ହିଞ୍ଜିଳିକାଟୁ ପୌର ନିର୍ବାଚନ : ୫ମ ଦିବସରେ ଜଣେ ଅଧ୍ୟକ୍ଷ ଓ ୫କାଉନସିଲରଙ୍କ ନାମାଙ୍କନ ଦାଖଲ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ରାଜନୀତିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ହିଞ୍ଜିଳିକାଟୁ । ଏହି ନିର୍ବାଚନ ମଣ୍ଡଳୀରୁ ଗତ ୨୦୦୦ ମସିହାରୁ ବିଧାୟକ ରୂପେ ବିଜୟ ମୁକୁଟ ପିନ୍ଧି ନବୀନ ବାବୁ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ପଦବୀରେ ରହି ରାଜ୍ୟ ଶାସନର ମଙ୍ଗ ଧରିଛନ୍ତି। ନବୀନ ବାବୁଙ୍କ ପାଇଁ ହିଞ୍ଜିଳି ଲକି ସାବ୍ୟସ୍ତ ହୋଇଥିଲା ବେଳେ ତାଙ୍କ ବିଜୟ ପର ଠାରୁ ହିଞ୍ଜିଳିକାଟୁ ପୌର ନିର୍ବାଚନ ରାଜନୀତି ସମୀକରଣ ବଦଳି ଯାଇଛି। ଅନ୍ୟାନ୍ୟ ଦଳର ସଂଖ୍ୟା ଖେଳକୁ ଓଲଟାଇ ବିଜେଡି ମେଜିକ ନମ୍ବର ହାସଲ କରି ପୌର ଅଧ୍ୟକ୍ଷ ପଦବୀଟି ନିଜ ଦଖଲରେ ରଖିବାରେ ବେଶ ସଫଳ ହୋଇଛି। ପୂର୍ଵ ଥର ପରି ଚଳିତ ଥର ମଧ୍ୟ ପୌର ଅଧ୍ୟକ୍ଷ ପଦବୀ ନିଜ ଦଖଲରେ ରଖିବା ପାଇଁ ସତର୍କତା ଅବଲମ୍ବନ କରିବା ସହ ଦଳ ପକ୍ଷରୁ ଗୋଟି ଚାଳନା ଆରମ୍ଭ ହୋଇଛି। ସଦ୍ୟ ସମାପ୍ତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେଡି ସପକ୍ଷରେ ବହୁମତ ପ୍ରକାଶ ପାଇଥିଲା। ସଦ୍ୟ ପ୍ରକାଶିତ ନିର୍ବାଚନ ଫଳାଫଳରୁ ଜିଲ୍ଲା ପରିଷଦ ଆସନରେ ବିଜେଡି ପୂର୍ଵ ଥରର ଆସନ ବିରୁଦ୍ଧରେ ଚଳିତ ଥର ସର୍ବାଧିକ ଆସନ ଅକ୍ତିଆର କରି ନିଜ ରେକର୍ଡ ଭାଙ୍ଗିବାରେ ସଫଳ ହୋଇ ବିଜେଡି ଏକ ନୂତନ ଉଦାହରଣ ସୃଷ୍ଟି କରିଛି।ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟର ସମସ୍ତ ପୌର ପରିଷଦ ଓ ମହାନଗର ନିଗମ ନିର୍ବାଚନ ସକାଶେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟର ୧୦୬ ପୌର ସଂସ୍ଥା ଓ ୩ ମହାନଗର ନିଗମର ନିର୍ବାଚନ ଚଳିତ ମାସ ସୁଦ୍ଧା ସମ୍ପନ୍ନ ହେବ।ଗତ ୨ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଦିବସ ଧାର୍ଯ୍ୟ ହୋଇଛି । ଆସନ୍ତା ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବା ପାଇଁ ସ୍ଥିର ହୋଇଥିଲା ବେଳେ ୧୪ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ୨୪ ତାରିଖରେ ମତଦାନ ଏବଂ ୨୬ ତାରିଖରେ ଭୋଟ ଗଣତି ହେବ।ଏଣୁ ନିର୍ବାଚନ ପାଣିପାଗ ବେଶ ସରଗରମ ହୋଇଛି।ଚଳିତ ଥର ବିଜେଡି ଅଦ୍ଭୂତପୂର୍ବ ସଫଳତା ହାସଲ କରି ବିରୋଧୀ ଦଳଙ୍କ ପାଇଁ ଚିନ୍ତାର କାରଣ ପାଲଟି ଥିଲା ବେଳେ ଏବେ ପୌର ଓ ମହାନଗର ନିଗମ ନିର୍ବାଚନ ଉପରେ ସଭିଙ୍କ ନଜର ରହିଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଏକ ମାତ୍ର ପୌର ପରିଷଦ ଭାବେ ମାନ୍ୟତା ପାଇଥିବା ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ପଦବୀ ହାତେଇବା ପାଇଁ ଅଶାୟୀଙ୍କ ତାଲିକା ଲମ୍ବି ଚାଲିଛି।ଚଳିତ ନିର୍ବାଚନରେ ପ୍ରଥମ ଥର ଅଧ୍ୟକ୍ଷ ପଦବୀ ନିର୍ବାଚନ ସିଧାସଳଖ ଅନୁଷ୍ଠିତ ହେବ।ଏହି କ୍ରମରେ ରବିବାର ଅଧ୍ୟକ୍ଷ ପଦବୀ ସକାଶେ କମ୍ୟୁନିଷ୍ଟ ପାର୍ଟିରୁ ନାରାୟଣ ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ସେହିପରି କାଉନସିଲର ସକାଶେ ୩ନଂ ୱାର୍ଡରୁ ନଳିନୀ ପଣ୍ଡା,୪ରୁ ରଞ୍ଜିତା ଚୌଧୁରୀ,୬ରୁ ସୁଚିତ୍ରା ପଣ୍ଡା,୧୨ରୁ ସୁନିତା ମିଶ୍ର ଓ ୧୮ନଂ ୱାର୍ଡରୁ ଉଷା ସେଠୀ ନାମାଙ୍କନ ଦାଖଲ କରିଥିଲେ।ବର୍ତ୍ତମାନ ସୁଦ୍ଧା ଅଧ୍ୟକ୍ଷ ପଦବୀ ପାଇଁ ଜଣେ ମାତ୍ର ନାମାଙ୍କନ ଦାଖଲ କରିଥିବା ବେଳେ ୮ ଜଣ କାଉନସିଲର ପଦବୀ ସକାଶେ ନାମାଙ୍କନ ଦାଖଲ ହୋଇଥିବା ପୌର ପରିଷଦ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।ପ୍ରକାଶ ଥାଉକି ପୌର ପରିଷଦର ୨୧ ୱାର୍ଡର ୨୧ ଟି କାଉନସିଲର ପଦବୀ ସକାଶେ ୨୦ ହଜାର’୬୯୬ ମତଦାତା ସେମାନଙ୍କ ବହୁ ମୂଲ୍ୟ ମତ ସାବ୍ୟସ୍ତ କରିବେ ବୋଲି ଜଣାପଡିଛି।ତେବେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ଥିଲା ବେଳେ ପୌର ନିର୍ବାଚନ ପାଇଁ ବିଜେଡି, ବିଜେପି, କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ରଣନୀତି କିଭଳି ଭୋଟରଙ୍କୁ ପ୍ରଭାବିତ କରିବ ତାହା ହିଁ ଏବେ ସଚେତନ ଭୋଟରଙ୍କ ମଧ୍ୟରେ ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ ପାଲଟିଛି ।