ହିଞ୍ଜିଳିକାଟୁ ସହରରେ ଅସହ୍ୟ ତାତି : ପାରଦ ୪୧ ଡିଗ୍ରୀ ଛୁଇଁଲା ,ଜନଜୀବନ ଅସ୍ତବ୍ୟସ୍ତ
ହିଂଜିଳିକାଟୁ, (ଶେଷଦେବ ସାହୁ): ବଦଳିଛି ପାଗ । ଦଣ୍ଡଯାତ୍ରା ସରିବା ସହ କାଳବୈଶାଖୀ ତାଣ୍ଡବ ମଧ୍ୟ କମିଛି । ଆଉ ହଠାତ୍ ପାଗରେ ପରିବର୍ତନ ସହ ମୁଣ୍ଡପଟା ଖରା ଏବେ ସାଧାରଣ ଲୋକଙ୍କୁ କଲବଲ କରୁଛି । ସହରର ତାପମାତ୍ରା ୪୧ ଂ ରହିଥିବା ବେଳେ ତତଲା କଡ଼େଇରେ ହିଂଜିଳିକାଟୁ ରହିଛି । ଦିନସାରା ଦେହରୁ ଝାଳ ଶୁଖୁନାହିଁ । ସକାଳ ୧୦ ଟାରୁ ଅପରାହ୍ନ ୫ ଟା ଯାଏଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି । ପ୍ରବଳ ଝାଂଜିପବନ କାରଣରୁ ମୁହଁ ଶିଝିଯାଉଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ଦୋକାନ ବଜାର ଶୁନ୍ଶାନ ରହୁଛି । ଏପ୍ରିଲ ମାସ ଆରମ୍ଭରୁ ଖରାର ପ୍ରକୋପ ଆରମ୍ଭ ହୋଇଥିଲେ ମଧ୍ୟ ମଝିରେ ମଝିରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ କୁଆପଥର ମାଡ଼ କାରଣରୁ ଗ୍ରୀଷ୍ମର ପ୍ରକୋପ ସେଭଳି ଜଣାପଡ଼ିନଥିଲା । ଗତ ୫ ଦିନ ହେଲା ଖରାର ପ୍ରକୋପ ଅହେତୁକ ଭାବେ ବୃଦ୍ଧି ପାଇଛି । ଗତ ୩ ଦିନ ଧରି ସହରର ତାପମାତ୍ରା ୪୦ଂ ରହିଥିବା ବେଳେ ଗତ ଦୁଇ ଦିନ ଧରି ତାପମାତ୍ରା ବୃଦ୍ଧି ପାଇ ୪୧ଂ ରେ ପଂହଚିଛି । ପାଣିପାଗ ବିଭାଗ ସୂଚନା ପ୍ରକାରେ ଏହା ଚଳିତ ମାସ ଶେଷଯାଏଁ ଲାଗିରହିବ । ଆଗକୁ ସ୍ଥାନୀୟ ସହରର ତାପମାତ୍ରା ରେକର୍ଡ଼ ଭାଙ୍ଗିବା ନେଇ ଏବେ ଠାରୁ ଅ।।ଙ୍କା କରାଯାଉଛି । ପ୍ରଚଣ୍ଡ ଖରା ଯୋଗୁଁ ଜଳସ୍ତର କମିବାରେ ଲାଗିଛି । ଗତବର୍ଷ ହିଂଜିଳିକାଟୁ ସହରରେ ତାପମାତ୍ରା ୪୪.୫ଂ ଛୁଇଁଥିଲା । ଆଗକୁ ସହରର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆବଶ୍ୟକ ପରିମାଣରେ ଗଛ ଲଗାଯିବା ସହ ସବୁଜ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉ ନଥିବାରୁ ତାପମାତ୍ରା ବୃଦ୍ଧି ଅନ୍ୟ ଏକ ପ୍ରମୁଖ କାରଣ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।