ହିଞ୍ଜିଳି ବିଧାନସଭା ଆସନ ନବୀନଙ୍କୁ ଟକ୍କର ଦେବେ ୮ ପ୍ରାର୍ଥୀ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ରାଜ୍ୟର ସବୁଠାରୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ । ଗତ ୨୦୦୦ ମସିହା ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହେବା ସହ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିଛନ୍ତି । ଚଳିତ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଅସନ ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ୮ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ହିଞ୍ଜିଳି ବିଧାନସଭା ଆସନ ସକାଶେ ୨ୟ ପର୍ଯ୍ୟାୟରେ ଅର୍ଥାତ ଚଳିତ ମାସ ୧୮ ତାରିଖରେ ଭୋଟଗ୍ରହଣ ହେବାକୁ ଥିବା ବେଳେ ଶାସକ ବିଜେଡ଼ି ଠାରୁ ଆରମ୍ଭ କରି ବିରୋଧୀ କଂଗ୍ରେସ, ବିଜେପି ଓ ସ୍ୱାଧିନ ଦଳର ପ୍ରାର୍ଥୀ ମାନେ ଘମାଘୋଟ ପ୍ରଚାର ଚଲାଇଛନ୍ତି । ଏକଦା ହିଞ୍ଜିଳି ବିଧାନସଭା କଂଗ୍ରେସର ଦୁର୍ଗ ଭାବେ ପରିଚିତ ଥିବା ବେଳେ ଗତ ୨୦୦୦ ମସିହା ପରଠାରୁ ନବୀନ ପଟ୍ଟନାୟକ ହିଞ୍ଜିଳିରେ ପାଦ ଥାପିବା ପର ଠାରୁ ବିଜେଡ଼ିର ଗଡ଼ ଭାବେ ପରିଗଣିତ ହୋଇ ଆସୁଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଗଡ଼ ଭାବେ ପରିଚିତ ଥିବାରୁ ଏଠାରେ ଶାସକ ବିଜେଡ଼ିର ସମ୍ପୂର୍ଣ୍ଣ ଦବଦବା ରହିଛି । ଗତ ୨୦୦୦ ମସିହା ଠାର ଲଗାତାର ଭାବେ ୪ ଥର ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପଟ୍ଟନାୟକ ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଆସୁଛନ୍ତି । ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକ, ତାଙ୍କ ବିରୋଧରେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଈଥିବା ସମସ୍ତ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରି ୫ମ ଥର ସକାଶେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୃତି କରି ସାରିଛନ୍ତି । ଅନ୍ୟ ପକ୍ଷରେ ଗତ ୧୯ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ଦୁର୍ନିତିର ଖୁଲାସା କରି ଭାରତୀୟ ଜନତା ପାର୍ଟି ଲୋକଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଛି । ସେହିପରି ସ୍ଥାନୀୟ ସମସ୍ୟାର ସ୍ଥାୟୀ ସମାଧାନ ଦାବୀ କରି ଭାରତୀୟ ଜାତୀୟ କଂଗ୍ରେସ ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି ।
୨୦୦୯ ମସିହାରେ ହିଞ୍ଜିଳି ବିଧାନସଭା ଅସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୨୯୪୨ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ କଂଗେସ ପ୍ରାର୍ଥୀ ରାଘବ ପରିଡ଼ା ୧୧୬୬୯ ଓ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ୭୩୮୯ ଭୋଟ ପାଇଥିଲେ । ଗତ ୨୦୧୪ ମସିହା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ । ବିଜେଡ଼ି ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୯୨୬୭ ଭୋଟ ପାଇଥିଲେ । କଂଗ୍ରେସରୁ ଶିବରାମ ପାତ୍ର ୧୨୬୮୧, ବିଜେପିରୁ ଦେବାନନ୍ଦ ମହାପାତ୍ର ୧୨୨୮୩ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଆମ ଓଡ଼ିଶା , ଆମ ଆଦମୀ, ତୃଣମୁଳ କଂଗ୍ରେସ, ଆରଏମପି ଓ ସ୍ୱାଧୀନ ପ୍ରାର୍ଥୀ ମାନେ ନିର୍ବାଚନ ମଇଦାନରେ ଥିବା ବେଳେ ୧୮୯୫ ଭୋଟ ନୋଟାରେ ପଡ଼ିଥିଲା । ନବୀନ ପଟ୍ଟନାୟକ ତାଙ୍କରି ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଶିବରାମଙ୍କୁ ୭୬୫୮୬ ଭୋଟ ବ୍ୟବଧାନରେ ପରାଜୟ କରିଥିଲେ । ୨୦୧୪ ନିର୍ବାଚନରେ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୧୦ଟି ଭୋଟ ଦାନ କେନ୍ଦ୍ରରେ ସର୍ବମୋଟ ୧୨୨୦୬୫ ଜଣ ଭୋଟର ମତଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ସାଧାରଣ ଭୋଟର ୧୦୭୭୬୦(ପୁରୁଷ), ୯୩୫୧୪ (ମହିଳା), ତୃତୀୟ ଲିଙ୍ଗ ୨, ଚାକିରିଆ ଭୋଟର ୧୬୬(ପୁରୁୂଷ), ୭୫ (ମହିଳା) ଭୋଟଦାନ କେନ୍ଦରେ ମତଦାନ କରିଥିବା ବେଳେ ଡ଼ାକ ଜରିଆରେ ୯୨ ଜଣ ଭୋଟର ମତଦାନ କରିଥିଲେ । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବମୋଟ ୬୦.୫୭ ପ୍ରତିଶତ ମତଦାନ ହୋଇଥିଲା ।
ଚଳିତ ସାଧାରଣ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଅସନରେ ବିଜେଡ଼ିର ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ୮ ଜଣ ନୁଆଁ ଚେହେରା । କଂଗ୍ରେସରୁ ବରିଷ୍ଟ ଆଇନଜିବୀ ତଥା ହିଞ୍ଜିଳିକାଟୁ ମାର୍ଚ୍ଚେଂଟ ଏସୋସିଏସନ ଓ ତରାତାରିଣୀ ମଜଦୁର ସଙ୍ଘର ସଭାପତି ଶମ୍ଭୁ ପାଣିଗ୍ରାହୀ, ବିଜେପିରୁ ବରିଷ୍ଟ ଆଇନଜିବୀ ତଥା ବିଜେପିର ମୁଖପାତ୍ର ତଥା ରାଜ୍ୟ ଉପସଭାପତି ପିତାମ୍ବର ଆଚାର୍ଯ୍ୟ, ବହୁଜନ ସମାଜପାର୍ଟିର ଭାସ୍କର ଚୌଧୁରୀ, ଏସୟୁସିଆଇ(ସି)ର ଡ଼ି. ତିରୁପତି ଦୋରା, ଆମ୍ବେଦକର ଜାତୀୟ କଂଗ୍ରେସର ରଂଜନ କୁମାର ଆପଟ, ସ୍ୱାଧିନ ପ୍ରୟାର୍ଥୀ ବାବୁଲା ସାହୁ, ସି. ଲକ୍ଷ୍ମୀ ଆଚାରୀ, ଓ ସୁକାନ୍ତ କିଶୋର ପଣ୍ଡା । ଚଳିତ ମାସ ୧୮ ତାରିଖରେ ମତଦାନ ଗ୍ରହଣ ରହିଥିବାରୁ ସମସ୍ତ ପ୍ରାର୍ଥୀ ଦିନରାତି ଏକ କରି ପ୍ରଚାର ପ୍ରସାର ଜୋରଦାର କରିଛନ୍ତି । ଚଳିତ ନିର୍ବାଚନରେ ବିଜେଡ଼ି, କଂଗ୍ରେସ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେଉଥିବାର ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ