ହିଞ୍ଜିଳିରେ ଲକଡ଼ାଉନ କଡ଼ାକଡ଼ି ସନ୍ଧ୍ୟା ୫ଟା ପରେ ଔଷଧ ଦୋକାନ ବନ୍ଦ କଲା ପୌର ପ୍ରଶାସନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହାମରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବା ପରେ ସ୍ଥାନୀୟ ବ୍ଳକ ଓ ପୌରାଂଚଳକୁ ପ୍ରବାସୀଙ୍କ ସୂଅ ଛୁଟିବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟରେ ଗୁଜୁରାଟର ସୁରତ ଅଂଚଳରୁ ମାତ୍ରାଧିକ ପ୍ରବାସୀ ଗ୍ରାମକୁ ଫେରିଆସିଥିବା ଦେଖିବାକୁ ମିଳିଥିଲା । ପରେ ପରେ ମହାରାଷ୍ଟ୍ର ସମେତ କେରଳ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଚେନ୍ନାଇ ପ୍ରମୁଖ ରାଜ୍ୟରୁ ପ୍ରବାସୀ ମାନେ ନିଜ ନିଜ ଭିଟାମାଟିକୁ ଫେରୁଥିବାର ଲକ୍ଷ୍ୟ କରାଯାଉଛି । ଗତ ବୁଧବାର ଏ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ସମେତ ବହୁ ବିଭାଗୀୟ ପ୍ରଶ।ସନିକ ଅଧିକାରୀଙ୍କ ସହ କରୋନାର ମୁକାବିଲା ନେଇ ଆଲୋଚନା କରିଥିଲେ । ଏଭଳି ଭୟଙ୍କର ପରିସ୍ଥିତିରେ ଲକଡ଼ାଉନ ନିୟମକୁ କଡ଼ାକଡ଼ି ପାଳନ କରିବା ସକାଶେ ପରାମର୍ଶ ଦେଇଛନ୍ତି । ଏପରିକି ସ୍ଥାନୀୟ ପୌରାଂଚଳର ଔଷଧ ଦୋକାନ ଗୁଡ଼ିକ ମଧ୍ୟ ଅପରାହ୍ନ ୫ଟା ପରେ ବନ୍ଦ କରିବା ସକାଶେ ନିର୍ଦ୍ଦେଶ ଦିଆଯାଇଛି । ପୌର ପ୍ରଶାସନ ଓ ପୁଲିସ ପ୍ରଶାସନର ମିଳିତ ସହଯୋଗରେ ପ୍ରତ୍ୟେହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଅଭିଯୋଗରେ ସିଲ୍ କରାଯାଉଥିବାର ଦେଖିବାକୁ ମିଳିଛି । ଏପରିକି ସାଇକେଲ ଯୋଗେ ଚାହା ବ୍ୟବସାୟୀ ମାନେ ଥର୍ମୋଫ୍ଲାସ ଯୋଗେ ସାଇକଲେରେ ବୁଲି ବୁଲି ଚାହା ବିକ୍ରି କରୁଥିବାରୁ ସେମାନଙ୍କ ଥର୍ମୋଫ୍ଲାସ ଜବତ କରାଯିବ ସହ ତାଗିଦ କରୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଅଂଚଳର କରୋନା ଆକ୍ରାନ୍ତଙ୍କ ତଥ୍ୟକୁ ଗୁପ୍ତ ରଖାଯାଉଥିବା ନେଇ ଅଂଚଳବାସୀଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି । ସ୍ଥାନୀୟ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲକଡ଼ାଉନ ନିୟମକୁ କଡ଼ାକଡ଼ି ପାଳନ କରାଯାଉଥିବା ନେଇ ସାଧାରଣରେ ମତ ପ୍ରକାଶ ପାଇଥିବା ବେଳେ ପ୍ରଶାସନିକ ସ୍ତରରେ ଏହା ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କୁହାଯାଉଛି । ବିଗତ ଦିନରେ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ଶିକ୍ଷୟତ୍ରୀଙ୍କ ଶରୀରରେ କରୋନା ଭୁତାଣୁ ସଂକ୍ରମଣ ଦେଖା ଦେବା ପରେ ଚିକିତ୍ସା ଲାଗି ପଠାଯାଇଥିଲା । କିଛି ଦିନ ପରେ ସଂପୃକ୍ତ ଶିକ୍ଷୟତ୍ରୀ ଜଣକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହିଞ୍ଜିଳି ଥାନାରେ କାର୍ଯ୍ୟରତ ଥିବା ଜଣେ ହୋମଗାର୍ଡ଼ କରୋନ ଆକ୍ରାନ୍ତ ଜଣାପଡ଼ିଛି ।ସେ ବର୍ତମାନ କୋଭିଡ଼-୧୯ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ତେବେ ହିଞ୍ଜିଳିକାଟୁ କୋଭିଡ଼ ହସପିଟାଲରେ ବହୁ ପ୍ରବାସୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ପ୍ରକୃତ ତଥ୍ୟ ସାର୍ବଜନିନ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ସହରବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ପ୍ରତ୍ୟେହ ମଧ୍ୟାନ୍ନ୧୨ ଟା ପର ଠାରୁ ରାତି ପ୍ରାୟ ସାଢେ ୧୦ଟା ପର୍ଯ୍ୟନ୍ତ ସହରରର ବିଭିନ୍ନ ଛକ ସ୍ଥାନରେ ନାକାବନ୍ଦୀ କରାଯିବା ସହ ଯାନବାହାନ ଯାଂଚକୁ କଡ଼ାକଡ଼ି କରାଯାଉଥିବାର ଦେଖିବାକୁ ମିଳିଛି । ବିନାକାରଣରେ ବାଇକ ଧରି ଚକ୍କର କାଟୁଥିବା ଅମାନିଆ ଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ଥାନା ଏସଆଇ ମମତା ସମାନ୍ତରାୟ, ପ୍ରଦିପ୍ତ ଦାଶ, ବାସୁଦେବ ଭୋଇ, ଏଏସଆଇ ରାଜନ ବିଷୋୟୀ, ସୁରଥ ଭୁୟାଁ, ପ୍ରକାଶ ବେହେରାଙ୍କ ସମେତ ପୁଲିସ ଫୋର୍ସ ରହି ଯାନବାହାନ ଯାଂଚ କରୁଥିବାର ଦେଖିବାକୁ ମିଳିଛି ।


