ହିଞ୍ଜିଳିକାଟୁ ପ୍ରବେଶ ପଥ ସିଲ୍

ହିଞ୍ଜିଳିକାଟୁ, (ୱାଇଏନଏସ):କରୋନା ପ୍ରଭାବରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସ୍ଥାନୀୟ ଅଂଚଳରେ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ନେଇ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଗତ ୨୮ ତାରିଖ ଠାରୁ ପୌରାଂଚଳର ୪ଟି ୱାର୍ଡ଼, ୫୯ ନଂ ଜାତୀୟ ରାଜପଥର ମୁଖ୍ୟ ରାସ୍ତା ଓ ୩୬ ନଂ ରାଜ୍ୟ ରାଜପଥ ତରାତରିଣୀ ମୁଖ୍ୟ ରାସ୍ତାକୁ କଂଟେନମେଂଟ ଜୋନ ଓ ପୌରାଂଚଳର ୩ କିମି ପରିଧି ପର୍ଯ୍ୟନ୍ତ ଅଂଚଳକୁ ବଫରଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ୯ଟି ଗ୍ରାମାପଂଚାୟତକୁ କେଂଟନମେଂଟ ଓ ୩ ପଂଚାୟତକୁ ବଫରଜୋନ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲାରେ ବାଇକ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ କରିବା ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତଥାପି କିଛି ଅମାନିଆ ବିନା କାରଣରେ ବାଇକ ଧରି ସହରସାରା ଚକ୍କର କାଟୁଥିବାର ନଜର ରହିଛି । ଅମାନିଆଙ୍କୁ ସାବାଡ଼ କରିବା ଲକ୍ଷ୍ୟରେ ମଙ୍ଗଳବାର ହିଞ୍ଜିଳି ପୁଲିସ ଆକ୍ସନ ମୁଡ଼ରେ ବାହାରିଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ସହରର ଆରଏମସି ଓ ଖଣ୍ଡରା ଛକରେ ନାକାବନ୍ଦୀ କରାଯିବା ସହ ପ୍ରବେଶ ପଥକୁ ସମ୍ପୁର୍ଣ୍ଣ ସିଲ୍ କରି ଦିଆଯାଇଛି ଏବଂ ଯାନବାହାନ ଯାଂଚକୁ କଡ଼ାକଡ଼ି କରାଯାଇଛି । କେବଳ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ବାଦ ଦେଇ ଅନ୍ୟ ସମସ୍ତ ବାଇକ ଚାଳକଙ୍କୁ ଥାନାରେ ଅଟକ ରଖାଯିବା ସହ ଜୋରିମାନା ଆଦାୟ କରାଯାଉଛି । ଜୋରିମାନା ବାବଦରେ ପ୍ରାୟ ୧୬ ହଜାର ଟଙ୍କା ଆଦାୟ କରାଯାଇଥିବା ଥାନା ଆଇଆଇସି ଦାସଙ୍କ ସୁତ୍ରରୁ ପ୍ରକାଶ । ଜରୁରୀ କାର୍ଯ୍ୟ ଦର୍ଶାଇ ଯାତାୟତ କରୁଥିବା ବ୍ୟକ୍ତିଙ୍କ ନାମ, ଠିକଣା ଲିପିବଦ୍ଧ କରାଯାଉଛି । ପୁଲିସ ଡ଼ିଏସପି ତଥା କୋଭିଡ଼ ମନିଟର ହିମାଂଶୁ ବେହେରା ମଙ୍ଗଳବାର ହିଂଜିଳିରେ ପଂହଚି କାର୍ଯ୍ୟର ତଦାରଖ କରିଥିଲେ । ଏଥି ସହ ଥାନା ଭାରପ୍ରାପ୍ତ ଅଧିକାରୀ ଦାସଙ୍କ ନେତୃତ୍ୱରେ ପୁଲିସ ସ୍ଥାନୀୟ ପୌରାଂଚଳର ବ୍ଳକ ଛକ, ଖଣ୍ଡରା ଛକ, ବିଜୁ ପଟ୍ଟନାୟକ ଛକ, ହିଂଜିଳି କାଳୀ ମନ୍ଦିର ଛକରେ ପୁଲିସ ଉପସ୍ଥିତ ରହି ଯାନବାହାନ ଯାଂଚ କଡ଼ାକଡ଼ି କରୁଥିବାର ଦେଖିବାକୁ ମିଳିଥିଲା । ୨ଟି ପୁଲିସ ଗାଡ଼ି ସ୍ଥାନୀୟ ଥାନା ଅଂଚଳର ସମସ୍ତ ଗ୍ରାମରେ ପେଟ୍ରୋଲିଂ କରିବା ସହ ଡ଼ାକବାଜି ଯନ୍ତ୍ର ସହାୟତାରେ ଜନ ସଚେତନତା କରୁଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ