ହିଞ୍ଜିଳିକାଟୁରେ ରେଭିନ୍ୟୁ ଷ୍ଟାମ୍ପ କଳାବଜାରୀ 

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ଡ଼ାକଘର ଓ ଉପଡ଼ାକଘରେ ଗତ ୧୫ ଦିନ ଧରି ରେଭିନ୍ୟୁ ଷ୍ଟାମ୍ପ ମିଳୁନଥିବାରୁ ସହରବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଯାହାର ସୁଯୋଗ ନେଇ ଦଲାଲ ଓ କିଛି ଖଳ ପ୍ରକୃତିର ବ୍ୟବସାୟୀ ସକ୍ରିୟ ହୋଇ କଳାବଜାର ଆରମ୍ଭ କରିଛନ୍ତି । ବାହାରେ ଗୋଟିଏ ରେଭିନ୍ୟୁ ଷ୍ଟାମ୍ପ ଟଙ୍କାଏ ବଦଳରେ ୫ଟଙ୍କାରେ ବିକ୍ରି ହେଉଛି । ନିରୁପାୟ ଜନସାଧାରଣ ବି କିଣିବାକୁ ବାଧ୍ୟ ହେଉଥିବା ବେଳେ ଏହା ଉପରେ ରୋକ୍  ଲଗାଇବାକୁ ପ୍ରଶାସନ ଉଦ୍ୟମ କରୁନି ।  ସେପଟେ ଡ଼ାକଘରେ ଷ୍ଟାମ୍ପ ମିଳୁନଥିବାରୁ ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ପ୍ରକାଶ ଯେ, ଏକ ଟଙ୍କା ମୂଲ୍ୟରେ ରେଭିନ୍ୟୁ ଷ୍ଟାମ୍ପ ଡ଼ାକଘରେ ବିକ୍ରି ହୋଇଥାଏ । ପାଂଚ ହଜାରରୁ ଅଧିକ ଟଙ୍କାର ଦେଣନେଣ ହେଲେ ସେଥିରେ ଏହି ଷ୍ଟାମ୍ପର ଆବଶ୍ୟକ ପଡ଼ିଥାଏ । ଷ୍ଟାମ୍ପକୁ ଉକ୍ତ କାଗଜ  ବା ଦଲିଲରେ ସଂଲଗ୍ନ କରି ତାହା ଉପରେ ଦସ୍ତଖତ କରିବାକୁ ପଡ଼ୁଛି । ଯାହା ଫଳରେ ଏହା ଏକ ପ୍ରମାଣ ଭାବେ ପରିଗଣିତ ହେଉଛି । ହିଞ୍ଜିଳିକାଟୁ ସହରରେ ତହସିଲ କାର୍ଯ୍ୟାଳୟ ସମେତ ବିଭିନ୍ନ ବ୍ୟାଙ୍କ ଓ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଛି । ବିଭିନ୍ନ ସ୍ଥାନରେ ଏହି ଷ୍ଟାମ୍ପ ଆବଶ୍ୟକତା ପଡ଼ୁଥିବା ବେଳେ ଲୋକେ ସ୍ଥାନୀୟ ସହରରେ ଅବସ୍ଥିତ ଡ଼ାକଘର ଓ ଉପଡ଼ାକଘରକୁ ଦୌଡ଼ୁଛନ୍ତି । କିନ୍ତୁ ଷ୍ଟାମ୍ପର ଉପଲବ୍ଧ ହେଉନଥିବାରୁ ସେମାନଙ୍କୁ ହଟହଟା ହେବାକୁ ପଡ଼ୁୂଛି । ବାଧ୍ୟହୋଇ ଲୋକମାନେ ବଜାରର ବିଭିନ୍ନଦୋକାନ ବଜାରରୁ କଳାବଜାରରେ ୫ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ