ହିଞ୍ଜିଳିରେ ବଢୁଛି ନିଶା କାରବାର: ଅବକାରୀ ବିଭାଗ ନିରବଦ୍ରଷ୍ଟା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଦିନକୁ ଦିନ ଚୋରା ନିଶା କାରବାର ବୃଦ୍ଧି ପାଉଥିବା ଜଣାପଡିଛି । ସ୍ଥାନୀୟ ଅବକାରୀ ଥାନାର ବିଭିନ୍ନ ସ୍ଥାନରେ ନିଶା କାରବାର ଅହେତୁକ ଭାବେ ବୃଦ୍ଧି ପାଉଥିବା ନେଇ ସୂଚନା ମିଳିଛି।ଏପରିକି ବିଭାଗ ପକ୍ଷରୁ ଅନୁମତି ମିଳିଥିବା କିଛି ହାତ ଗଣତି ଶାଖା ଦୋକାନ ବ୍ୟତୀତ ପାନ ଦୋକାନ, ଫାଷ୍ଟଫୁଡ, ଜଳଖିଆ ଦୋକାନ, ଔଷଧ ଦୋକାନରେ ମଧ୍ୟ ଚୋରାରେ ବିକ୍ରି ହେଉଛି ନିଶା ଦ୍ରବ୍ୟର ଅବାଧ କାରବାର । ସ୍ଥାନୀୟ ଅବକାରୀ ବିଭାଗ ଏବଂ ମଦ ମାଫିଆଙ୍କ ମଧୂଚନ୍ଦ୍ରିକାରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ଚୋରା ମଦ ଓ ଗଞ୍ଜେଇ ବେପାର । ଏପରିକି ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ସାହି ବସ୍ତିରେ ନିଶାଖୋର ମାନଙ୍କ ଆଡ୍ଡା ଜମୁଥିବା ଦେଖିବାକୁ ମିଳୁଛି । ଗ୍ରାମର ଅନ୍ଧାର ଗଳି ରାସ୍ତା ସହ ବିଭିନ୍ନ ପାନ ଦୋକାନ, ଚାହା ଦୋକାନ, ରେଷ୍ଟୁରାଣ୍ଟ, ରେଷ୍ଟସେଡ,ନଦୀ ରାସ୍ତା ଓ ସ୍ମଶାନ ଓ ମାଟି ପ୍ରସ୍ତୁତ ଇଟାଭାଟି ନିକଟବର୍ତ୍ତୀ ସ୍ଥାନ ଗୁଡିକ ସହ ସହର କଡ଼ରେ ଥିବା ସିମେଣ୍ଟ ଚେୟାର ଉପରେ ବସି ଖୁଲୁମଖୁଲା ମଦ୍ୟପାନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ନିଶାସକ୍ତ ଅବସ୍ଥାରେ ବିଭିନ୍ନ ସମୟରେ ସର୍ଵ ସାଧାରଣରେ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ଉଚ୍ଚବାଚ ହେବା ଏବେ ନିତିଦିନିଆ ଘଟଣା ପାଲଟିଛି । ଏପରିକି ବହୁ ସମୟରେ ମଧ୍ୟ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଉଥିବା ନଜିର ରହିଛି । ନିଶା ସେବନରେ ଆସକ୍ତି ହୋଇ ଯୁବପିଢି ପଥଭ୍ରଷ୍ଟ ହେବା ସହ ନିଶା ଖାଇବା ପାଇଁ ଅପରାଧିକ କାର୍ଯ୍ୟ ଭିଆଇବାରେ ସାମାନ୍ୟତମ କୁଣ୍ଠାବୋଧ ମଧ୍ୟ ପ୍ରକାଶ କରୁନାହାନ୍ତି।ଉଚ୍ଚ ଅଧିକାରୀଙ୍କ ଆଦେଶକୁ ପାଳନ କରି ସ୍ଥାନୀୟ ଅବକାରୀ ଅଧିକାରୀ ଛୋଟ କାଟିଆ ନିଶା ବେପାରୀଙ୍କୁ ଧରି ଲକ୍ଷ୍ୟ ପୂରଣ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।କିନ୍ତୁ ଛୋଟ କାଟିଆ ବେପାରୀଙ୍କୁ ଯୋଗାଉଥିବା ବଡ଼ ବଡ଼ ନିଶା ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ଅଧିକାରୀ ପଛଘୁଞ୍ଚା ଦେଉଥିବା ଶୁଣିବାକୁ ମିଳୁଛି।କେବେ ନିଶା ବେପାର ଚାଲିଥିବା ବେଳେ କୌଣସି ବ୍ୟକ୍ତି ଅଧିକାରୀଙ୍କ ମୋବାଇଲ ନମ୍ବରକୁ ଫୋନ କଲେ ମଧ୍ୟ ଅଧିକାରୀ ଫୋନ ଉଠାଉ ନ ଥିବା କିଛି ବ୍ୟକ୍ତିଙ୍କ ସୂଚନା ମିଳିଛି।ଫଳରେ ସ୍ଥାନୀୟ ଅବକାରୀ ଅଧିକାରୀ ନିଶା ବେପାରୀଙ୍କୁ ଧରିବା ପାଇଁ କେତେ ତତ୍ପର ତାହା ସ୍ପଷ୍ଟ ବାରି ହୋଇ ପଡୁଛି। ନିର୍ଦ୍ଧିଷ୍ଟ ଛୋଟ କାଟିଆ ନିଶା ବେପାରୀଙ୍କୁ ବାରମ୍ବାର ଧରି ଖୁବ କମ ନିଶାଦ୍ରବ୍ୟ ଧରି ଅଧିକ ଦର୍ଶାଯାଉଥିବା ଶୁଣିବାକୁ ମିଳୁଛି।ସବୁଠାରୁ ଉଲ୍ଲେଖ ଯୋଗ୍ୟ ପ୍ରସଙ୍ଗ ହେଲା ସହରରେ ନିଶା କାରବାର କିଛି ଯୁବ ବର୍ଗଙ୍କ ଦ୍ୱାରା ପରିଚାଳିତ ହେଉଥିଲା ବେଳେ ସ୍ଥାନୀୟ ଅବକାରୀ ବିଭାଗ ସ୍ଥାଣୁ ପାଲଟିଛି। ବାହାର ଜିଲ୍ଲାରୁ ହିଞ୍ଜିଳିକାଟୁ ସହରକୁ ବହୁ ସମୟରେ ଗଞ୍ଜେଇ ଆସୁଥିବା ବେଳେ ଅବକାରୀ ବିଭାଗ ସବୁ ଜାଣି ନିରବ ସାଜୁଥିବା ଚର୍ଚ୍ଚା ହେଉଛି। ଗତ ୭ ତାରିଖ ସକାଳେ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ଥାନା ଖଣ୍ଡରା ଛକ ନିକଟରେ ମହାରାଷ୍ଟ୍ର ଅଞ୍ଚଳର ଜଣେ ଯୁବକଙ୍କ ଠାରୁ ୮.୨ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏକ ସରକାରୀ ଯାତ୍ରୀବାହୀ ବସରୁ ଅବକାରୀ ବିଭାଗ ହିଞ୍ଜିଳି ଥାନା ଶ୍ୟାମଳାଇ ଛକରୁ ଗଞ୍ଜେଇ ଜବତ କରିଥିବା ବେଳେ ଖଣ୍ଡରା ଛକରୁ ମହାରାଷ୍ଟ୍ର ଅଞ୍ଚଳର ଜଣେ ଯୁବକ ଏକ ଜରି ଅଖାରେ ଗଞ୍ଜେଇ ଧରି ଯାଉଥିବା ବେଳେ ଜବତ କରାଯାଇଥିଲା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଖୁଲୁମଖୁଲା ନିଶା କାରବାର ବେଆଇନ ଭାବେ ଚାଲିଥିବା ବେଳେ ଅବକାରୀ ବିଭାଗ କିମ୍ବା ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏ ଦିଗରେ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏ ନେଇ ହିଞ୍ଜିଳି ଅବକାରୀ ବିଭାଗୀୟ ଭାରପ୍ରାପ୍ତ ଅଧିକାରୀ ସୁମିତ୍ରା ବିଶିଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ।