ହିଞ୍ଜିଳିକାଟୁ ପୋୖରାଞ୍ଚଳରେ ପାନୀୟ ଜଳଯୋଗାଣରେ ଅବ୍ୟବସ୍ଥା କଳ ଅଛି ଜଳ ନାହିଁ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସହରବାସୀଙ୍କୁ ଉତ୍ତମ ପାନୀୟ ଜଳଯୋଗାଣ ସକାଶେ କାର୍ଯ୍ୟକାରୀ ହେଉଛି ସହରାଞ୍ଚଳ ଜଳ ଯୋଗାଣ ବ୍ୟବସ୍ଥା।ହେଲେ ସମ୍ପୃକ୍ତ ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ଉତ୍ତମ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଯେ କିପରି କାର୍ଯ୍ୟକାରୀ ହେଉଛି ତାହା ବିଭିନ୍ନ ୱାର୍ଡରେ ଯୋଗାଣ ହେଉଥିବା ପାନୀୟ ଜଳ ଓ ଜନ ସାଧାରଣଙ୍କ ପ୍ରତିକ୍ରିୟା ଓ ଅସନ୍ତୋଷରୁ ଜଣା ପଡିଛି।ସହରବାସୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପାନୀୟ ଜଳଯୋଗାଣ ଲାଗି ପାଣି ଟାଙ୍କି ନିର୍ମିତ ହୋଇ ଘରକୁ ଘର ପାଇପ ସଂଯୋଗ ହୋଇଛି।କିନ୍ତୁ ଆବଶ୍ୟକ ଅନୁସାରେ ସହରର ବିଭିନ୍ନ ସାହି ବସ୍ତିରେ ଦିନକୁ ଥରେ ମାତ୍ର ୧୫ ମିନଟ ପାଇଁ ପାନୀୟ ଜଳଯୋଗାଣ କରୁଛି ଜନ ସ୍ଵାସ୍ଥ୍ୟ ବିଭାଗ।ଫଳରେ ସାଧାରଣ ଲୋକଙ୍କ ଶୋଷ ମେଣ୍ଟୁନଥୁବା ସହ ଆବଶ୍ୟକ ଅନୁସାରେ ପାଣି ସଂଗ୍ରହ କରିବା ପାଇଁ ବସ୍ତି ବାସିନ୍ଦା ଡହକ ବିକଳ ହେଉଥିବା ଅଭିଯୋଗ ହୋଇଛି।ସହରାଞ୍ଚଳ ପାନୀୟ ଜଳଯୋଗାଣର ଏପରି ବିକଳ ଚିତ୍ର ଓ ଏଥିରୁ ଉତ୍ପନ୍ନ ବିଷମ ପରିସ୍ଥିତି ସହରର ବିଭିନ୍ନ ବସ୍ତିରେ ଦେଖିବାକୁ ମିଳିଛି ।୨୦୧୩ ମସିହାରେ ସହରକୁ ସ୍ୱଛ ପାନୀୟଜଳ ଯୋଗାଇବା ନିମନ୍ତେ ହିଞ୍ଜିଳି ଜନସ୍ୱାସ୍ଥ୍ୟ ବିଭାଗ ଓ ପୂର୍ବରୁ ଏନଏସି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।ହିଞ୍ଜିଳିକାଟୁରେ ତ୍ୱରିତ ପାନୀୟ ଜଳଯୋଗାଣ ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୨୦୧୨ ମସିହା ଅଗଷ୍ଟ ୧୮ ରିଖରେ ଏହି ପ୍ରକଳ୍ପ ଲୋକାର୍ପିତ କରିଥିଲେ।କିନ୍ତୁ ଅତି ପରିତାପର ବିଷୟ ସ୍ୱଛ ଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ମଧ୍ୟ ସାଧାରଣଜନତାଙ୍କୁ ଆବଶ୍ୟକ ପିଇବା ପାଣି ମିଳୁ ନ ଥିବା ନେଇ ଅଭିଯୋଗ କରିଛନ୍ତି । ଦୀର୍ଘ ୧୦ ଦିନରୁ ଉର୍ଦ୍ଧ୍ବ ହେବ ସହରର ପାଟଣା ସାହି ବାସିନ୍ଦା ମାତ୍ର ୧୫ ମିନଟ ପାଇଁ ଜଳ ଯୋଗାଣ ହେଉଥିବା ସମ୍ପର୍କରେ ଅଭିଯୋଗ କରିଛନ୍ତି।ଯଦିବା ଜଳ ଯୋଗାଣ ହେଉଛି ତାହା ଅତି କ୍ଷୀଣ ଧାରରେ ପାଣି ଆସୁଥିବା ସେମାନେ ଅଭିଯୋଗ କରିଛନ୍ତି ।ପୋୖରାଞ୍ଚଳର ହିଞ୍ଜିଳି,ରେଗିଡ଼ିସାହି,ମୋହନ କଲୋନି,ମୁଖ୍ୟ ବଜାର ୧୬ ନଂ ୱାର୍ଡ ରେ ଭଲ ଭାବରେ ପାନୀୟ ଜଳଯୋଗାଣ ହେଉ ନ ଥିବା ସମ୍ପୃକ୍ତ ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।ସମ୍ପ୍ରତି ସହରବାସୀଙ୍କ ଆବଶ୍ୟକତା କୁ ପୂରଣ କରିବା ପାଇଁ ହିଞ୍ଜିଳକାଟୁ ମେଣ୍ଢାଖାଇ ପାହାଡ଼ ଓ ବରାହୀ ପାହାଡ଼ରେ ୨ ଟି ଓଭର ହେଡ଼ ଟ୍ୟାଙ୍କ ସହ ୪ଟି ଭୁତଳ ଟ୍ୟାଙ୍କ ବିଭାଗ ପକ୍ଷରୁ ନିର୍ମିତ ହୋଇଛି।ଆଙ୍କୋରଡ଼ା ଗ୍ରାମରେ ଜଳ ଯୋଗାଣ ସମ୍ପୃକ୍ତ ଗ୍ରାମରେ ଅନ୍ୟ ଏକ ଓଭର ହେଡ଼ ଟାଙ୍କି ନିର୍ମିତ ହୋଇଛି । ଘୋଡ଼ାହଡ଼ ନଦୀ ପଠାରୁ ପୁରାତନ ବୋର ଯୋଗେ ବଇଂଚବଣିଆ, ମାଣିକନଗର ଓ ଗାୟତ୍ରି ନଗର କୁ ପାନିୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ।କିନ୍ତୁ ଜନ ସ୍ଵାସ୍ଥ୍ୟ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ କ୍ଷେତ୍ରୀୟ ଅଧିକାରୀଙ୍କ ସମେତ ନିୟୋଜିତ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ହିଞ୍ଜିଳି ମୁନିସିପାଲିଟି ର ଅଧିକାଂଶ ୱାର୍ଡ଼ବାସୀ ସ୍ୱଚ୍ଛ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି।ସେହିପରି ସୋମପୁର ରୁଖିସାହି,ଜୟ ହିନ୍ଦ ନଗରକୁ ନିୟମିତ ପାଣି ମିଳୁ ନ ଥିବା ଧୋବା ଗୈଡ,ପ୍ରତାପ ଗୈଡ,ଭୂବନି ସେଠୀ ,ସୀମାଞ୍ଚଳ ପ୍ରଧାନ ଓ ଏନ ଜିତେନ୍ଦ୍ର ଅଭିଯୋଗ କରିଛନ୍ତି ।ରୁଖିର ରୋଡ ପୁର୍ବ ପଟ ପୋଚିଲିମା ପଞ୍ଚାୟତରେ ଅନ୍ତର୍ଭୁକ୍ତ ହୋଇ ଥିଲା ବେଳେ ସେଠାରେ ପଞ୍ଚାୟତ ବାସୀଙ୍କୁ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ଘରକୁ ଯୋଗାଣ ହେଉଥିବା ବେଳେ ପୋୖରାଞ୍ଚଳରେ ଏଭଳି ନିଅଣ୍ଟିଆ ପରିସ୍ଥିତି ଲାଗି ରହିଛି ।ସ୍ଥାନୀୟ ଜନସ୍ୱାସ୍ଥ୍ୟବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।କେବଳ କାମ ଚାଲିଛି ଓ ମୁଁ ଦେଖୁଛି ଏହି କିଛି ପଦ କଥା ଜନସ୍ଵାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କଠାରୁ ସାନ୍ତ୍ୱନାବାଣୀ ଶୁଣିବାକୁ ମିଳୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।ଅଧୁନା ରାଜ୍ୟ ସରକାର ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ସ୍ଳୋଗାନ ଦେଉଥିବା ବେଳେ ସହରରେ ପାନୀୟ ଜଳଯୋଗାଣର ଅଭାବ ଯୋଗୁଁ ଲୋକଙ୍କ ଚିନ୍ତା ବଢୁଛି।ଏନେଇ ଜନ ସ୍ଵାସ୍ଥ୍ୟ ବିଭାଗର ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ଇଂ ଶ୍ରୀଧର ଦାସଙ୍କ ସହ ଯୋଗାଯୋଗ ବେଳେ ସହରର ଆବଶ୍ୟକତା ଅନୁସାରେ ଜଳ ଯୋଗାଣ ହେଉଛି।କିନ୍ତୁ ବର୍ଷା ଯୋଗୁଁ ନଦୀରେ ଗୋଳିଆ ଜଳ ପ୍ରବାହିତ ହେଉଥିବା କାରଣରୁ ସହରରେ ଗୋଳିଆ ପାଣି ଯୋଗାଣ ହେଉଥିବା ସେ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟ ପକ୍ଷରେ ସଂପୃକ୍ତ ଗ୍ରାମବାସୀଙ୍କ ଘରକୁ ଯୋଗାଇ ଦିଆଯାଇଥିବା ପାନୀୟ ଜଳ ସକାଶେ ଟ୍ୟାପ ବ୍ୟବହାର କରୁନଥିବା ଯୋଗୁଁ ବହୁ ସମୟରେ ଯୋଗାଣ ହେଉଥିବା ପାନୀୟ ଜଳ ବ୍ୟବହୃତ ହୋଇନପାରି ନଷ୍ଟ ହେଉଛି । ସୋମପୁର ଗ୍ରାମରେ ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ୨ଟି ଓଭରହେଡ ପାଣିଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଁଚିଛି । ଯଥାଶୀଘ୍ର ନିର୍ମାଣ କରାଯାଇ ଗ୍ରାମବାସୀଙ୍କୁ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।

 
            
