ହିଞ୍ଜିଳିକାଟୁରେ ସମୁହ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣ ଆଶଙ୍କାକୁ ପ୍ରତିହିତ କରିବା ପାଇଁ ଗଂଜାମ ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ କହିଥିଲେ । ଏହି ଅବସରରେ ଗୁରୁବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଂଜିଳିକାଟୁ ବ୍ଳକର ସାରୁ ପଂଚାୟତରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୁରୁବାର ସ୍ଥାନୀୟ ବ୍ଳକ ସାରୁ ପଂଚାୟତ କାର୍ଯ୍ୟାଳୟରେ ପଂହଚି ଆଇସୋଲେସନ କେନ୍ଦ୍ର ବୁଲି ଦେଖିବା ସହ ଆବଶ୍ୟକୀୟ ସୁବିଧା ସୁଯୋଗ ଅଛି କି ନାହିଁ ତଦାରଖ କରିଥିଲେ । ଉପସ୍ଥିତ ଅଙ୍ଗନୱାଡ଼ି, ଆଶା କର୍ମୀ, ଏଏନଏମ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସଂପୃକ୍ତ ଗ୍ରାମର ରବିନ୍ଦ୍ର ନାୟକ ଓ ଯୋଗେନ୍ଦ୍ର ନାୟକଙ୍କ ଘରେ ପଂହଚି ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ, କରୋନା ଭୁତାଣୁ , ଗତ କିଛି ଦିନ ମଧ୍ୟରେ ପରିବାରର କେହି ସଦସ୍ୟ ଥଣ୍ଡା, କାଶରେ ପୀଡ଼ିତ ଅଛନ୍ତି କି ନାହିଁ ଏବଂ ବାହାର ରାଜ୍ୟରେ ପରିବାରର କୌଣସି ସଦସ୍ୟ ରହୁଛନ୍ତି କି ନାହିଁ ପଚାରି ବୁଝିଥିଲେ । ପ୍ରତ୍ୟେକ ରାଜସ୍ୱ ଗ୍ରାମ ଓ ସହରାଂଚଳର ପ୍ରତ୍ୟେକ ୱାର୍ଡ଼ ଲାଗି ଗୋଟିଏ ଲେଖାଏଁ ୫ ଜଣିଆ ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ଅଙ୍ଗନୱାଡ଼ି କର୍ମୀ, ଆଶ କର୍ମୀ, ନିକଟସ୍ଥ ବିଦ୍ୟାଳୟର ଜଣେ ଶିକ୍ଷକ ଓ ସ୍ୱାସ୍ଥ୍ୟ ସୁପରଭାଇଜରଙ୍କୁ ନିଯୁକ୍ତି କରାଯାଇଛି । ଉକ୍ତ ଟିମ୍ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ । ନିର୍ଦ୍ଧିଷ୍ଟ ଫର୍ମରେ ପରିବାରର ସଦସ୍ୟଙ୍କ ନାମ, ଟେଲିଫୋନ ନମ୍ବର ଏବଂ ସଂପୃକ୍ତ ପରିବାରର କୌଣସି ସଦସ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଅଛନ୍ତି କି ନାହିଁ ତାହା ଉଲ୍ଲେଖ କରାଯିବ ବୋଲି କହିଥିଲେ । ଯଦି କୌଣସି ବ୍ୟକ୍ତି ଜ୍ଜର, କାଶ ଆଦିରେ ପୀଡ଼ିତ ଥାଆନ୍ତି, ତେବେ ସେମାନଙ୍କ ଅଧିକ ଚିକିତ୍ସା ଓ ପରୀକ୍ଷା କରାଯିବ । ଫଳରେ କରୋନାର ଯଦି କିଛି ସୁପ୍ତ ବାହାକ ଥିବ ତାହା ନିର୍ଦ୍ଧିଷ୍ଟ ଭାବେ ଚିହ୍ନଟ କରିବାରେ ସହଜ ହୋଇ ପାରିବ ବୋଲି ଜିଲ୍ଲାପାଳ କୁଲାଙ୍ଗେ କହିଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ତହସିଳଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ପାତ୍ର, ସମିତିସଭ୍ୟ ବାବୁଲା ସାହୁ, ବିଇଓ ବସନ୍ତ କୁମାର ପଣ୍ଡା, ସହକାରୀ ଯନ୍ତ୍ରୀ ପ୍ରମୋଦ ନାୟକ, ଏବିଇଓ ବିଶ୍ୱନାଥ ମହାରଣା, ଅଙ୍ଗନୱାଡ଼ି ସୁପରଭାଇଜର କିରଣବାଳା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ