ହିନ୍ଦୁ ସମାଜକୁ ସଙ୍ଗଠିତ କରିବା ହିଁ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ମୂଳ ଲକ୍ଷ୍ୟ
ଭୁବନେଶ୍ୱର – ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଉଦ୍ଦେଶ୍ୟ ରାଷ୍ଟ ନିର୍ମାଣ । ଏକ ଆଦର୍ଶ ରାଷ୍ଟ୍ର ନିର୍ମାଣ ପାଇଁ ବ୍ୟକ୍ତି ନିର୍ମାଣର ଆବଶ୍ୟକତା ଅଛି । ତେଣୁ ସଙ୍ଘ ଆଦର୍ଶ ବ୍ୟକ୍ତିତ୍ୱ ନିର୍ମାଣରେ ତାର ଉଦ୍ୟମ ଜାରି ରଖିଛି । ଦେଶର ମଙ୍ଗଳ ଓ କଲ୍ୟାଣ ପାଇଁ ପୂରା ସମାଜ ପ୍ରସ୍ତୁତ ହେବା ଦରକାର । ସେଥିପାଇଁ ସମଗ୍ର ସମାଜ ଭିତରେ ଏକତାର ଆବଶ୍ୟକତା ଅଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ସମଗ୍ର ମାନବ ସମାଜ କିପରି ସଶକ୍ତ ହେବ ସେଥିପାଇଁ ତାର କାମ ଆରମ୍ଭ କରିଥିଲା ଓ ଆଜିବି ସେହି ସମାନ ଲକ୍ଷ୍ୟରେ ଆଗେଇ ଚାଲିଛି । ସଂପୂର୍ଣ୍ଣ ହିନ୍ଦୁ ସମାଜକୁ ସଙ୍ଗଠିତ କରିବା ହିଁ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ମୂଳ ଲକ୍ଷ୍ୟ । ସଙ୍ଘକୁ ସମାଜରେ ପ୍ରଭାବୀ ସଙ୍ଗଠନ ହେବାର ନାହିଁ । ସମାଜକୁ ସାଙ୍ଗରେ ନେଇ ସଙ୍ଘକୁ ଚାଲିବାର ଅଛି ବୋଲି ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ବିଶିଷ୍ଟ ନାଗରିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତିି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସରସଙ୍ଘଚାଳକ ପରମ ପୂଜନୀୟ ଡ. ମୋହନରାଓ ଭାଗବତ ।
ଶ୍ରୀ ଭାଗବତ ଜୀ କହିଛନ୍ତି ଯେ, ସଙ୍ଘକୁ ବୁଝିବାକୁ ହେଲେ ସଙ୍ଘକୁ ଆସିବାକୁ ପଡିବ । ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘରେ ଛୋଟ ବଡ ପଦବୀ କିଛି ନାହିଁ । ସମସ୍ତ ସ୍ୱୟଂସେବକ ସମାନ । କେବଳ ଦାୟୀତ୍ୱ ଆଧାରରେ ହିଁ ସଙ୍ଘରେ କିଏ କେଉଁ ସ୍ଥାନରେ ଥାଇପାରେ । ହେଲେ ସମସ୍ତଙ୍କର ଲକ୍ଷ୍ୟ ଏକ, ଉଦ୍ଦେଶ୍ୟ ସମାନ ଓ କାର୍ଯ୍ୟପଦ୍ଧତି ବି ଏକା । ଏହା ହିଁ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ।
ଦେଶର ଭାଗ୍ୟ ବଦଳିବା ପାଇଁ କେଉଁ ସରକାର, କେଉଁ ନେତା, କେଉଁ ମହାପୁରୁଷ ଯଥେଷ୍ଟ ନୁହନ୍ତିି । କେବଳ ସମାଜ ହିଁ ସେହି ରାଷ୍ଟ୍ରର ଭାଗ୍ୟ ବଦଳାଇ ପାରିବ । ସାଧାରଣ ଲୋକ ଯେତେବେଳେ ନିଜର ସ୍ୱାର୍ଥକୁ ଭୁଲିଯିବେ ଯେତେବେଳେ ସମାଜର ବୃହତର ସ୍ୱାର୍ଥ ସାଧନ ହେବ । ସମାଜର ଶ୍ରେଷ୍ଠତ୍ୱ ପାଇଁ ବ୍ୟକ୍ତି ନିର୍ମାଣର ଆବଶ୍ୟକତା ଅଛି । ପ୍ରତି ଗାଁ, ପ୍ରତି ସମାଜ, ପ୍ରତି ଗଳିରେ ଏପରି ବ୍ୟକ୍ତିତ୍ୱ ନିର୍ମାଣ ହେବା ଜରୁରୀ, ଯେଉଁମାନେ ସମାଜର ନେତୃତ୍ୱ ନେଇପାରିବେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଶାଖା ଦ୍ୱାରା ଏପରି ବ୍ୟକ୍ତି ନିର୍ମାଣ ହୁଏ । ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଶାଖାରେ କେବଳ ରାଷ୍ଟ୍ର ଭାବନା ଜାଗ୍ରତ ହୁଏ, ତାହା ନୁହେଁ ଏହାସହ ପ୍ରତିଦିନ ସମାଜ ଭୋଗୁଥିବା ସାମାଜିକ ଅସୁବିଧାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ମଧ୍ୟ ହୋଇଥାଏ ବୋଲି ମୋହନଜୀ କହିଛନ୍ତି ।
ଏହି ବିଶିଷ୍ଟ ନାଗରିକ ସମ୍ମିଳନିର ମଂଚରେ ପ୍ରାନ୍ତ ସଙ୍ଘଚାଳକ ସମୀର କୁମାର ମହାନ୍ତି, ବିଭାଗ ସଙ୍ଘଚାଳକ ବୈକୁଣ୍ଠନାଥ ସାହୁ ଓ ମହାନଗର ସଙ୍ଘଚାଳକ ମାନନୀୟ ବସନ୍ତ କୁମାର ପତି ଉପସ୍ଥିତ ଥିଲେ ।


