ହିନ୍ଦୁ ଶରଣାର୍ଥୀ ମାନଙ୍କୁ ଭାରତରେ ସ୍ଥାୟୀ ନାଗରିକତା ଦେବା ପାଇଁ ବିଜେପି ବଦ୍ଧ ପରିକର : ଧର୍ମେନ୍ଦ୍ର ପ୍ରଧାନ
ଉମରକୋଟ : ଦେଶ ବାହାରୁ ଆସୁଥିବା ହିନ୍ଦୁ ଶରଣାର୍ଥୀ ମାନଙ୍କୁ ଭାରତରେ ସ୍ଥାୟୀ ନାଗରିକତା ଦେବା ପାଇଁ ଭାରତୀୟ ଜନତା ପାର୍ଟି ବଦ୍ଧ ପରିକର ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ବଙ୍ଗୀୟ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦେବା ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରରେ ବାଂଲାଦେଶରୁ ଆସିଥିବା କିମ୍ବା ପୃଥିବୀର ଅନ୍ୟ କୌଣସି ଦେଶରୁ ଆସିଥିବା ହିନ୍ଦୁ ଶରଣାର୍ଥୀମାନଙ୍କୁ ସ୍ଥାୟୀ ଭାରତୀୟ ନାଗରିକତା ଦେବାର ବିଲ୍ ଲୋକସଭାରେ ପାସ ହୋଇଛି । ମାତ୍ର କଂଗ୍ରେସ ଓ ବିଜୁ ଜନତା ଦଳମାନଙ୍କ ବିରୋଧ କାରଣରୁ ଏହି ବିଲ୍ ରାଜ୍ୟସଭାରେ ପାସ୍ ହୋଇପାରିନାହିଁ । ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ମେ’ ମାସ ସୁଦ୍ଧା ଏହି ବିଲକୁ ପାସ୍ କରାଯାଇ ଆଇନରେ ପରିଣତ କରାଯିବ । ସେହିପରି ଅନ୍ୟ ଏକ ପ୍ରଶ୍ନରେ କହିଛନ୍ତି ଯେ ବିଗତ ୧୯ ବର୍ଷ ଧରି ନବୀନ ବାବୁଙ୍କ ସରକାର ସବୁଠୁ ଅନ୍ୟାୟ ନବରଙ୍ଗପୁର ଜିଲ୍ଲାକୁ କରିଛି । ଅପାର ସମ୍ଭାବନାର ଜିଲ୍ଲା ନବରଙ୍ଗପୁରରେ ସ୍ଥାନୀୟ ଆଦିବାସୀଙ୍କୁ ରୋଜଗାର ନାହିଁ, ଗରିବ ଲୋକଙ୍କ ପାଇଁ ପାନୀୟ ଜଳ ନାହିଁ, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଅଧିକ ଡାକ୍ତର ନାହାନ୍ତି , ୨୪ ଘଂଟା ବିଜୁଳି ନାହିଁ । ନାହିଁ ନାହିଁର ସରକାରରେ ଲୋକମାନେ ଏଥର ଓଡିଶାରେ ପରିବର୍ତନ କରିବାର ମନବଳାଇଲେଣି । ନବରଙ୍ଗପୁରରେ ବିଜେପିର ସରକାର ହେଲେ ନବରଙ୍ଗପୁରର ରେଳ ଲାଇନ ଖୁବଶୀଘ୍ର ଆସିବା ସହ ଏଠାକାର ଜିଲ୍ଲାର ରୋଜଗାର, ଚିକିତ୍ସା ଓ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରଧାନ କହିଛନ୍ତି ।


