ହିଞ୍ଜିଳିକାଟୁରେ ମଶାଙ୍କ ରାଜ୍ : ପୌର ପ୍ରଶାସନର ନିଦ ଭାଙ୍ଗିବ କେବେ ?

ହିଞ୍ଜିଳିକାଟୁ (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଗତ କିଛି ଦିନ ହେଲା ମଶାଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ସଂଜ ନଇଁଲେ ମଶା ଦଂଶନରେ ହିଂଜିଳିବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି । ସନ୍ଧ୍ୟା ସମୟରେ ହିଂଜିଳିକାଟୁରେ ଏବେ ମଶାଙ୍କ ରାଜ ଚାଲିଛି କହୌିଲେ ଅତ୍ୟୁକ୍ତି ହେବ ନାହିଁ । ମଶା ଦାଉରୁ ରକ୍ଷା ପାଇବା ଲାଗି ହିଂଜିଳିବାସୀ ଉପାୟ ଖୋଜୁଛନ୍ତି । ମଶା ବଂଶ ଦମନ ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି । ହିଂଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟରେ ଥିବା ଚିଫା ମେସିନ ଅଚଳ ହୋଇ ଖତ ଖାଉଛି । ମଶା ବଂଶ ବୃଦ୍ଧି ଏବଂ ଲାଭା ନଷ୍ଟ କରିବା ନେଇ ତେଲ ମଧ୍ୟ ନିୟମିତ ଡ଼୍ରେନ ଗୁଡ଼ିକରେ ପକାଯାଉନଥିବା ଜଣାପଡ଼ିଛି । ଯାହା ଫଳରେ ବହୁ ବ୍ୟକ୍ତି ମଶା ଦଂଶନରେ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପରିବେଶ ସଫା କରିବା ଜରୁରୀ ହୋଇପଡ଼ିଛି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳ ଗୁଡ଼ିକରେ ଗତ କିଛି ଦିନ ହେଲା ମଶା ବଂଶ ବୃଦ୍ଧି ପାଇବା ସାଙ୍ଗକୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବଢିବାରେ ଲାଗିଛି । ପ୍ରଶାସନର ମ୍ୟାଲେରିଆ ନିରାକରଣ ଯୋଜନା ବାଟବଣା ହୋଇପଡ଼ିଛି । ପ୍ରଶାସନ ପକ୍ଷରୁ ମ୍ୟାଲେରିଆ ନିରାକରଣ ଯୋଜନା ସଫଳତାର ସହ ଚାଲିଛି ବୋଲି ଡ଼ିଣ୍ଡିମ ପିଟା ଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ପୌରାଂଚଳର ବିଭିନ୍ନ ନାଳ ନର୍ଦ୍ଧମା ଗୁଡ଼ିକରେ ମାସ ମାସ ଧରି କେମିକାଲ ମିଶ୍ରିତ ଲାର୍ଭା କିଲର ପକାଯାଉନାହିଁ । ଅନ୍ୟପକ୍ଷରେ ସହରାଂଚଳ ସମେତ ଗ୍ରାମାଂଚଳ ଗୁଡ଼ିକରେ ମଧ୍ୟ ମଶା ଧୂଆଁ ଛଡ଼ାଯାଉଡନଥିବାରୁ ମଶା ବଂଶ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୌରାଂଚଳର ବିଭିନ୍ନ ସାହି ବସ୍ତିର ଡ଼୍ରେନ ଗୁଡ଼ିକ ଉପରେ ବହୁ ବ୍ୟକ୍ତି ପ୍ଲେଟ ପକାଇ ଅବରୋଧ କରି ରଖିଥିବା ଯୋଗୁଁ ମାସ ମାସ ଧରି ଡ଼୍ରେନ ଗୁଡ଼ିକରେ ଅଳିଆ ଆବର୍ଜନା ଜମାଟ ବାନ୍ଧି ମଶା ବଂଶ ବୃଦ୍ଧି ହେଉଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ହିଂଜିଳିକାଟୁ ଅଂଚଳରେ ମ୍ୟାଲେରିଆ ନିରାକରଣ ପାଇଁ ପଦକ୍ଷେପ ନେବା ସାଙ୍ଗକୁ ବ୍ୟପକ ଜନସଚେତନତା ସୃଷ୍ଟି ନକଲେ ଆଗାମୀ ଦିନରେ ହିଂଜିୀଳିକାଟୁ ଏକ ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ପରିଗଣିତ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ