ହିଞ୍ଜିଳିକାଟୁ ପୌରାଂଚଳରେ ୨ମୃତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହାମାରୀ କରୋନା ଭୁତାଣୁ ସଂକ୍ରମଣରେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ଆସୁଛି । ଗତ ଦୁଇ ଦିନରେ ହିଞ୍ଜିଳିକାଟୁ ପୌରାଂଚଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୧୦ ତାରିଖରେ ପୌରାଂଚଳ ରଜା ସାହି ବାସିନ୍ଦା ସତ୍ୟ ନାରାୟଣ ସାହୁ (୭୧) ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ ।ପରିବାର ସଦସ୍ୟ ବହୁ ଚେଷ୍ଟା କରିବା ପରେ ମଧ୍ୟ ବୃଦ୍ଧଙ୍କୁ ଚିକିତ୍ସା ସକାଶେ କୌଣସି ଗାଡ଼ିରେ ଡ଼ାକ୍ତରଖାନାକୁ ନେଇ ପାରିନଥିଲେ । ପରେ ବୃଦ୍ଦଙ୍କ ସାନ ପୁଅ ଏକ ଭିଡ଼ିଓ ଉତୋଳନ କରି ସାମାଜିକ ଗଣମାଧ୍ୟମରେ ଭିଡ଼ିଓକୁ ଅପଲୋଡ଼ କରିଥିଲେ । ଭିଡ଼ିଓ ଭାଇରାଲ ପରେ ବିଡ଼ିଓ ପ୍ରସନ କୁମାର ପାତ୍ର ତୁରନ୍ତ ଏକ କୋଭିଡ଼ ଆମ୍ଭୁଲାନ୍ସ ପଠାଇ ବୃଦ୍ଧଙ୍କୁ ସ୍ଥାନୀୟ କୋଭିଡ଼-୧୯ ହସପିଟାଲରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ସକାଶେ ଶୀତଳାପଲ୍ଲୀ କୋଭିଡ଼ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧିନ ସମୟରେ ରବିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା । ସେହିପରି ପୌରାଂଚଳ କେଉଟ ସାହି ବାସିନ୍ଧା ଯୋଗି ବେହେରା (୪୨)ରବିବାର ରାତିରେ ଘରେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ପରିବାର ସଦସ୍ୟ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ସ୍ଥାନୀୟ କୋଭିଡ଼-୧୯ ଓ ପରେ ଶୀତଳାପଲ୍ଲୀ କୋଭିଡ଼ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧିନ ସମୟରେ ସୋମବାର ପୂର୍ବାହ୍ନରେ ମୃତ୍ୟୁ ଘଟିଥିଲା । ଦୁହିଁଙ୍କ ମୃତ୍ୟୁର କାରଣ ସଠିକ ଜଣାପଡ଼ିନଥିଲେ ମଧ୍ୟ କରୋନା ମୃତ୍ୟୁ ସନ୍ଦେହ କରି ଅଂଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।