ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଛାତରୁ ଖସିଲା ପଲସ୍ତର

ଅଳ୍ପକେ ରକ୍ଷା ପାଇଲେ ଶିକ୍ଷାର୍ଥୀ ଓ କର୍ମଚାରୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ବର୍ତମାନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଶନିବାର ମହାବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହାବିଦ୍ୟାଳୟ ଏସଏଏମସ କମ୍ପ୍ୟୁଟର ଲାବ୍ରୋଟାରୀ ପ୍ରକୋଷ୍ଠର ଛାତ ପଲସ୍ତର ଖସି ପଡ଼ିଥିଲେ ମଧ୍ୟ ସୌଭାଗ୍ୟ ବଶତଃ ମହାବିଦ୍ୟାଳୟର କୌଣସି କର୍ମଚାରୀ କିମ୍ବା କୌଣସି ଶିକ୍ଷାର୍ଥୀ ଆହତ ହୋଇନାହାନ୍ତି ।୧୯୬୩ ମସିହାରେ ପ୍ରତିଷ୍ଠିତ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ଗତ ୨୦୧୪ ମସିହାରେ ସ୍ୱଂୟଶାସିତ ମହାବିଦ୍ୟାଳୟର ମାନ୍ୟତା ଲାଭ କରିଥିଲା । ସଂପୃକ୍ତ ସଂୟଶାସିତ ମହାବିଦ୍ୟାଳୟରେ +୨, +୩ ବିଜ୍ଞାନ, ବାଣିଜ୍ୟ, କଳା ସମେତ ବାଣିଜ୍ୟ ଓ ଉଭିଦ ବିଜ୍ଞାନ ସ୍ନାତକତୋର ଶ୍ରେଣୀ ସକାଶେ ଶିକ୍ଷାଦାନ କରାଯାଉଛି । ସର୍ବମୋଟ ୪ ହଜାର ୪ଶହ ଶିକ୍ଷାର୍ଥୀ ପ୍ରତ୍ୟହ ଶିକ୍ଷା ଅଧ୍ୟୟନ ସକାଶେ ଉକ୍ତ ମହାବିଦ୍ୟାଳୟକୁ ଆସିଥାନ୍ତି । ୮୦ ଜଣ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ମଧ୍ୟରୁ ୨୩ ଜଣ କର୍ମଚାରୀ ପରିଚାଳନା କମିଟି ନିୟନ୍ତ୍ରଣରେ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ପରିତାପର ବିଷୟ ଖୋଦ୍ ରାଜ୍ୟ ମୁଖିଆଙ୍କ ଗଡ଼ର ଏକମାତ୍ର ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ବହୁ ଶ୍ରେଣୀ ପ୍ରକୋଷ୍ଟ ଗୁଡ଼ିକ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । କେତେବେଳେ ଯେ, କଣ ଅଘଟଣ ଘଟିବ କହି ହେବ ନାହିଁ । ତେବେ ଶନିବାର ମହାବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ ୨୦୧୦ ମସିହା ଜାନୁୟାରୀ ୩୦ ତାରିଖରେ ଉଦଘାଟିତ ହୋଇଥିବା ମହାବିଦ୍ୟାଳୟ ଏସଏଏମସ କମ୍ପ୍ୟୁଟର ଲାବ୍ରୋଟାରୀ ପ୍ରକୋଷ୍ଠର ଛାତ ପଲସ୍ତର ଖସି ପଡ଼ିଥିଲା । ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ଅଘଟଣ ଘଟିଥିଲେ ସୌଭାଗ୍ୟ ବଶତଃ ମଧ୍ୟ କେହି ଆହତ ହୋଇନାହାନ୍ତି । ଅନ୍ୟପକ୍ଷରେ ମହାବିଦ୍ୟାଳୟର ବହୁ ଶ୍ରେଣୀ ପ୍ରକୋଷ୍ଠ ଗୁଡ଼ିକର ଛାତର ତଳଭାଗ କଂକ୍ରିଟ ଛାଡ଼ି ଲୁହାଛଡ଼ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ କେତେବେଳେ ଯେ କଣ ଅଘଟଣ ଘଟିବ କହିବା ମୁସ୍କିଲ । ମହାବିଦ୍ୟାଳୟ ମରାମତି ସକାଶେ ପରିଚାଳନା କମିଟି ନିକଟରେ ଭରପୁର ଅର୍ଥ ରହିଥିବା ଜଣାପଡ଼ିଛି । ପରିତାପର ବିଷୟ ମହାବିଦ୍ୟାଳୟ ମରାମତି ସକାଶେ ରୂଷା ସ୍ୱତନ୍ତ୍ର ଅନୁଦାନକୁ ଅପେକ୍ଷା କରି ରହିଥିବା ନେଇ ମହାବିଦ୍ୟାଳୟର ଜୈନିକ କର୍ମଚାରୀ ନିଜ ନାମକୁ ଗୋପନ ସର୍ତରେ ଜଣାଇଛନ୍ତି । କିଛି ଅଘଟଣ ଘଟିବା ପୂର୍ବରୁ ସଂପୃକ୍ତ ଶ୍ରେଣୀ ପ୍ରକୋଷ୍ଠ ଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ଅଭିଭାବକ ଓ ଶିକ୍ଷାର୍ଥୀ ମହଲରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ