ହିନ୍ଦୁ ଧର୍ମକୁ “ହିଂସ୍ର’ କହି ଅଡୁଆରେ ଉର୍ମିଳା, ମାମଲା ରୁଜୁ
ମୁମ୍ବାଇ(ଏଜେନ୍ସି): ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ଼ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ନାଁରେ ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଆଜି ଏକ ମାମଲା ରୁଜୁ ହୋଇଛି । ବିଜେପି ନେତା ସୁରେଶ ନଖୁଆ ଉର୍ମିଳାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଇଛନ୍ତି । ସୁରେଶଙ୍କ କହିବା ଅନୁସାରେ, ଉର୍ମିଳା ଏକ ଟିଭି ଶୋ’ରେ ହିନ୍ଦୁଧର୍ମ ଦୁନିଆର ସବୁଠାରୁ ହିଂସ୍ର ଧର୍ମ ବୋଲି ଅଭିହୀତ କରିଥିଲେ । ଏପରି କହି ସେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି ବୋଲି ସୁରେଶ କହିଛନ୍ତି । ଏହାସହିତ ସେ ଅଭିଯୋଗ ପତ୍ରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଜଣେ ସାମ୍ବାଦିକଙ୍କ ନାଁ ମଧ୍ୟ ଯୋଡ଼ିଛନ୍ତି । ପ୍ରକାଶ ଯେ, ଉର୍ମିଳା ଏକ ସାକ୍ଷାତକାରରେ କହିଥିଲେ, ଯେଉଁ ଧର୍ମ ନିଜର ସହିଷ୍ଣୁତା ଗୁଣ ପାଇଁ ପରିଚିତ ଥିଲା, ତାହା ବର୍ତ୍ତମାନ ସବୁଠାରୁ ହିଂସ୍ର ଧର୍ମ ପାଲଟିଯାଇଛି । ମୋଦି ସରକାରଙ୍କ ଏହି ୫ ବର୍ଷରେ ଏସବୁର ମାତ୍ରା ଅଧିକ ମାତ୍ରାରେ ବଢ଼ିଯାଇଛି । ତେଣୁ ଏହି ୫ବର୍ଷର ଶାସନକାଳକୁ ସେ ସବୁଠୁ ଅଧିକ ଘୃଣା କରୁଥିବା ମଧ୍ୟ କହିଥିଲେ । ଉର୍ମିଳା କହିଥିଲେ ଯେ ଦେଶରେ ଏବେ ବାକ୍ ସ୍ୱାଧୀନତାର ସମ୍ପୂର୍ଣ୍ଣ ଅଭାବ ରହିଛି । ଦେଶ ଅରାଜକତାର ସ୍ଥିତି ଆଡ଼କୁ ଅଗ୍ରସର ହେଉଥିବା ବେଳେ ଲୋକଙ୍କୁ ଲାଗୁଛି କି ହିଂସା ହିଁ ଏକମାତ୍ର ରାସ୍ତା । ଉଲ୍ଲେଖଯୋଗ୍ୟ, ଉର୍ମିଳା ଚଳିତ ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ପୂର୍ବରୁ ୨ଠଠ୪ ଲୋକସଭା ନିର୍ବାଚନରେ ଏହି ଆସନରୁ ଅଭିନେତା ଗୋବିନ୍ଦା କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।