ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରା ଉଦ୍‌ଯାପିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ହିଞ୍ଜିଳିକାଟୁ ଅଂଚଳର ଆରାଧ୍ୟ ଦେବତା ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଯାତ୍ରାକୁ କେବଳ ନୀତିକାନ୍ତି ମଧ୍ୟରେ ସୀମିତ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଧି ମୁତାବକ ପ୍ରତ୍ୟେହ ଠାକୁରଙ୍କୁ ମନ୍ଦିର ପରିସରରେ ହିଁ ପୂଜାର୍ଚ୍ଚନା କରାଯାଉଥିଲା । ସାଧାରଣ ଦର୍ଶନ ସମେତ ଭକ୍ତ ମାନଙ୍କୁ ପୂଜାର୍ଚ୍ଚନା କରିବା ସକାଶେ ମନ୍ଦିର ମଧ୍ୟକୁ ଅନୁମତି ମିଳିନଥିଲା । ପ୍ରତ୍ୟେହ କାଟୁ ରାଜା ସାହେବ ଲଲାଟେନ୍ଧୁ କେଶରୀ ଭଞ୍ଜଦେଓଙ୍କ ପରିବାର ପକ୍ଷରୁ ଠାକୁରଙ୍କୁ ଭୋଗ ସମର୍ପଣ କରାଯାଇଥିଲା । ଯାତ୍ରାତ୍ସୋବ ସକାଶେ ବଡ଼ ରଙ୍ଗଣି ସାହି, ଥାନା ସାହି, କୈବର୍ତ ସାହି ଓ ଦେଓଘର ସାହିକୁ ରଙ୍ଗବେରଙ୍ଗ ବାନା ସାଙ୍ଗକୁ ତୋରଣରେ ସଜ୍ଜିତ କରାଯାଇଥିଲା । ଚଳିତ ବର୍ଷ କୌଣସି ସାହି ବସ୍ତିରେ କଳାକୁଞ୍ଜ ସ୍ଥାପନ କରାଯାଇନଥିବା ବେଳେ ମାନସିକଧାରୀ ବେଶ ମଧ୍ୟ ଦେଖିବାକୁ ମିଳିନଥିଲା । ପ୍ରଶାସନର ନିର୍ଦ୍ଦେଶ ମୁତାବକ କାଟୁ ଯାତ୍ରାର ମୁଖ୍ୟ ଆକର୍ଷଣ ବାଣ ଯାତ୍ରା ଏପରିକି ଠାକୁରଙ୍କୁ ମଧ୍ୟ ନଗର ପରିଭ୍ରମଣ କରାଯାଇନଥିଲା । ବହୁ ଭକ୍ତ ସାମାଜିକ ଦୂରତ୍ୱ ରକ୍ଷା କରି ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦୀପ ପ୍ରଜ୍ଜଳନ କରିବା ସହ ଭୋଗ ଅର୍ପଣ କରୁଥିବାର ଦେଖିବାକୁ ମିଳିଥିଲା । କରୋନା ଯୋଗୁଁ ଚଳିତ ବର୍ଷ କାଟୁ ଯାତ୍ରା ସମ୍ପୁର୍ଣ୍ଣ ଫିକା ପଡ଼ି ଯାଇଥିବାରୁ ବହୁ ଭକ୍ତଙ୍କ ମନରେ ଅସନ୍ତୋଷ ଭାବ ପ୍ରକାଶ ପାଇଥିଲା । ତେବେ ଆସନ୍ତା ବର୍ଷ ଯାତ୍ରାକୁ ମହା ଆଡ଼ମ୍ବର ସହକାରେ ପାଳନ କରିବା ସକାଶେ ଯାତ୍ରା କମିଟି ସଜବାଜ ହେଉଥିବା ଜଣାପଡ଼ିଛି । ପ୍ରତ୍ୟେହ ସନ୍ଧ୍ୟା ଓ ରାତ୍ର ସମୟରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସ୍ଥାନୀୟ ପୌରାଂଚଳର ବିଭିନ୍ନ ସାହି ବସ୍ତି ବୁଲି ଘଟଣାର ତୀକ୍ଷ୍ମ ନଜର ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ