ହିଞ୍ଜିଳିରେ ସାମାଜିକ ଦୂରତ୍ୱକୁ ଖୋଲାଖୋଲି ଉଲଂଘନ, ଚିନ୍ତାରେ ପ୍ରଶାସନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକଡ଼ାଉନ ଅବଧି ଶେଷ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ଗ୍ରୀନ୍ ଜୋନ ପରିସର ଭୁକ୍ତ ଥିଲା । କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । ପୁଲିଓ ଓ ପ୍ରଶାସନିକ ଅଧିକାରୀଙ୍କ ଭୟରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକର ସମସ୍ତ ପଂଚାୟତର ଜନସାଧାରଣ ସାମାଜିକ ଦୂରତ୍ୱ ରକ୍ଷା ସମେତ ସମସ୍ତ କୋଭିଡ଼-୧୯ ନିୟମକୁ ପାଳନ କରି ଆସୁଥିଲେ । ତୃତୀୟ ପର୍ଯ୍ୟାୟ ଲକଡ଼ାଉନ ସମୟ ବେଳକୁ ରାଜ୍ୟ ସରକାର ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ନିଜ ନିଜ ଭିଟାମାଟିକୁ ଫେରାଇ ଆଣିବାର ବ୍ୟବସ୍ଥା କରାଇଲେ । ଫଳରେ ଗ୍ରୀନ୍ ଜୋନରେ ରହିଥିବା ଗଞ୍ଜାମ ଜିଲ୍ଲାରେ ୪ଟି ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାକୁ ଅରେଞ୍ଜ ଜୋନ ଓ ପରବର୍ତି ସମୟରେ ଆକ୍ରୋନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଆସୁଥିବାରୁ ରେଡ଼୍ ଜୋନରେ ଘୋଷଣା କରାଗଲା । ଗୁରୁବାର ରିପୋର୍ଟ ଲେଖା ହେବା ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨ରେ ପଂହଚିଛି । ସେମାନଙ୍କ ମଧ୍ୟରୁ ୧୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୬ ଜଣ ଆକ୍ରାନ୍ତ ଅଛନ୍ତି । ୩ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଶ୍ଚର୍ଯ୍ୟର କଥା ହେଲା ୪ର୍ଥ ପର୍ଯ୍ୟାୟ ଲକଡ଼ାଉନ ସମୟରେ କଟକଣାକୁ କିଛି ମାତ୍ରାରେ କୋହଳ କରାଯିବା ପରେ ସ୍ଥାନୀୟ ଅଂଚଳର ଜନସାଧାରଣ ଆଉ ଇନ୍ଦ୍ର ଚନ୍ଦ୍ର ମାନିବାକୁ ନାରାଜ । ଅଂଚଳର ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲାଯିବା ପରେ ସ୍ୱାଭାବିକ ଭାବେ ସାମାଜିକ ଦୂରତ୍ୱ ରକ୍ଷା ନିୟମକୁ ନମାନି ଅଯଥା ଭିଡ଼ ଜମାଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢି ଯାଇଥିବା ବେଳେ ଅଂଚଳବାସୀ ଆଶଙ୍କାରେ ରହିଛନ୍ତି । ଗଞ୍ଜାମ ଜିଲ୍ଲାରେ ଗୁରୁବାର ସୁଦ୍ଧା ୩୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଭିନ୍ନ ସଂକ୍ରମିତ ରାଜ୍ୟରୁ ଓଡ଼ିଆ ପ୍ରବାସୀ ମାନେ ଭିଟାମାଟିକୁ ଫେରି ଆସି ସ୍ଥାନୀୟ ବ୍ଳକର ୬୨ଟି ଓ ପୌରାଂଚଳର ୧୨ଟି ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ୨୧ଓ ୧୪ ଦିନ ଲେଖାଏଁ ରହିବା ପରେ ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ନେଇ ଘରକୁ ଫେରିଛନ୍ତି । ବିଦାୟ ସମୟରେ ଅତିରିକ୍ତ ୭ ଦିନ ଲେଖାଏଁ ହୋମ୍ କ୍ୱାରାଂଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ପ୍ରଶାସନର ପରାମର୍ଶକୁ ଭୃକ୍ଷେପ ନକରି ଅଂଚଳର ବଜାର ଓ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଖଟି କରୁଥିବାର ଦେଖିବାକୁ ମିଳିଛି । ଆଗାମୀ ଦିନରେ ଆହୁରି ବହୁ ପ୍ରବାସୀ ଗଞ୍ଜାମକୁ ଫେରୁଥିବା ଜଣାପଡ଼ିଛି । ଯଦ୍ୱାରା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି । ସ୍ଥାନୀୟ ଅଂଚଳର ସମସ୍ତ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରୁ ଠାବ କରାଯାଇଛି । ତଥାପି ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବାକୁ ସ୍ଥାନୀୟ ପ୍ରଶାସନ ଓ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ୪ର୍ଥ ପର୍ଯ୍ୟାୟ ଲକଡ଼ାଉନ ସମୟରେ କଟକଣା କୋହଳ କରାଯାଇଥିବା ଯୋଗୁଁ ସ୍ଥାନୀୟ ପୌରାଂଚଳ ପରିବା ବଜାର ସମେତ ଲକ୍ଷ୍ମୀ ବଜାର ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଅଗାମୀ ଦିନରେ ବିପଦ ଆଣିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ସମସ୍ତ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ମିଳିବା ପର ଠାରୁ ଦିନକୁ ଦିନ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ସେହିପରି ମୋଟର ସାଇକେଲ ଗୁଡ଼ିକରେ କିଛି ଅମାନିଆ ୩ ଜଣ ଲେଖାଏଁ ବସି ଅଯଥାରେ ସହର ମଧ୍ୟରେ ଚକ୍କର କାଟୁଥିବାର ଦେଖିବାକୁ ମିଳୁଛି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ସାମାଜିକ ଦୁରତା ଓ ମାସ୍କ ନାହିଁ ତ ଜିନିଷ ନାହିଁ ବୋର୍ଡ଼ ଟଙ୍ଗା ଯାଇଥିବା ବେଳେ ଏହା କେବଳ ନାମକ୍‌ୁ ମାତ୍ର ଦର୍ଶାଯାଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବେଳ ଥାଉ ଥାଊ ବେଣୀ ନବାନ୍ଧିଲେ ଭବିଷ୍ୟତରେ ପରିସ୍ଥିତି ଭୟଙ୍କର ହେବ ବୋଲି ଅଂଚଳର ବୁଦ୍ଧିଜୀବି ମହଲରେ ମିତ ପ୍ରକାଶ ପାଇବା ସହ ଏ ଦିଗରେ ପ୍ରଶାସନ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ ନକଲେ ସ୍ଥିତି ଭୟଙ୍କର ରୂପ ନେବ ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ