ହିଞ୍ଜିଳି ବିଧାନସଭା ଆସନ : କଂଗ୍ରେସ ପ୍ରାର୍ଥୀତ୍ୱରୁ ବଂଚିତ ରାମକୃଷ୍ଣଙ୍କ ଚରମବାଣୀ ଶମ୍ଭୁଙ୍କ ସହ ପ୍ରଚାରରେ ସାମିଲ ହେବେ ନାହିଁ : ରାମକୃଷ୍ଣ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳି କଂଗ୍ରେସରେ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି ।ହିଞ୍ଜିଳି ବିଧାନସଭା ଆସନ ସକାଶେ କଂଗ୍ରେସ ଦଳ ପକ୍ଷରୁ ପ୍ରଥମେ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଳକ ଅନ୍ତର୍ଗତ କରଡ଼କଣା ଗ୍ରାମର ଯୁବ ନେତା ତଥା ୫୬ ନଂ ଜୋନର ସଭାପତି ରାମକୃଷ୍ଣ ପଣ୍ଡାଙ୍କୁ ଟିକେଟ ପ୍ରଦାନ କରାଯାଇଥିଲା । ପରବର୍ତି ସମୟରେ ଦଳର ଆଭିମୁଖ୍ୟ ପରିବର୍ତନ କରାଯାଇ ଗଜପତି ଜିଲ୍ଳା ପ୍ରଭାରୀ, ବରିଷ୍ଠ ଆଇନଜିବୀ ତଥା ହିଞ୍ଜିଳିକାଟୁ ଭେଜିଟେବୁଲ ମାର୍ଚ୍ଚେଂଟ ଓ ତରାତାରିଣୀ ମଜଦୁର ଏସୋସିଏସନର ସଭାପତି ଶମ୍ଭୁ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରାଯିବା ପାଇଁ ଦଳ ନିଷ୍ପତି ଗ୍ରହଣ କରିବା ସହ ଟିକେଟ ଦିଆଯାଇଥିଲା । ମଙ୍ଗଳବାର ଦିନ ୨ୟ ପର୍ଯ୍ୟାୟ ଭୋଟ ସକାଶେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ଥିବା ବେଳେ ଶମ୍ଭୁ ହିଞ୍ଜିଳିକାଟୁ ସହରରୁ ଏକ ବିରାଟ ପଟୁଆରରେ ଯାଇ ଛତ୍ରପୁର ଉପ ଜିଲ୍ଲାପାଳଭ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏଭଳି ସ୍ଥିତିରେ ରାମକୃଷ୍ଣଙ୍କ ସମର୍ଥକ ମାନେ ଏଭଳି ନିଷ୍ପତିକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ପିସିସି ପକ୍ଷରୁ ଜାରୀ କରାଯାଇଥିବା ପ୍ରଥମ ପର୍ଯ୍ୟାୟ ତାଲିକାରେ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତାଙ୍କୁ ପ୍ରାର୍ଥୀ କରିବାକୁ ନାମ ଘୋଷଣା କରାଯାଇଥିଲା । ଗତ ୨୪ ତାରିଖରେ ରାମକୃଷ୍ର ଟିକେଟ ଆଣିବାକୁ ଭୂବନେଶ୍ୱର ପିସିସି କାର୍ଯ୍ୟାଳୟକୁ ଯାଇଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥଲେ ମଧ୍ୟ ଟିକେଟ ଦିଆଯାଇନଥିଲା । ପରବର୍ତି ସମୟରେ ଶମ୍ଭୁ ପାଣିଗ୍ରାହୀଙ୍କୁ ଟିକେଟ ପ୍ରଦାନ କରାଯିବାରୁ ରାମକୃଷ୍ଣଙ୍କସମର୍ଥକ ମାନଙ୍କୁ ଉକ୍ତ ବିଷୟ ଘୋର ମର୍ମାହାତ କରିଥିଲା । ମଙ୍ଗଳବାର ଦିନ ଶମ୍ଭୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିବା ବେଳେ ହିଞ୍ଜିଳି ଅଂଚଳର ବହୁ ପୁରୁଣା ନେତାଙ୍କୁ ଡ଼କାନଯିବା ନେଇ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପିସିସିର ମନମୁଖୀ କାର୍ଯ୍ୟକଳାପକୁ ପ୍ରତିବାଦ କରି ଶମ୍ଭୁଙ୍କ ପ୍ରଚାର କାର୍ଯ୍ୟରେ ରାମକୃଷ୍ଣ ଯୋଗଦେବେ ନାହିଁ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ହିଞ୍ଜିଳି କଂଗ୍ରେସର ବର୍ତମାନ ଠାରୁ ଗୋଷ୍ଠୀ କନ୍ଦଳ ଦେଖା ଦେଇଥିବାରୁ ଏହାର ଫାଇଦା ଉଠାଇବାକୁ ବିରୋଧୀ ସଜବାଜ ହେଉଥିବା ଦେଖିବାକୁ ମିଳିଛି ।


