ହିଞ୍ଜିଳିରେ ଧାନମଣ୍ଡି ଉଦଘାଟିତ , ସାମ୍ବାଦିକଙ୍କୁ ଅଣଦେଖା

ହିିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ): ଚଳିତ ବର୍ଷ ଚାଷୀଙ୍କ ଠାରୁ ଧାନ କିଣିବା ସକାଶେ ହିଂଜିଳିକାଟୁ ବ୍ଳକସ୍ତରୀୟ ଧାନମଣ୍ଡିର ଶୁଭ ଉଦଘାଟନ କରାଯାଇଛି । ଶନିବାର ହିଂଜିଳି ବ୍ଳକ ସମରଝୋଳ ସେବା ସମବାୟ ସମିତିର ଧାନମଣ୍ଡିକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଉପ ଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ହିଂଜିଳି ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ସିଏସଓ ବିଷ୍ଣୁପ୍ରସାଦ ସୁପକାର, ଏସିସିଓ ଉମେଶ ସ୍ୱାଇଁ, ଏଆରସିସି କୁଂଜ ବିହାରୀ ପଟ୍ଟନାୟକ,ବାବା ରାଓ, ବି.ତ୍ରିନାଥ, ଆରଏମସି ସମ୍ପାଦକ ତ୍ରିନାଥ ବିଶ୍ୱାଳ, ଯୋଗାଣ ଅଧିକାରୀ ପୁରଂଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ଅଂଚଳର ଚାଷୀ ମାନଙ୍କ ଧାନ ଯେଭଳି ସୁରୁଖୁରୁରେ କିଣାଯାଇପାରିବ ଓ ଧାନକିଣାର ଗୋଟିଏ ଦିନ ମଧ୍ୟରେ ଚାଷୀ ମାନେ ଯେପରି ସେମାନଙ୍କ ପ୍ରାପ୍ୟ ପାଇପାରିବେ, ସେ ନେଇ ବିଭାଗୀୟ ଅଧିକାରୀ ଗୁରୁତ୍ୱ ପ୍ରଦାନ କରିବାକୁ ଜିଲ୍ଲାପାଳ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ପ୍ରଥମ ଦିବସରେ ଚାଷୀ ଭାଗିରଥୀ ସେଠି ଓ ରଙ୍କ ସେଠିଙ୍କ ଠାରୁ ୯୯.୧୨ କୁଇଂଟାଲ ଧାନ କିଣାଯାଇଥିଲା । ଚଳିତ ବର୍ଷ ସ୍ଥାନୀୟ ବ୍ଳକର ୧୯ଟି ସେବା ସମବାୟ ସମିତି, ଏକ ପାଣି ପଂଚାୟତ ଓ ଗୋଟିଏ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କ ଜରିଆରେ ୨ଲକ୍ଷ ୫୦ କୁଇଂଟାଲ ଧାନ କିଣା ଲକ୍ଷ୍ୟ ରଖାଯାଇଛି ବୋଲି ଯୋଗାଣ ଅଧିକାରୀ ସାହୁ କହିଛନ୍ତି । ସ୍ଥାନୀୟ ଯୋଗାଣ ଅଧିକାରୀଙ୍କ ସହ ମିଲରଙ୍କୁ ମଧୁଚନ୍ଦ୍ରିକା ପଦାରେ ପଡ଼ିଯିବା ଭୟରେ ଧାନମଣ୍ଡି ଉଦଘାଟନ କାର୍ଯ୍ୟକ୍ରମକୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରାଯାଇନଥିବା ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ