ହିଞ୍ଜିଳିକାଟୁରେ ତାପମାତ୍ରା ୪୩ ଡିଗ୍ରୀ ,ଜନଜୀବନ ଅସ୍ତବ୍ୟସ୍ତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ନିଆଁ ପବନ ବୋହୁଛି । ତତଲା କଡ଼େଇରେ ହିଂଜିଳିକାଟୁ ସହର । ଜନଜୀବନ ଅସ୍ତବ୍ୟସ୍ତ । ସବୁଦିନ ଠାରୁ ରବିବାରର ପ୍ରଚଣ୍ଡ ରୌଦ୍ରତାପ ବଳି ପଡ଼ିଛି । ଦିନ ୧୦ ଟା ପରେ ଘରୁ ପଦାକୁ ବାହାରିବା ସମ୍ବବପର ହେଉନି । ଶନିବାର ପୂର୍ବାହ୍ନ ୧୦ ଟାରୁ ଉତାପ ବୃଦ୍ଧି ପାଇ ମଧ୍ୟାନ୍ନ ୧୨ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିଲା । ଧୁ ଧୁ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା । ଦିନ ତମାମ ଅଗ୍ନିବର୍ଷା ଲାଗି ରହି ପଥଚାରୀଙ୍କୁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଥିଲା । ପ୍ରଚଣ୍ଡ ଖରାକୁ ଡ଼ରି ଘରୁ ବାହାରୁ ନଥିବା ଲୋକେ ମଧ୍ୟ ନାହିଁ ନଥିବା ହିନସ୍ତା ହୋଇଥିଲେ । ତଳ ତାତି ସାଙ୍ଗକୁ ଉପର ତାତି ଯୋଗୁଁ ଘର ବାହାରେ ରହୁଥିବା ମଣିଷକୁ ଡ଼ହଳ ବିକଳ କରିପକାଉଥିଲା । ଗତ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ଯୋଗୁଁ ସ୍ଥାନୀୟ ଅଂଚଳର ନଇନାଳ, କୁଅ, ଗାଡ଼ିଆ ଓ ପୋଖରୀରୁ ଜଳ ଶୁଷ୍କ ହୋଇ ଗଲାଣି । ଜଳାଶୟରୁ ପାଇପ ଯୋଗେ ଯୋଗାଣ ଜଳ ମଧ୍ୟ ଉତପ୍ତ । କୌଣସି ମତେ ମଣିଷକୁ ନିସ୍ତାର ମିଳୁନାହିଁ । ବିଗତ ୧୦ ବର୍ଷ ଧରି ବାୟୁ ମଣ୍ଡଳ ଉତପ୍ତ ହୋଇ ପଡ଼ିଥିବା ବୁଦ୍ଧିଜୀବି ଓ ପରିବେଶବିତ୍ ମାନେ ମତବ୍ୟକ୍ତ କରିଥିବା ବେଳେ ଚଳିତ ବର୍ଷ ଏହା ଗୁରୁତର ବା ଗ୍ରୀଷ୍ମର ପ୍ରକୋପ ସଙ୍ଗୀନ ହୋଇପଡ଼ିଛି । ଭୟଙ୍କର ତାତି ଯୋଗୁଁ ଜୀବଜଗତ ତ୍ରାହି ତ୍ରାହି ଡ଼ାକିଲେଣି । ସେହି ଦିନର ମାଟି ରାସ୍ତା ଓ ଅଂଚଳରେ ଯୁଗ ଯୁଗ ଧରି ଭରି ରହିଥିବା ଆମ୍ବ, ତେନ୍ତୁଳି ଓ ବଟବୃକ୍ଷ ଟିଏ ଦେଖିବାକୁ ମିଳୁନାହିଁ । ୧୯୯୯ ମହାବାତ୍ୟା ଓ ୨୦୧୩ ଫାଇଲିନରେ ଗଂଜାମ ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ପ୍ରାୟ ୩ ଲକ୍ଷରୁ ଅଧିକ ଗଛ ଉପୁଡ଼ି ପଡ଼ିଥିଲା । ସ୍ଥାନୀୟ ସହର ମଧ୍ୟ ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରୁ ଶହ ଶହୁ ବୃକ୍ଷ ଗୁଡ଼ିକ ମାଟିରେ ଲୋଟି ପଡ଼ିଥିଲେ ମଧ୍ୟ ଏଯାବତ୍ ସେହି ସବୁ ସ୍ଥାନରେ ଆଉ ବୃକ୍ଷରୋପଣ କରାଯାଇ ପାରିନାହିଁ । ଏହି ଘଡ଼ିସନ୍ଧି ମୁହୁୁର୍ତରେ ରାସ୍ତା ପ୍ରଶସ୍ତି କରଣ ପାଇଁ ବଂଚି ରହିଥିବା ଗଛକୁ କାଟି ଦିଆଯାଇଛି । ପରିବେଷ ଉପରେ ଏହାର ଘୋର କୁପ୍ରଭାବ ପଡ଼ୁଛି । ପିଚୁ ରାସ୍ତା ଉପରେ ପଡ଼ୁଥିବର ସୂର୍ଯ୍ୟଙ୍କ ପ୍ରଖର ରଶ୍ମିର ପ୍ରତିଫଳନ ମଣିଷଙ୍କୁ ଭୋଗିବାକୁ ପଡ଼ୁଛି । ଏଥିସହ ଗାଁ ଗଣ୍ଡାରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁନାହିଁ । କୌଣସି ଗ୍ରାମରେ ମାଟି ଦାଣ୍ଡ ଏବଂ ଘର ସମ୍ମୁଖରେ ମଧୁମାଳତିସ ପୁଲ ଗଛ କିମ୍ବା ସଜନା ଗଛ ଟିଏ ଦେଖିବାକୁ ମିଳୁନାହିଁ । ଗାଁ ଦାଣ୍ଡ ମାଟି ପରିବତ୍ରେ ସମ୍ପୂର୍ଣ୍ଣ କଂକ୍ରିଟ ପାଲଟିଯାଇଛି । ଚାଳ ଛପର ଘର ପରିବର୍ତେ ସପ୍ରାୟ ସମସ୍ତ ଘର ଗୁଡ଼ିକ ପକ୍କା ରହିଥିବାର ଦେଖିବାକୁ ମିଳୁଛି । ଯଦ୍ୱାରା ଗାଁ ଠାରୁ ସହର ସବୁଠାରେ ତାତି ବଢିବା ସ୍ୱାଭାବିକ । ଶଷନିବାର ଓ ରବିବାର ୨ ଦିନ ଧରି ସ୍ଥାନୀୟ ଅଂଚଳର ତାପମାତ୍ରା ୪୩ଂ ଛୁଇଁଛି । ଭୟଙ୍କର ତାତି ଯୋଗୁଁ ହିଂଜିଳିକାଟୁ ଅଂଚଳର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ରାସ୍ତାରେ ଯିବା ଆସିବା କରିବା ବେଳେ ଦେହ ମୁହଁ ପୋଡ଼ାଜଳା କରୁଛି । ଅନ୍ୟ ପକ୍ଷରେ ସ୍ଥାନୀୟ ପୌରାଂଚଳ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଇଥିବା ବେଳେ ଅଧିକାଂଶ ଛତ୍ରରେ ଜଳ ନଥିବା ଦେଖିବାକୁ ମିଳୁଛି । ପ୍ରତ୍ୟେହ ହିଂଜିଳିକାଟୁ ସହରକୁ ନିକଟବର୍ତି ଅଂଚଳର ପ୍ରାୟ ୩୦ ରୁ ଉଦ୍ଧ୍ୱର୍ ଗ୍ରାମର ଜନସାଧାରଣ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ହିଂଜିଳିକାଟୁ ସହର ଉପରେ ନିର୍ଭର କରୁଥିବା ବେଳେ ଜଳ ମୁନ୍ଦିଏ ପାଇ ପାରୁନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏତଦ୍ ବ୍ୟତିତ ହିଂଜିଳି ଥାନା ଆମ ପୋଲିସ ପକ୍ଷରୁ ସ୍ଥାନୀୟ ପୌରାଂଚଳ ବିଜୁ ପଟ୍ଟନାୟକ ଛକରେ ଗତ କିଛି ଦିନ ତଳେ ଜଳଛତ୍ର ଖୋଲା ଯାଇଥିଲେ ମଧ୍ୟ କିଛି ଦିନ ପରେ ଏହା ବନ୍ଦ ରହିଥିବା ଦେଖିବାକୁ ମିଳୁଛି