ହିଞ୍ଜିଳି ଥାନା ଅଞ୍ଚଳରେ ଲଗାତାର ଚୋରି, ଘର ସମ୍ମୁଖରୁ ବାଇକ୍ ଚୋରୀ, ଥାନାରେ ଏତାଲା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଇଲାକାରେ ସିରିଜ୍ ଲୁଟ୍ ହେଉଥିବା ନଜିର ରହିଛି। ଲୁଟେରା ଦଳ ପୁଲିସ ଆଖିରେ ଧୂଳି ଛାଟି ଗୋଟିଏ ପରେ ଗୋଟିଏ ଲୁଟ୍ କରି ଫେରାର ହେବାରେ ସକ୍ଷମ ହେଉଛନ୍ତି। ହେଲେ ହିଞ୍ଜିଳି ପୁଲିସ ଲୁଟେରା ଦଳକୁ କାବୁ କରିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି। କେବଳ ରାତ୍ର ସମୟରେ ନୁହଁ, ଦିନ ଦ୍ବିପହରରେ ମଧ୍ୟ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରୁ ଲୁଟ୍ କରି ଚମ୍ପଟ ମାରୁଛନ୍ତି। ସତେଯେମିତି କି ହିଞ୍ଜିଳିକାଟୁ ସହର ଲୁଟେରା ଗ୍ୟାଙ୍ଗ୍ ଙ୍କ ହବ୍ ପାଲଟିଛି। ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଶ୍ରୀରାମ ନଗର ଅଞ୍ଚଳର ଶରତ ସାହୁ ଘର ସମ୍ମୁଖରେ ବାଇକ୍ (ଓଡି୦୭ ଜେଡ୍ ୧୮୩୧) ରଖି ଘରକୁ ଯାଇଥିଲେ। ମାତ୍ର ୧୦ ମିନିଟ୍ ପରେ ଘରୁ ବାହାରକୁ ଆସିବା ବେଳକୁ ମୋଟର ସାଇକେଲଟି ନଥିଲା। ଶରତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳି ପାରିନଥିଲା। ଚୋରୀ ଘଟଣା ନେଇ ଶରତ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଗତ ୧୫ ଦିନ ମଧ୍ୟରେ ହିଞ୍ଜିଳି ଥାନା ଇଲାକାର ବିଭିନ୍ନ ଅଞ୍ଚଳରୁ ୪୦ ରୁ ଉର୍ଦ୍ଧ୍ଵ ଲୁଟ୍ ଘଟଣା ଘଟିଥିବା ନଜିର ରହିଛି। ହିଞ୍ଜିଳିକାଟୁ ସହରରେ ମୋଟର ସାଇକେଲ ଓ ମୋବାଇଲ ଫୋନ୍ ଲୁଟ୍ ନିତିଦିନିଆ ଘଟଣା ପାଲଟିଛି। ଲୁଟେରା ଦଳ ପୁଲିସ ଆଖିରେ ଧୂଳି ଛାଟି ଗୋଟିଏ ପରେ ଗୋଟିଏ ଲୁଟ୍ କରି ଚମ୍ପଟ ମାରିବାକୁ ସକ୍ଷମ ହେଉଥିବା ବେଳେ ଲୁଟେରା ଦଳକୁ କାବୁ କରିବାରେ ପୁଲିସ ପ୍ରଶାସନ ଗୁରୁତ୍ୱ ନଦେବା ଭଳି ମନେ ହେଉଛି। ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲି° ବ୍ୟବସ୍ଥା କଡାକଡି କରାଯାଉନଥିବାରୁ ଲୁଟେରା ଦଳ ଅନାୟସରେ ଗୋଟିକ ପରେ ଗୋଟିଏ ଲୁଟ୍ କରିବାରେ ଲାଗିଛନ୍ତି।‌ ଏପରିକି ପ୍ରତିଦିନ ସକାଳ ସମୟରେ ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଅବସ୍ଥାପିତ ପନିପରିବା ମାର୍କେଟରୁ ୨/୩ ଜଣଙ୍କ ପେଟରୁ ମୋବାଇଲ ଲୁଟ୍ ହେଉଥିବା ନିତିଦିନିଆ ଘଟଣା ପାଲଟିଛି। ପନିପରିବା ମାର୍କେଟ ପରିସରରେ ପୁଲିସ ନିୟୋଜିତ କରାଯାଇଛି, ବିଜୁ ପଟ୍ଟନାୟକ ଛକରେ ସିସିଟିଭି ସଂଯୋଗ ରହିଛି ତଥାପି ଲୁଟ୍ ପରେ ଲୁଟ୍ ଚାଲିଛି। ବିଜୁ ପଟ୍ଟନାୟକ ଛକରେ ନାମକୁ ମାତ୍ର ସିସିଟିଭି କ୍ୟାମେରା ସଂଯୋଗ କରାଯାଇଛି ହେଲେ କାର୍ଯ୍ୟକ୍ଷମ ହେଉନାହିଁ। ଯାହାକି ଲୁଟେରା ଗ୍ୟାଙ୍ଗ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ଏ ଦିଗରେ ପୁଲିସ ପ୍ରଶାସନ ଗୁରୁତ୍ୱ ପ୍ରଦାନ କରି ସହର‌ ମଧ୍ୟରେ ପାଟ୍ରୋଲି° ବ୍ୟବସ୍ଥା କଡାକଡି କରିବା ସହ ଲୁଟେରା ଗ୍ୟାଙ୍ଗକୁ କାବୁ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ