ହିଲଟପ ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପିକା : ଅଧ୍ୟାପକ ଓ କର୍ମଚାରୀଙ୍କ ଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା) :-ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଦୁଇ ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କ ମନମୁଖୀ ଶାସନ ଓ ମାରଣ ନିତୀକୁ ବିରୋଧ କରି ମହାବିଦ୍ୟାଳୟ ସମ୍ମୁଖରେ କିଛି ଘଣ୍ଟା ପାଇଁ ଧାରଣାରେ ବସିଥିଲେ ।ପରେ ବୁଝାସୁଝା ପରେ ଧାରଣାରୁ ହଟିଥିଲେ । ସୂଚନା ଥାଉ କି ମହାବିଦ୍ୟାଳୟର କିଛି ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ୧୦ ରୁ ୧୨ ବର୍ଷ ଧରି ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ଵାରା ମନୋନୀତ ହୋଇ ସ୍ଵଳ୍ପ ଦରମାରେ ଦୀର୍ଘବର୍ଷ ଧରି ଶିକ୍ଷାର୍ଥୀମାନଙ୍କୁ ପାଠପଢ଼ାଇବା ସହିତ ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟ ସମ୍ପାଦନା କରି ଆସୁଛନ୍ତି । କମିଟିର ନିୟମ ଓ ଚୁକ୍ତିନାମା ପ୍ରକାରେ ପ୍ରତ୍ୟେକ ବର୍ଷ ସରକାରୀ ହୋଇନଥିବା କର୍ମଚାରୀ (ଅଧ୍ୟାପକ/ଅଧ୍ୟାପିକା )ଙ୍କ ଦରମା ଶତକଡା ଦଶଭାଗ ବୃଦ୍ଧି କରାଯିବ । କିନ୍ତୁ ଦୀର୍ଘ ୫ ବର୍ଷ ହେଲା ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି, ଅଧ୍ୟାପକ ଜଗନ୍ନାଥ ପଣ୍ଡା ଓ ଅଧ୍ୟାପିକା ସ୍ୱୟଂପ୍ରଭା ସାହୁ ସଲାସୁତରା ହୋଇ ମହାବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ଅନୁଦାନ ପାଣ୍ଠିକୁ ହଡପ କରିବା ସହିତ କର୍ମଚାରୀଙ୍କୁ ନାଲି ଆଖି ଦେଖାଇ ମାସିକ ପାଉଣାକୁ ବୃଦ୍ଧି ନକରି ଅନୁଷ୍ଠାନରୁ ଲୁଟିବାରେ ଲାଗିଛନ୍ତି । ବାରମ୍ଵାର କର୍ମଚାରୀମାନେ ପାଉଣା ବୃଦ୍ଧି କରିବା ପାଇଁ କହି ଆସୁଥିଲେ ମଧ୍ୟ ଅଧ୍ୟକ୍ଷ ଶ୍ରୀ ମହାନ୍ତି ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ରାଜ୍ୟରେ ଖାଉଟି ସାମଗ୍ରୀ ସହିତ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଘଟି ଚାଲିଥିବାବେଳେ ମାତ୍ର ୭ରୁ ୮ହଜାର ମାସିକ ସ୍ଵଳ୍ପ ପାଉଣାରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି ବୋଲି ଦୁଃଖଭରା କଣ୍ଠରେ କର୍ମଚାରୀମାନେ କହିଛନ୍ତି । ଏ ସଂପର୍କରେ କର୍ମଚାରୀମାନଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ନ ମିଳିବା ଫଳରେ ବାଧ୍ୟ ହୋଇ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ବସିଥିଲେ । ଦୀର୍ଘ ସମୟ ଧାରଣାରେ ବସିରହିବା ପରେ ଅଧ୍ୟକ୍ଷ ଆସି ପାଉଣା ବୃଦ୍ଧି କରିବାର ପ୍ରତିଶୃତି ଦେବାପରେ କର୍ମଚାରୀମାନେ ଧାରଣାରୁ ଉଠିଥିଲେ ।