ହିନ୍ଦ୍ ମଜଦୁର ସଭା ରାଜ୍ୟ ମହିଳା କମିଟି ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଜି ପୂର୍ବାହ୍ନରେ ହିନ୍ଦ୍ ମଜଦୁର ସଭା ରାଜ୍ୟ କାର୍ଯ୍ୟାଳୟରେ ମହିଳା କମିଟିର ଏକ ବୈଠକ ରାଜ୍ୟ ସଭାନେତ୍ରୀ ସୁଶ୍ରୀ ଲକ୍ଷ୍ମୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହିନ୍ଦ୍ ମଜଦୁର ସଭାର ରାଜ୍ୟ ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କେନ୍ଦ୍ର ଉପସଭାପତି ଶ୍ରୀ ରାଜେନ୍ଦ୍ର ପ୍ରସାଦ ସିଂ, ସାଧାରଣ ସମ୍ପାଦକ ଶ୍ରୀ ଯୋଗେନ୍ଦ୍ର ତ୍ରିପାଠୀ, ଡ଼େପୁଟି ଜେନେରାଲ ସେକ୍ରେଟାରୀ ଳକ୍ଷ୍ମୀଧର ସାହୁ, ଉପସଭାପତି ଯୁଗଳ ନାୟକ, ସମ୍ପାଦକ ରାଜେନ୍ଦ୍ର ଦାସ ଓ ବିରଜା କିଙ୍କର ନାୟକ, ଉପ-ସଭାପତି ସଂଯୁକ୍ତା ମହଲ, ସମ୍ପାଦକ ଜ୍ଞାନ ରଞ୍ଜନ ଦାସ, କୋଷାଧ୍ୟକ୍ଷ ନବକିଶୋର ମଲ୍ଲିକ, ରୁଦ୍ରାଣୀ ନାଥ, ପାକିଜା ବେଗମ, ସୁଜାତା ନାୟକ, ମମତା ନାୟକ, ନିର୍ମଳା ଜେନା, ଲକ୍ଷ୍ମୀପ୍ରିୟା ବେହେରା, ସ୍ନେହଲତା ବାରିକ, ଅଶୋକ ରାଉତ, ପ୍ରଣତୀ ନାୟକ, ରୀନା ନାଏକ ପ୍ରମୁଖ ବହୁ ନାରୀନେତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟରେ ସରକାରୀ ଓ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ କରିବା ଏବଂ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବାଟାଲିୟନ ପ୍ରତିଷ୍ଠା କରିବା ପାଇଁ ସର୍ବସମ୍ମତ ମତପ୍ରକାଶ ପାଇଥିଲା । ଏତଦ୍ବ୍ୟତୀତ ଅନ୍ୟ ଏକ ପ୍ରସ୍ତାବରେ କେନ୍ଦ୍ର ସରକାର ୩ଟି କଳା କୃଷି ଆଇନକୁ ବାତିଲ୍ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଆନ୍ଦୋଳନ ସମୟରେ ପ୍ରାଣବଳୀ ଦେଇଥିବା କୃଷକ ନେତାମାନଙ୍କୁ ଶହୀଦ ଭାବେ ଘୋଷଣା କରିବା ଓ ପ୍ରତ୍ୟେକଙ୍କ ପରିବାରକୁ ଏକକୋଟି ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବୀ କରାଯିବା ସଙ୍ଗେ ସଙ୍ଗେ ନୂତନ ଶ୍ରମିକ ବିରୋଧୀ କୋଡ୍କୁ ବାତିଲ୍ କରିବା ପାଇଁ ବୈଠକରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରାଯାଇଛି ।


