସନ ହରାଇଛି ବିଜେଡ଼ି । ପଶ୍ଚିମାଂଚଳରେ ବିଜେପିର ବିରାଟ ବିଜୟ ବିଜେଡ଼ିକୁ ସବୁଠୁ ବଡ଼ ଚ୍ୟାଲେଂଜ । ଏଣୁ ପଶ୍ଚିମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ୱ କେବଳ ଅଂଚଳବାସୀ ନୁହେଁ, ବିଜେଡ଼ି ନେତା ଓ କର୍ମୀଙ୍କୁ ବଡ଼ ଧରଣର ଆଶ୍ୱାସନା ଦେଇପାରେ । ଏହି ଦୃଷ୍ଟିକୋଣରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଜେପୁର ବିଧାନସଭା ରଖିବା ଆକଳନ କରାଯାଉଛି । ଅନ୍ୟ ପକ୍ଷରେ ୨୦୦୯ ଓ ୨୦୧୪ ନିର୍ବାଚନ ତୁଳନାରେ ବର୍ତମାନର ରାଜନୈତିକ ସମୀକରଣକୁ ଆଖିଆଗରେ ରଖି ମନ୍ତ୍ରୀମଣ୍ଡଳ ଗଠନ କରାଯାଇଛି । ଏକଥା ସତ ଯେ, ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇଛି । ସେଠିକାର ୫ ଟି ଯାକ ଲୋକସଭା ଆସନ ବିରୋଧୀ ଦଳକୁ ଯାଇଥିବାରୁ ମନ୍ତ୍ରୀମଣ୍ଡଳରେ ସେଠାକୁ ୍ରଅଧିକ ପ୍ରତିନିଧିତ୍ୱ ଦେଇ ବିଜେଡ଼ି ସଙ୍ଗଠନକୁ ମଜବୁତ୍ କରିବାକୁ ଚାହିଁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।କାରଣ ଯଥାଶୀଘ୍ର ପୌର ନିର୍ବାଚନ ହେବାକୁ ଯାଉଛି । ସେହିପରି ଆସନ୍ତା ୨୦୨୪ ମସିହା ନିର୍ବାଚନ ପାଇଁ ଏହା ଏକ ପ୍ରାକ୍ ପ୍ରସ୍ତୁତି କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଆସନରେ ରହିବେ ବୋଲି ମନ୍ତ୍ରୀମଣ୍ଡଳରେ ଗଂଜାମ ଜିଲ୍ଲାର ପ୍ରତିନିଧିତ୍ୱ କମିଥିବା ଅନୁମାନ କରାଯାଉଛି । ପୂର୍ବରୁ ଗଂଜାମ ଜିଲ୍ଲାରୁ ମୁଖ୍ୟମ଼ନ୍ତ୍ରୀଙ୍କ ସମେତ ୪ଜଣ ମନ୍ତ୍ରୀ ପଦ ପାଇ ଆସୁଥିଲେ । କିନ୍ତି ଚଳିତ ନିର୍ବାଚନ ପରେ ସେମିତି କିଛି ହୋଇନାହିଁ । ମାତ୍ର ଜଣେ ମନ୍ତ୍ରୀରେ ସନ୍ତୁଷ୍ଟ ହେବାକୁ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ବିଧାନସଭାରେ ବାଚସ୍ପତି ଭଳି ଗୁରତ୍ୱପୂର୍ଣ୍ଣ ପଦବୀରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ସୂର୍ଯ୍ୟ ପାତ୍ରଙ୍କୁ ଦିଆଯାଇଛି । ପଶ୍ଚିମ ଓଡ଼ିଶାକୁ ମନ୍ତ୍ରୀମଣ୍ଡଳରେ ଅଧିକ ବର୍ଥ ଦେଇ ନିଜେ ଗଂଜାମରେ ରହିଲେ କାହାର କିଛି ଆପତି ନାହିଁ । ଯେହେତୁ ମୁଖ୍ୟମନ୍ତ୍ରୀ ଗଂଜାମ ଜିଲ୍ଲାରେ ରହୁଛନ୍ତି ତେଣୁ ଜିଲ୍ଲାର ସମସ୍ତ ବିକାଶ ମୂଳକ କାର୍ଯ୍ୟସେ ନିଜେ ତଦାରଖ କରିବେ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ । ୧୯୯୭ ମସିହା ଏପ୍ରିଲ ୧୪ ତାରିଖରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ବର୍ଷ ହିଁ ଆସିକା ଲୋକସଭା ଆସନରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୬ ନିର୍ବାଚନରେ ବିଜୁ ବାବୁ ଆସିକା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏଣୁ ବିଜୁ ଲିଗାସୀ ସୁରକ୍ଷିତ ରଖିବା ପାଇଁ ନବୀନ ପଟ୍ଟନାୟକ ଆସିକା ସଂସଦୀୟ କ୍ଷେତ୍ରକୁ ବାଛିଥିଲେ । ଆସିକା ଲୋକସଭା ଆସନରୁ ଲଗାତାର ଭାବେ ୧୯୯୭,୧୯୯୮ଓ ୧୯୯୯ରେ ଲଗାତାର ଭାବେ ନିର୍ବାଚିତ ହୋଇଥିଲେ । ଆସିକା ଲୋକସଭା ସଂସଦୀୟ କ୍ଷେତ୍ର ମଧ୍ୟରେ ରହିଛି ହିଂଜିଳି ବିଧାନସଭା ଆସନ । ୨୦୦୦ ମସିହା ବିଧାନସଭା ନିର୍ବାଚନରେ ହିଂଜିଳି ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଲଗାତାର ଭାବେ ୨୦୦୪, ୨୦୦୯,୨୦୧୪ ଓ ୨୦୧୯ ରେ ଲଗାତାର ଭାବେ ୫ ଥର ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାର ଗୌରବ ଅର୍ଜନ କରିଛନ୍ତି । ଚଳିତ ନିର୍ବାଚନରେ ହିଂଜିଳି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଆହୁରି ୮ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନାର ଦଣ୍ଡାୟମାନ ହୋଇଥିଲେ । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କୁ ୬୦୧୬୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିବା ସହ ବିଜୟ ମୁକୁଟ ପିନ୍ଧିଛନ୍ତି । ହିଂଜିଳି ବିଧାୟକ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୯୪୦୬୫ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ୩୩୯୦୫ ଭୋଟ, କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ୭୨୬୫ ଭୋଟ, ବହୁଜନ ସମାଜ ପାର୍ଟି ସମର୍ଥିତ ପ୍ରାର୍ଥୀ ଭାସ୍କର ଚୌଧୁରୀ ୯୯୪ ଭୋଟ. ଏସୟୁସିଆଇ(ସି)ର ଡ଼ି. ତିରୁପତି ଦୋରା ୯୧୮ ଭୋଟ, ଆମ୍ବେଦକର ଜାତୀୟ କଂଗ୍ରେସର ରଂଜନ କୁମାର ଆପଟ ୬୮୮ ଭୋଟ, ସ୍ୱାଧିନ ପ୍ରାର୍ଥୀ ବାବୁଲା ସାହୁ ୮୫୬ ଭୋଟ, ସି. ଲକ୍ଷ୍ମୀ ଆଚାରୀ ୮୬୫ , ଭୋଟ, ସୁକାନ୍ତ କିଶୋର ପଣ୍ଡା ୭୭୩ଭୋଟ ପାଇଥିବା ବେଳେ ନୋଟାରେ ୧୫୦୩ ଟି ଭୋଟ ପଡ଼ିଥିଲା । ଅନ୍ୟପକ୍ଷରେ ବିଜେପୁର ଆସନରେ ହିଂଜିଳି ଆସନ ଅପେକ୍ଷା ଭୋଟ ହାର କମ୍ ରହିଛି । ବିଜେପୁର ଆସନରେ ବିଜେଡ଼ି ପ୍ରାର୍ଥୀ ନବୀନ ପଟ୍ଟନାୟକ ୧୧୦୬୦୪ ଭୋଟ ପାଇଥିବା ବେେ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୫୩୪୮୨ ଖଣ୍ଡ ଭୋଟ ପାଇଥିଲେ । ବିଜେପୁର ଆସନରେ ଭୋଟ ବ୍ୟବଧାନ ୫୭୧୨୨ ରହିଛି । ଯାହାକି ହିଂଜିଳି ବିଧାନସଭା ଆସନ ଠାରୁ ଭୋଟ ବ୍ୟବଧାନ କମ୍ ରହିଛି । ହିଂଜିଳି ତୁଳନାରେ ବିଜେପୁରରେ ବିଜେପି ଅଧିକ ଭୋଟ ହାତେଇଛି । ଏଣୁ ବିଜେଡ଼ି ପାଇଁ ବିପଦ ଆଶଙ୍କା ଥିବାରୁ ଏବେଠୁ ରାଜନୈତିକ ସ୍ତରରେ ମୁକାବିଲା କରିବାକୁ ଖସଡ଼ା ପ୍ରସ୍ତୁତ କରିବା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତି ନେଦବା ପୂର୍ବରୁ ସମସ୍ତ ଦିଗ ପ୍ରତି ଧ୍ୟାନ ଦେବେ ବୋଲି ଅନୁମାନ କରାଯାଉଛି । ତେବେ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡ଼ିବେ ଏ ନେଇ ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି ।ପାଟକୁରା ଆସନରେ ବିଜେଡ଼ି ପ୍ରାର୍ଥୀଙ୍କ ଦେହାନ୍ତ ହୋଇଯିବା ଯୋଗୁଁ ସେଠାକାର ନିର୍ବାଚନ ସ୍ଥଗିତ ରହିଥିବା ରହିଛି । ତେବେ ମୁଖ୍ୟମନ୍ତ୍ରୀ ଯେଉଁ ଆସନ ଛାଡ଼ିବେ ସେଠାକାର ବିଧାନସଭା ଓ ପାଟକୁରା ବିଧାନସଭା ଆସନରେ ଏକା ଥରରେ ନିର୍ବାଚନ ହୋଇପାରେ ବୋଲି ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ