ହିନ୍ଦୁ ଟେରର ପ୍ରସଙ୍ଗରେ ରାହୁଲଙ୍କୁ କଡା ସମାଲୋଚନା ସମଗ୍ର ହିନ୍ଦୁସ୍ତାନ୍କୁ ଅପମାନିତ କରି ମୈଦାନ ଛାଡୁଛ

ୱର୍ଦ୍ଧା(ଏଜେନ୍ସି): ହିନ୍ଦୁ ଟେରର ସମ୍ପର୍କରେ କଥା କହୁଥିବା ଲୋକ ଏବେ ମୈଦାନ ଛାଡି ପଳାୟନ କରୁଛନ୍ତି । ସୋମବାର ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ବିଜେପି-ଶିବସେନା ମେଣ୍ଟ ପକ୍ଷରୁ ଆୟୋଜିତ ଏକ ମିଳିତ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ବିଶେଷକରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରି ଏପରି କହିଛନ୍ତି । ଉପସ୍ଥିତ ଜନସମୁଦାୟଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଶାନ୍ତିପ୍ରିୟ ହିନ୍ଦୁଙ୍କ ଉପରେ ଆତଙ୍କବାଦୀ ହେବାର ଅଭିଯୋଗ ଲଗାଇଛନ୍ତି । ଏହା ଧର୍ମମାର୍ଗରେ ଚାଲୁଥିବା ପ୍ରତ୍ୟେକ ସଚ୍ଚା ହିନ୍ଦୁ ତଥା ସମଗ୍ର ହିନ୍ଦୁସ୍ତାନ (ଦେଶ) ପ୍ରତି ଅପମାନ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ କର୍ମଭୂମି କୁହାଯାଉଥିବା ୱାର୍ଦ୍ଧା ମାଟିରେ ଆଜି ମୋଦି ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି ।
ମୋଦି କହିଛନ୍ତି, କଂଗ୍ରେସ ଦେଶର କୋଟି କୋଟି ଲୋକଙ୍କୁ ଆତଙ୍କବାଦ ସହ ଯୋଡିଥିଲା । ଦେଶରେ ଘଟିଥିବା ପ୍ରତ୍ୟେକ ହିଂସାକାଣ୍ଡ ଘଟଣା ପଛରେ କଂଗ୍ରେସର ହାତ ନିଶ୍ଚିତ ଭାବେ ରହିଛି । ଯେତେବେଳେ ଏସମ୍ପର୍କରେ ଲୋକ ଜାଗ୍ରତ ହେଲେ କଂଗ୍ରେସ ଦେଶରୁ ପଳାୟନ କଲା । ରାହୁଲ ସମ୍ପ୍ରତି ଉତ୍ତରପ୍ରଦେଶର ଆମେଥି ଆସନ ବ୍ୟତୀତ କେରଳର ୱାୟନାଡ୍ ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ଆମେଥିବାସୀଙ୍କ ମାତ୍ର ଗୋଟିଏ ପ୍ରଶ୍ନ ‘ଗତ ୫ବର୍ଷ ମଧ୍ୟରେ ସେମାନଙ୍କ ପାଇଁ କ’ଣ କରିଛ’ରେ ରାହୁଲ ଇତସ୍ତତ ହୋଇପଡି ୱାୟନାଡ୍ ପଳାଇଲେ । ହିନ୍ଦୁଙ୍କୁ ଆତଙ୍କବାଦୀ କହୁଥିବା ରାହୁଲ ହିନ୍ଦୁ ବହୁଳ ଆସନରୁ ନିର୍ବାଚନ ଲଢ଼ି ଜିତିପାରିବେ ନାହିଁ ବୋଲି ଭଲଭାବେ ଜାଣିସାରିଥିବାରୁ ଏବେ ଦକ୍ଷିଣ ରାଜ୍ୟ ମୁହାଁ ସାଜିଛନ୍ତି । ସେ ସେଠାରେ ନିଜକୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ସେଠାରେ ମଧ୍ୟ ତାଙ୍କୁ ଉଚିତ୍ ଜବାବ ମିଳିବ । ଦେଶର କୋଟି କୋଟି ହିନ୍ଦୁଙ୍କ ଉପରେ ଆତଙ୍କବାଦର ଦାଗ ଲଗାଇବା କାମ କେବଳ କଂଗ୍ରେସ କରିଛି । ଏପରି କରି କଂଗ୍ରେସ ୫ହଜାର ବର୍ଷ ପୁରୁଣା ହିନ୍ଦୁ ସଭ୍ୟତା ଉପରେ କଳଙ୍କ ଲଗାଇଛି । କଂଗ୍ରେସକୁ କ’ଣ ଏହି ପ୍ରସଙ୍ଗରେ କ୍ଷମା କରିଦେବା ଉଚିତ୍ ବୋଲି ମୋଦି ପ୍ରଶ୍ନ କରିଛନ୍ତି । ସେହିପରି ସମ୍ଝୋତା ବିସ୍ଫୋରଣ ମାମଲାରେ ଅସୀମାନନ୍ଦଙ୍କୁ ସୁପ୍ରିମକୋର୍ଟଙ୍କ ତରଫରୁ ମୁକ୍ତ କରାଯିବା ନିଷ୍ପତ୍ତି ବିଷୟରେ ମଧ୍ୟ ମୋଦି ଟିପ୍ପଣୀ କରିଛନ୍ତି । ମୋଦିଙ୍କ କହିବାନୁସାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଦ୍ୱାରା କଂଗ୍ରେସର ସବୁ ଯୋଜନା ବିଫଳ ହୋଇଯାଇଛି । ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅଭିଯାନ ମୁଁ ବି ଚୌକିଦାର ପ୍ରକ୍ରିୟାକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଉଥିବା ବେଳେ ମୋଦି ଏହାକୁ ନିଜ ପାଇଁ ପ୍ରଶଂସା ବୋଲି ଅଭିହିତ କରିଛନ୍ତି । ମୋଦିଙ୍କ କହିବାନୁସାରେ କଂଗ୍ରେସ ତାଙ୍କୁ ଶୌଚାଳୟ ଚୌକିଦାର କରି ତାତ୍ସଲ୍ୟ କରୁଛି । ମହିଳାଙ୍କ ଆତ୍ମସମ୍ମାନ ରକ୍ଷା କରିବା ପାଇଁ ସେ ଓ ତାଙ୍କ ସରକାର ଦେଶରେ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ଶୌ·ଳୟ ନିର୍ମାଣ କାର୍ଯ୍ୟକ୍ରମ ଆରମ୍ଭ କରାଇଥିଲେ । ଏହା ଦେଶର କୋଟି କୋଟି ମା’ ଭଉଣୀଙ୍କ ସମ୍ମାନର ବିଷୟ । ଏଥିପାଇଁ ଯଦି ତାଙ୍କୁ ଶୌଚାଳୟ ଚୌକିଦାର ଭାବେ କୁହାଯାଉଛି ତେବେ ଏଥିପାଇଁ ସେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି । କାରଣ ସେ ଦେଶର ମହିଳାଙ୍କ ଆତ୍ମସମ୍ମାନର ସୁରକ୍ଷା କରିବାରେ ସଫଳ ହୋଇଛନ୍ତି । ଏତଦ୍ବ୍ୟତୀତ ଏମିସେଟ୍ ଉପଗ୍ରହର ସଫଳ ପ୍ରକ୍ଷେପଣକୁ ନେଇ ଇସ୍ରୋ ବୈଜ୍ଞାନିକଙ୍କୁ ମୋଦି ଏହି ଅବସରରେ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ