ହିଞ୍ଜିଳିକାଟୁରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା: ଅଞ୍ଚଳରେ ଭୟର ବାତାବରଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ପ୍ରବଣ ଗଞ୍ଜାମ ଜିଲ୍ଲାର ସ୍ଥିତି ସମ୍ପୁର୍ଣ୍ଣ ଅଣାୟତ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୬ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୭ ଛୁଇଁଛି । ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ତଥା ଜିଲ୍ଲାର ଏକମାତ୍ର ପୌରପାଳିକା ହିଞ୍ଜିଳିକାଟୁ ସହର ମଧ୍ୟ ଏଥିରୁ ବାଦ୍ ପଡ଼ିନି ।ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ମଧ୍ୟ ବହୁ ବ୍ୟକ୍ତିଙ୍କ ଶରୀରରେ କରୋନା ଲକ୍ଷଣ ରହିଥିବା ଏବଂ ସଂକ୍ରମିତ ରହିଥିବା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସୁତ୍ରରୁ ସୂଚନା ମିଳିଛି । ସ୍ଥାନୀୟ ବ୍ଳକର ବିଭିନ୍ନ ପଂଚାୟତରେ ସ୍ଥିତି ନିୟନ୍ତ୍ରାଣଧିନ ରହିଥିବା କୁହାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସଂକ୍ରମିତଙ୍କ ସଂଖ୍ୟା ବହୁ ଅଧିକ ରହିଥିବା ଏବଂ କିଛି ବ୍ୟକ୍ତି ଜାଣିଶୁଣି ରୋଗକୁ ଲୁଚାଉଥିବା ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ରବିବାର ସ୍ଥାନୀୟ ଅଂଚଳର ଆଗ ଧାଡ଼ିର ୨କରୋନା ଯୋଦ୍ଧାଙ୍କ ପଜିଟିଭ ଚିହ୍ନଟ ପରେ ସେମାନଙ୍କୁ ଚିକିତ୍ସା ସକାଶେ କୋଭିଡ଼-୧୯ ହସପିଟାଲରେ ଭର୍ତି କରାଯାଇଛି । ରବିବାର ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ୫ଜଣ କରୋନାରେ ଚିହ୍ନଟ ହୋଇଥବା ବେଳେ ମଙ୍ଗଳବାର ୨୨ ଜଣ କରୋନାେ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସ୍ଥାନୀୟ ପୌର ପରିଷଦର ଜଣେ ଅଧିକାରୀ ଓ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ପଜିଟିଭ ଜଣାପଡ଼ିବା ପରେ ଚିକିତ୍ସା ସକାଶେ କୋଭିଡ଼-୧୯ ହସପିଟାଲରେ ଭର୍ତି କରାଯାଇଛି । ପୂର୍ବରୁ ସ୍ଥାନୀୟ ପୌରାଂଚଳର ଜଣେ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇ ଭୂବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ଆଉ ଜଣେ ସାମ୍ବାଦିକ କରୋନା ଆକ୍ରାନ୍ତ ହୋଇ କୋଭିଡ଼-୧୯ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନୁରୁପ ଭାବେ ସ୍ଥାନୀୟ ସମ୍ବନ୍ନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ଜଣେ କର୍ମଚାରୀ, ଉପଖଣ୍ଡ ଚିକିତ୍ସାଳୟର ଆଉ ଜଣେ କର୍ମଚାରୀ (ପୂର୍ବରୁ ଜଣେ ଆଟେଣ୍ଡାଂଟ ପଜିଟିଭ ଥିଲେ), ଜଣେ ଜନପ୍ରତିନିଧିଙ୍କ ସ୍ୱାମୀ, ଥାନାର କର୍ମଚାରୀଙ୍କ ଶରୀରରେ କରୋନା ଲକ୍ଷଣ ଥିବା ଦେଖିବାକୁ ମିଳିଛି । ଲକ୍ଷଣ ଦେଖାଯାଇଥିବା ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ଗୋଷ୍ଠୀ ସଂକ୍ରମଣକୁ ଆଖି ଆଗରେ ରଖି ପୌର ପ୍ରଶାସନ ପକ୍ଷରୁ ଗତ ୨୮ ତାରିଖ ଠାରୁ ପୌରାଂଚଳର ୪ଟି ୱାର୍ଡ଼, ୫୯ ନଂ ଜାତୀୟ ରାଜପଥର ମୁଖ୍ୟ ରାସ୍ତା ଓ ୩୬ ନଂ ରାଜ୍ୟ ରାଜପଥ ତରାତରିଣୀ ମୁଖ୍ୟ ରାସ୍ତାକୁ କଂଟେନମେଂଟ ଜୋନ ଓ ପୌରାଂଚଳର ୩ କିମି ପରିଧି ପର୍ଯ୍ୟନ୍ତ ଅଂଚଳକୁ ବପରଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ୫ଟି ଗ୍ରାମାପଂଚାୟତକୁ କେଂଟନମେଂଟ ଓ ୩ ପଂଚାୟତକୁ ବଫରଜୋନ ଘୋଷଣା କରାଯାଇଛି ।ଅନ୍ୟପକ୍ଷରେ କରୋନକୁ ପ୍ରତିହିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବହୁ କଟକଣା ଜାରି କରାଯାଇଥିଲେ ମଧ୍ୟ ବହୁ ବ୍ୟବସାୟୀ ପ୍ରଶାସନର କଟକଣାକୁ ଫୁ’ କରି ଲୁଚାଛପାରେ ବହୁ ଲୋକଙ୍କୁ ରୁଣ୍ଡ କରି ବେପାର ବଣିଜ କରୁଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିକୁ ନେଇ ସ୍ଥାନୀୟ ଅଂଚଳରେ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ