ହିମବାହ ତରଳାଇବ ଆମାଜନ ନିଆଁ

ରିଓ ଡି ଜେନିରୋ: ଚିରହରିତ୍‌ ଅରଣ୍ୟ ଆମାଜନରେ ଲାଗିଥିବା ନିଆଁ ଯୋଗୁ ହିମବାହ ତରଳିବା ବୃଦ୍ଧିପାଇବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି। ଦକ୍ଷିଣପଶ୍ଚିମ ଆମାଜନିଆ (ବ୍ରାଜିଲ, ପେରୁ ଓ ବଲିଭିଆରେ ଥିବା ଆମାଜନ)ରେ ଲାଗିଥିବା ନିଆଁ ଲିଭୁନାହିଁ। ଏଥିଯୋଗୁ ଆଣ୍ଡିଜ୍‌ ଓ ଦକ୍ଷିଣ ଆମେରିକାରେ ଥିବା ଉଷ୍ମ ମଣ୍ଡଳୀୟ ହିମବାହଗୁଡ଼ିକ ଅଧିକରୁ ଅଧିକ ପରିମାଣରେ ତରଳିବ ବୋଲି ଏକ ଗବେଷଣାରୁ ସେମାନେ ଜାଣିବାକୁ ପାଇଛନ୍ତି। ବ୍ରାଜିଲସ୍ଥିତ ରିଓ ଡି ଜେନିରୋ ଷ୍ଟେଟ୍‌ ୟୁନିଭର୍ସିଟିର ଗବେଷକ ନିଉଟନ୍‌ ଡି ମଗଲହାଏସ୍‌ ନେଟୋ ଓ ତାଙ୍କ ସହଯୋଗୀମାନେ ଆମାଜନ ଅବବାହିକାରେ ବାୟୋମାସ୍‌ ଜଳିବା ଫଳରେ ବଲିଭିଆର ଜୋଙ୍ଗୋ ହିମବାହ ଉପରେ ଏହାର ସମ୍ଭାବ୍ୟ କୁପ୍ରଭାବ ନେଇ ଏକ ମଡେଲ ପ୍ରସ୍ତୁତ କରିଥିଲେ। ଏଥିପାଇଁ ସେମାନେ ୨୦୦୦ରୁ ୨୦୧୬ ମଧ୍ୟରେ ଘଟିଥିବା ଅଗ୍ନିକାଣ୍ଡ, ଧୂମବଳୟ, ବର୍ଷା ଓ ହିମବାହ ତରଳିବା ସମ୍ପର୍କିତ ତଥ୍ୟକୁ ଉପଯୋଗ କରିଥିଲେ। ଜୈବବର୍ଜ୍ୟ ଜଳିବା ଫଳରେ ସେଥିରୁ ସୃଷ୍ଟ ବ୍ଲାକ୍‌ କାର୍ବନ ଭଳି ସୂକ୍ଷ୍ମକଣିକାଗୁଡ଼ିକ ପବନରେ ଉଡି ଉଷ୍ମ ମଣ୍ଡଳୀୟ ଆଣ୍ଡିଆନ୍‌ ଗ୍ଲେସିୟରରେ ପହଞ୍ଚତ୍ଥାଏ। ଏହା ହିମବାହକୁ ଅଧିକ ମାତ୍ରାରେ ତରଳାଇଥାଏ ବୋଲି ସାଇଣ୍ଟିଫିକ୍‌ ରିପୋର୍ଟ ଜର୍ନାଲରେ ପ୍ରକାଶିତ ଅଧ୍ୟୟନରେ ଉଲ୍ଲେଖ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ