ହିଞ୍ଜିଳିକାଟୁରେ ପ୍ରସ୍ତାବିତ ବିୟରବାରକୁ ନେଇ ଜନ ଅସନ୍ତୋଷ ଜିଲ୍ଲାପାଳଙ୍କୁ ଫେରାଦ

ହିଞ୍ଜିଳିକାଟୁ, (ୱାଇଏନଏସ):ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ।ବିକ୍ରି ହେଉଥିବା ସମସ୍ତ ମଦ ବୋତଲ ଗୁଡ଼ିକରେ ସ୍ପଷ୍ଟ ଭାବରେ ଏହା ଉଲ୍ଲେଖ ରହିଥିଲେ ମଧ୍ୟ ଲୋକେ ମାନିବାକୁ ନାରାଜ । ଅନ୍ୟପକ୍ଷରେ ରାଜ୍ୟରେ ରାଜସ୍ୱ ବୃଦ୍ଧି ସକାଶେ ସରକାର ଲାଇସେନ୍ସ ପ୍ରାପ୍ତ ଠିପିବନ୍ଦ ଓ ଠିପିଖୋଲା ମଦ ଦୋକାନ ଖୋଲିବା ସକାଶେ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରୁଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌରାଂଚଳ ହିଞ୍ଜିଳିକାଟୁ ସହର ମଧ୍ୟରେ ୨ଟି ଠିପିବନ୍ଧ ଓ ଗୋଟିଏ ଠିପି ଖୋଲା ମଦ ଦୋକାନ ରହିଥିବା ବେଳେ ପୁଣି ଏକ ସହର ମଧ୍ୟରେ ଠିପିଖୋଲା ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତାବ ରହିଥିବା ଜଣାପଡ଼ିଛି । ଘଟଣା ସହରରେ ପ୍ରଚାରିତ ହେବା ପରେ ସହରର ବହୁ ବୁଦ୍ଧିଜୀବି ଏହାକୁ ନାପସନ୍ଦ କରିବା ସହ ଅଂଚଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ସଂପୃକ୍ତ ଅଂଚଳରେ ଅନ୍ୟ ଏକ ଠିପିବନ୍ଦ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରିବା ସକାଶେ ଅଂଚଳର କିଛି ବୁଦ୍ଧିଜୀବି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ସାକ୍ଷାତ କରି ଫେରାଦ ହେବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ପୌରାଂଚଳର ଖାତା ନଂ- ୧୫୧୪, ପ୍ଲଟ ନଂ-୩୭୭୩/୫୮୪୨ରେ ଏକ ଠିପିଖୋଲା ବିଦେଶୀ ମଦ ଦୋକାନ ଖୋଲିବା ସକାଶେ ଅଂଚଳର କିଛି ବ୍ୟକ୍ତି ମସୁଧା ଚଲାଇଛନ୍ତି । ବିଭାଗୀୟ ଅଧିକାରୀଙ୍କ ଅନୁମତି ପାଇବା ପରେ ସଂପୃକ୍ତ ସ୍ଥାନରେ ଠିପିଖୋଲା ବିଦେଶୀ ମଦ ଦୋକାନ ଖୋଲିବା ସକାଶେ ପ୍ରସ୍ତାବ ରହିଥିବା ଜଣାପଡ଼ିଛି । ସଂପୃକ୍ତ ସ୍ଥାନର ୨ଶହ ମିଟର ପରିଧି ମଧ୍ୟରେ ଜଳସମ୍ପଦ ବିଭାଗୀୟ କାର୍ଯ୍ୟାଳୟ, ବର୍ତମାନର କୋଭିଡ଼-୧୯ ହସପିଟାଲ ଯାହା କି ଆଗାମୀ ଦିନରେ ଶହେ ଶର୍ଯ୍ୟା ବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବ, ତହସିଲ୍‌, ଟ୍ରେଜେରୀ, ଅଗ୍ନିଶମ ବାହିନୀ, ନିୟନ୍ତ୍ରିତ ବଜାର କମିଟି, କୃଷି ସୂଚନା ଓ ଉପଦେଷ୍ଟା କାର୍ଯ୍ୟାଳୟ ସମେତ ୨ଟି ଶିଶୁ ମନ୍ଦିର ଅବସ୍ଥିତ ରହିଛି । ସଂପୃକ୍ତ ସ୍ଥାନ ନିକଟରେ ୭ନଂ କେନାଲ ପ୍ରବାହିତ ହୋଇଛି । ଏପରିକି ସମ୍ମୁଖ ଭାଗରେ ୫୯ ନଂ ଜାତୀୟ ରାଜପଥ ରହିଥିବାରୁ ସଂପୃକ୍ତ ସ୍ଥାନରେ ଠିପିଖୋଲା ମଦ ଦୋକାନ ଖୋଲାଗଲେ ଆଗାମୀ ଦିନରେ ଦୂର୍ଘଟଣା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରିକି ସଂପୃକ୍ତ ସ୍ଥାନର ନିକଟସ୍ଥ ଅଂଚଳରେ ଭାଲୁକା ବନ୍ଧ ରହିଛି । ଯାହାକି ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରସ୍ତାବ କ୍ରମେ ଉପରୋକ୍ତ ବନ୍ଧରେ ଉନ୍ନତ ଧରଣର ଜଳକ୍ରୀଡ଼ା ପାର୍କ ଓ ଚିତବିନୋଦନ କେନ୍ଦ୍ର କରାଯିବାର ବ୍ୟବସ୍ଥା ରହିଥିବା ପୌର କର୍ତୁପକ୍ଷଙ୍କ ସୁତ୍ରରୁ ଜଣାପଡ଼ିଛି । ଏପରିକି ସଂପୃକ୍ତ ସ୍ଥାନର ୨ଶହ ମିଟର ପରିଧି ମଧ୍ୟରେ ବାରାହୀ ପାହାଡ଼ରେ ଅବସ୍ଥାପିତ ମା’ କନକଦୁର୍ଗାଙ୍କ ମନ୍ଦିର ସମେତ, ଗାୟତ୍ରୀ ମନ୍ଦିର ଓ ପ୍ରେସ୍ କ୍ଳବ ରହିଛି । ମା’ କନକଦୁର୍ଗାଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ସକାଶେ କୋଟି କୋଟି ଟଙ୍କାର ଅନୁଦାନ ରାଶି ଯୋଗାଇ ଦିଆଯାଇଛି । ଯାହାକି, ବର୍ତମାନ ଓଡ଼ିଶା ପର୍ଯ୍ୟଟନ ବିଭାଗର ଏକ ବେଶ୍ ଦର୍ଶନୀୟ ସ୍ଥାନ ଭାବେ ବିକଶିତ କରିବା ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ସଂପୃକ୍ତ ସ୍ଥାନରେ ଠିପିଖୋଲା ମଦ ଦୋକାନ କରିବା ସକାଶେ ଅନୁମତି ପ୍ରଦାନ କରିବା ଦ୍ୱାରା ପର୍ଯ୍ୟଟନକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ସଂପୃକ୍ତ ସ୍ଥାନରେ ଠିପିଖୋଲା ମଦ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ ନକରିବାକୁ ଅଂଚଳବାସୀ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ