ହିଞ୍ଜିଳିରେ ପିଲା ପାଇଁ ଦିନ ଟିଏ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଭର୍ଚୁଆଲ ମାଧ୍ୟମରେ ସ୍ଥାନୀୟ ପୋୖରାଞ୍ଚଳ ସମେତ ବ୍ଳକର ସମସ୍ତ ପଞ୍ଚାୟତରେ ବୁଧବାର ପିଲା ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ସ୍ତରରେ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ପ୍ରଭାତ କୁମାର ପରିଡା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ,ଶିଶୁ ମଙ୍ଗଳ କମିଟି ସଦସ୍ୟ ହରିହର ପାଢ଼ୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ପଞ୍ଚାୟତ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପଣ୍ଡା, ସମସ୍ତ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସୁପରଭାଇଜର, ବିଭିନ୍ନ ସମ୍ପ୍ରଦାୟର କୁଳମୁଖିଆ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି, ଆଶା, ସହାୟିକା ମାନେ ଯୋଗ ଦେଇଥିଲେ। ବିଡ଼ିଓ ଶ୍ରୀ ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ନୀତି ନିୟମ ଓ ବିଧିବ୍ୟବସ୍ଥା ଉପରେ ବିସ୍ତୁତ ଭାବେ ଅବଗତ କରାଇଥିଲେ। ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ପିଲା ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଯେପରି ତୃଣମୂଳସ୍ତରରୁ କାର୍ଯ୍ୟକାରୀ ଓ ଫଳପ୍ରଦ ହେବା ସହ ସମାଜରେ ଏକ ସକରାତ୍ମକ ପରିବେଶ ସୃଷ୍ଟି ହୋଇ ପାରିବ ସେଥିପ୍ରତି ସମସ୍ତଙ୍କ ସହଯୋଗ ଓ ସହଭାଗିତା ନିତ୍ୟାନ୍ତ ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ମୁଖ୍ୟତଃ ଶିଶୁ ମାନଙ୍କ ସୁରକ୍ଷା, ସେମାନଙ୍କ ବଞ୍ଚିବାର ଅଧିକାର, ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ଓ ସେମାନଙ୍କ ଉପରେ ହେଉଥିବା ଅମାନୁଷିକ ହିଂସା ଆଦି ପ୍ରସଙ୍ଗ ଉପରେ ସଚେତନ ସୃଷ୍ଟି କରିବା ସହ ଗୁରୁତ୍ୱାରୋପ କରାଯାଇଥିଲା।ପରେ ବିଡ଼ିଓ ଶ୍ରୀ ଜେନା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।ପୋୖରାଞ୍ଚଳର ୨୧ ଟି ୱାର୍ଡ ଓ ବ୍ଳକର ୨୧ଟି ପଞ୍ଚାୟତରେ ମୋ ଗେଲ୍ହା ଝିଅ ଓ ନିର୍ଭୟକଢି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଲ୍ୟ ବିବାହ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ କନ୍ୟା ସନ୍ତାନ ଜନନୀଙ୍କୁ ସମ୍ବର୍ଦ୍ଧିତ କରି ସଚେତନତା ସୃଷ୍ଟି କରାଯାଇଥିଲା। ହିଞ୍ଜିଳି ବ୍ଳକର ଚାନ୍ଦୁଲି, ଶିକିରି, ପୋଚିଲିମା, ମକରଝୋଳ ଓ ପୁଟିଆ ପଦର ପଞ୍ଚାୟତ ଯେପରି ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଭାବେ ପରିଣତ ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ସମସ୍ତ ସଦସ୍ୟ ପ୍ରତିଶୃତି ଦେଇଥିଲେ। ଉଭୟ ପୋୖରାଞ୍ଚଳ ଓ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇ ସଫଳ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଗୁରୁତ୍ୱାରୋପ କରାଯାଇ ଥିଲା। କାର୍ଯ୍ୟକ୍ରମରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ପାତ୍ର କୋଭିଡ ନିୟମ ଅନୁଯାୟୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

 
            
