ହିଞ୍ଜିଳିରେ ମନମୋହୁଛି ମୁଆଁର ପସରା

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍ / ଶେଷଦେବ ସାହୁ ): ସାଧାରଣତଃ ଡ଼ିସେମ୍ବର ମାସ ଆରମ୍ଭରେ ବଜାରରେ ଭଳିକି ଭଳି ମୁଆଁ ମନମୋହୁଛି । ମହକାଉଛି ମୁାଅଁର ସ୍ୱାଦ । ମିଠା ତଥା ବିଭିନ୍ନ ବହୁ ବ୍ୟବସାୟ ପ୍ରତିଷ୍ଠାନରେ ବହୁ ରକମର ମୁଆଁ ବିକ୍ରି ଚାଲିଛି । ୨୦୦ ଗ୍ରାମ ଓଜନ ଠାରୁ ଆରମ୍ଭ କରି ୨ କି.ଗ୍ରା ଓଜନ ବିଶିଷ୍ଟ ମୁଆଁ ବଜାରରେ ଉପଲବ୍ଧ ହେଉଛି । ତାହା ବି ପୁଣି ବିଭିନ୍ନ ଆକୃତିର । ମୁଆଁର ସ୍ୱାଦ ଓ କ୍ୱାଲିଟି ଅନୁସାରେ ଦର ରହିଛି । ମୁଆଁ କିଗ୍ରା ପ୍ରତି ଦର ୭୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ମୁଆଁ ମଧ୍ୟରେ ସବୁଠାରୁ ସୁଆଦିଆ ମୁଆଁ ହେଉଛି ଘିଅ ମୁଆଁ । ଏଥ ସହ ଚିନି ମୁଆଁ, ବାଦାମ ମୁଆଁ, କାଜୁ ମୁଆଁ, ପିସ୍ତା ମୁଆଁ ସମେତ ବିଭିନ୍ନ ରକମର ମୁଆଁ ବଜାରରେ ବିକ୍ରି ବହୁଳ ମାତ୍ରାରେ ଚାଲିଛି । ଧନୁ ସଂକ୍ରାନ୍ତି ଠାରୁ ମୁଆଁ ବେପାର ସାଧାରଣତଃ ଜୋର ଧରିଥାଏ ବୋଲି ମୁଆଁ ବେପାରୀ ମାନେ ମତ ପ୍ରକାଶ କରିଥାନ୍ତି । ଧନୁ ସଂକ୍ରାନ୍ତି ଠାରୁ ଜନସାଧାରଣ ଠାକୁରଙ୍କ ପାଖରେ ମୁଆଁ ଭୋଗ କରିବା ପରେ ମୁଆଁ ଖାଇବା ପରମ୍ପରା ରହିଛି । ଏହା ପରେ ଲୋକମାନେ ମୁଆଁ କିଣି ବନ୍ଧୁବାନ୍ଧବ, ପରିଜନ ଘରକୁ ନେବା ସହିତ ବିଶେଷକରି ମକର ସଂକ୍ରାନ୍ତିରେ ସଙ୍ଗାତ, ମକର ଘରକୁ ନେବାର କେଉଁ କାଳରୁ ପରମ୍ପରା ରହି ଆସିଛି । ମକର ସଂକ୍ରାନ୍ତି ପରଠାରୁ ମୁଆଁର ବେପାର କମି ଯାଇଥାଏ । ମୁଆଁ ପ୍ରସ୍ତୃତି ସକାଶେ ଆବଶ୍ୟକ ଚିନି, ଘିଅ, ତେଲର ଦର ବୃଦ୍ଧି ଯୋଗୁଁ ମୁଆଁ ଦର ବୃଦ୍ଧି କରାଯାଉଛି, ଯଦ୍ୱାରା ବୋଲି ପୂର୍ବାପେକ୍ଷା ମୁଆଁର ଦରବୃଦ୍ଧି କରାଯିବା ଯୋଗୁଁ ମୁଆଁର ଚାହିଦା ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କମିଯାଇଛି ବୋଲି ମୁଆଁ ବ୍ୟବସାୟୀ ମାନେ ମତ ପ୍ରକାଶ କରିଛନ୍ତି । ତଥାପି ଧନୁ ସଂକ୍ରାନ୍ତି ପରଠାରୂ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମୁଆଁ ବେପାର ଜୋରେ ଧରିବ ବୋଲି ବ୍ୟବସାୟୀ ମାନେ ଆଶା ରଖିଛନ୍ତି ।
ହିଞ୍ଜିଳିକାଟୁ ଅଂଚଳରେ ପ୍ରାୟ ୧୦ ଟି ମୁଆଁ ଭାଟି ରହିଛି । ଉକ୍ତ ଭାଟି ଗୁଡ଼ିକରେ ବିଭିନ୍ନ ରକମର ମୁଆଁ ପ୍ରସ୍ତୁତ କରିବା ପରେ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳକୁ ରପ୍ତାନି କରାଯାଇଥାଏ । ମୁଆଁ ପ୍ରସ୍ତୁତିରେ ଲିଆ, ଚିନି, ଘିଅ, ନଡ଼ିଆ, କାଜୁ, ଦ୍ରାକ୍ଷା, ଲେମ୍ଭୁରସ, ବାଦାମ, କୁଙ୍କୁମ ମିଠା ଆବଶ୍ୟକ ହୋଇଥାଏ । ୫୦ କିଗ୍ରା ମୁଆଁ ପ୍ରସ୍ତୁତ କରିବା ପାଇଁ ହାରାହାରି ସାଢେ ୨ ଘଂଟା ସମୟ ଲାଗିଥାଏ ବୋଲି ମୁଆଁ କାରିଗର ମାନେ କହିଛନ୍ତି । ପ୍ରଥମେ ଚିନି ପାଗ କରାଯାଇଥାଏ । ଗରମ ଚିନି ପାଗରେ ପୂର୍ବରୁ ପ୍ରସ୍ତୁତ ସଫା ଲିଆ ପକାଯାଇ ଘଂଟା ଯାଇଥାଏ । ତାପରେ ବିଭିନ୍ନ ଆକୃତିର ଛାଂଚରେ ଚିନି ପାଗରେ ପ୍ରସ୍ତୁତ ଲିଆକୁ ଢଳାଯାଇଥାଏ । ମୁଆଁଁର ଉପରି ଅଂଶରେ ଗୁଡ଼ରେ ଛଣା ଯାଇଥିବା ନଡ଼ିଆ ଖଣ୍ଡ, କାଜୂୁ, ପିସ୍ତା, କୁଙ୍କୁମ ମିଠାକୁ ସଜାଇ ଦିଆଯାଇଥାଏ । ତେବେ ଘିଅ ମୁଆଁ ପ୍ରସ୍ତୁତ ଟିକିଏ ସ୍ୱତନ୍ତ୍ର । ଘିଅ ମୁଆଁ ପ୍ରସ୍ତୁତି ସକାଶେ ତଥା ଏହାକ୍ୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଲିଆକୁ ପ୍ରଥମେ ଘିଅରେ ଛଣାଯାଇ ପ୍ରସ୍ତୁତ କରାଯାଇଥାଏ । ହିଞ୍ଜିଳିକାଟୁ ଅଂଚଳରୁ ଦୈନିକ ପ୍ରାୟ ୩୦ ରୁ ୫୦ ହଜାର ମୁଆଁ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳକୁ ରପ୍ତାନି କରାଯାଇଥାଏ ବୋଲି ମୁଆଁ ବ୍ୟବସାୟୀ ମାନେ କହିଛନ୍ତି । ମୁଆଁର ଦର ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସାମାନ୍ୟ ଅଧିକ ରହିଥିବା ଯୋଗୁଁ ବେପାର ମାନ୍ଦା ରହିଛି ବୋଲି ବ୍ୟବସାୟୀ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ