ହିଞ୍ଜିଳିରୁ ନବୀନଙ୍କ ପ୍ରାର୍ଥୀ ଘୋଷଣା ପରେ କର୍ମୀଙ୍କ ଉତ୍ସାହ ୨୦ ରେ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗତ କିଛି ଦିନ ଧରି ହିଞ୍ଜିଳି ବିଧାନସଭା ଆସନରୁ ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବେ କି ନାହିଁ ଏ ନେଇ ଚର୍ଚ୍ଚା ଜୋର ଧରିଥିଲା । ପରିଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ହିଞ୍ଜିଳି ସମେତ ପଶ୍ଚିମ ଓଡ଼ିଶା ବଡ଼ଗଡ଼ ଜିଲ୍ଲାର ବିଜେପୁର ଆସନରୁ ପ୍ରାର୍ଥୀ ହେବା ନେଇ ଘୋଷଣା ପରେ ହିଞ୍ଜିଳି ନିର୍ବାଚନମଣ୍ଡଳୀର କର୍ମୀଙ୍ତକ ମହଲରେ ବେଶ ଉତ୍ସାହ ଦେଖାଦେଇଛି । ଦୀର୍ଘ ୧୯ ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହେବା ସହ ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରି ଅଂଚଳବାସୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ନବୀନ ବାବୁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ନହେଲେ ବିରୋଧି ବିଜେପି ଓ କଂଗ୍ରେସ ପକ୍ଷରୁ ଏହାର ଭରପୁର ଫାଇଦା ନେବା ପାଇଁ ଋଣକୌଶଳ ପ୍ରସ୍ତୃତ କରି ରାଜନୈତିକ ହଟଚମଟ ସୃଷ୍ଟି କରିବା ନିମନ୍ତେ ଯୋଜନା କରୁଥିବା ବେଳ ସୋମବାର ଦିନ ଶାସକ ବିଜେଡ଼ିର ପ୍ରାର୍ଥୀ ଘୋଷଣା ପରେ ବିରୋଧିଙ୍କ ଏକ ପ୍ରକାର ହୋସ ଉଡ଼ିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସମେତ ବିଜେପୁର ଭଳି ୨ ଟି ଆସନରୁ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହେଉଥିବାରୁ ବିଜୟଲାଭ ପରେ କାଳେ ହିଞ୍ଜିଳି ବିଧାନସଭାରୁ ଇସ୍ତଫା ଦେଇ ଦେଇପାରନ୍ତି ବୋଲି ବହୁ ନବୀନ ପ୍ରେମୀ ସନ୍ଦେହ ପ୍ରକାଶ କରିଛନ୍ତି । ସେ ଯାହା ହେଉନା କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ବିଧାନସଭା ଆସନର ପ୍ରାର୍ଥୀ ହେଉଥିବା ଘୋଷଣା ପରେ ହିଞ୍ଜିଳିକାଟୁ ସମେତ ଶେରଗଡ଼ ବ୍ଳକର ବହୁ କର୍ମୀଙ୍କ ମହଲରେ ଆଶାତୀତ ଉତ୍ସାହ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ଭୂବନେଶ୍ୱରରୁ ଆସି ଅଂଚଳର ଶକ୍ତପୀଠ ମା’ ତରାତାରିଣୀଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ଆର୍ଶୀବାଦ ନେଇ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ବିଶେଷ ସୁତ୍ରରୁ ଜଣାପଡ଼ିଛି । ଏଥି ସକାଶେ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଳକର କିଛି ଛାମୁଆ ନେତାଙ୍କୁ ନବୀନ ବାବୁଙ୍କ ପ୍ରସ୍ତାବକ ରହିବା ନିମନ୍ତେ ଜଣାଇ ଦିଆଯାଇଛି ବୋଲି ଶୁଣିବାକୁ ମିଳିଛି ।
ପ୍ରକାଶ ଥାଉକି, ଗତ ୨୦୦୦ ମସିହା ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ନିର୍ବାଚିତ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ପ୍ରତିନିଧିତ୍ୱ କରିବା ପରେ ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ଏକ ପ୍ରକାର ସତ୍ୱା ହରାଇଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଜଣେ ଅପ୍ରତିଦ୍ୱନ୍ଦି ନେତା ଭାବେ ହିଞ୍ଜିଳି ଆସନରେ ଉଭା ହୋଇଛନ୍ତି । ୨୦୦୦ ମସିହା ସାଧାରଣ ନିର୍ବାଚନ ପରଠାରୁ ଲଗାତାର ୪ ଥର (୨୦୦୦,୨୦୦୦.୨୦୦୯,୨୦୧୪) ବିପୁଳ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନର ପ୍ରାର୍ଥୀ ହେବା ପୂର୍ବରୁ କଂଗ୍ରେସର ଦୁର୍ଗ ଭାବେ ପରିଚିତ ଥିଲା । ହିଞ୍ଜିଳି ବିଧାନସଭାକୁ ବୃନ୍ଦାବନ ନାୟକଙ୍କଗଡ଼ ଭାବେ ପରିଚିତ ଥିଲା । ହିଞ୍ଜିଳି ବିଧାନସଭା ଆସନରୁ ବୃନ୍ଦାବନ ନାୟକ ଲଗାତାର ୭ ଥର ବିଜୟ ଲାଭ କରିଛନ୍ତି । ୨୦୦୦ ମସିହା ନିର୍ବାଚନରେ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ହିଞ୍ଜିଳି ଆସନରୁ ବିଜେଡ଼ି ଟିକଟରେ ନିର୍ବାଚିତ ହେବା ପରେ ୨୦୦୪, ୨୦୦୯, ୨୦୧୪ ମସିଆ ନିର୍ବାଚନରେ ହିଞ୍ଜିଳି ଆସନରୁ ପ୍ରତିଦ୍ୱନ୍ଦିା କରି ବିପୁଳ ଭୋଟରେ ନିର୍ବାଚିତ ହୋଇ ଆସୁଛନ୍ତି ।
ଗତ ୨୦୦୦ ଓ ୨୦୦୪ ମସହା ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ କଂଗ୍ରେସରୁ ଉଦୟନାଥ ନାୟକ ପ୍ରାର୍ଥୀ ହୋଇଥିଲେ । ଗତ ୨୦୦୯ ମସିହା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଉଦୟନାଥ ନାୟକ ବିଜୁ ଜନତା ଦଳର ଆଦର୍ଶ ଓ ନବୀଦ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶାସକ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ୨୦୦୯ ମସିହାରେ ହିଞ୍ଜିଳି ବିଧାନସଭା ଅସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୨୯୪୨ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ କଂଗେସ ପ୍ରାର୍ଥୀ ରାଘବ ପରିଡ଼ା ୧୧୬୬୯ ଓ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ୭୩୮୯ ଭୋଟ ପାଇଥିଲେ । ୨୦୧୪ ମସିହାରେ ହିଞ୍ଜିଳି ବିଧାନସଭା ଅସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୯୨୬୭ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ କଂଗେସ ପ୍ରାର୍ଥୀ ଶିବରାମ ପାତ୍ର ୧୨୬୮୧ ଓ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ୧୨୨୮୩ ଭୋଟ ପାଇଥିଲେ ।
ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ଲାଗି ହିଞ୍ଜିଳି ବିଧାନସଭା ଆସନରୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିବେ ବୋଲି ଅଂଚଳର ଛାମୁଆ ନେତା ତଥା ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ହୃଦୟାନନ୍ଦ ମହାପାତ୍ର, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ତଥା ପୌରାଂଚଳ ଯୁବ ବିଜେଡ଼ି ସଭାପତି ସଂଜୟ କୁମାର ପଣ୍ଡା , ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଅଜୟ କୁମାର ମହାରଣା, ପ୍ୟାରୀ ମେହାନ ପାଢି, ମନୋଜ କୁମାର ସାବତ ପ୍ରମୂଖ ଦୃଢତାର ସହ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ