ହୃଦ୍ ରୋଗରେ ପୀଡିତ ଶିଶୁର ସଫଳ ଅସ୍ତ୍ରୋପଚାର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିବ୍ଲକ ବଡ଼ଖଣ୍ଡି ପଞ୍ଚାୟତ ଅଧିନ ରଙ୍ଗୁଣୀପଲ୍ଲୀ ଗାଁର ଶିଶୁକନ୍ୟା ସୋନାଲି ନାୟକ।ବାପା ବାଜି ନାୟକ ଓ ମା ବିଷ୍ଣୁ ନାୟକ ଆରପାରି ରେ।ବାପା,ମା ଛେଉଣ୍ଡ ସୋନାଲିର ବୟସ ମାତ୍ର ୩ ବର୍ଷ ୧୦ ମାସ।ମାମୁଁ ସୂର୍ଯ୍ୟ ନାରାୟଣ ନାୟକ ତା’ର ଲାଳନ ପାଳନ କରନ୍ତି।ଭଲରେ କଥା ପଦେ କହି ଆସେନି କି ଚାଲି ମଧ୍ୟ ଜାଣେନି।କଅଁଳିଆ ବୟସରେ ନିଷ୍ପାପ ଶିଶୁକନ୍ୟାଟି ହୃଦ୍ ରୋଗରେ ପୀଡ଼ିତ ବୋଲି ପ୍ରଥମେ ଚିହ୍ନଟ କରିଥିଲେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଟିମର ଡାକ୍ତର ଦୀପ୍ତି ରଞ୍ଜନ ମହାପାତ୍ର।ଜନ୍ମରୁ ଶିଶୁଟିର ହୃଦୟରେ ୧୦ ମିମିର ରନ୍ଧ୍ର ଥିଲା ବୋଲି ପ୍ରଥମେ ଜଣା ପଡିଥିଲା। ରଙ୍ଗୁଣୀପଲ୍ଲୀ ଗ୍ରାମରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହା ଜଣା ପଡିଥିଲା।ଡାକ୍ତର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେରେ ପ୍ରଥମେ ସୋନାଲିର ଇକୋ ପରୀକ୍ଷଣ ହୋଇଥିଲା।ପରେ ରାଜ୍ୟ ସରକାରଙ୍କ ସହଯୋଗ କ୍ରମେ ଶିଶୁକନ୍ୟାର ଅସ୍ତ୍ରୋପଚାର ପାଇଁ ଅହମ୍ମଦାବାଦ ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ସୋନାଲିଙ୍କ ହୃଦ୍ ରୋଗର ଅସ୍ତ୍ରୋପଚାର ସଫଳତା ହୋଇଛି। ବର୍ତ୍ତମାନ ସେ ସୁସ୍ଥ ଥିବା ତାଙ୍କ ମାମୁଁ କହିଛନ୍ତି।ଏଥିପାଇଁ ରାଜ୍ୟ ସରକାର ଏବଂ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡାକ୍ତର ପ୍ରତିଭା ପାତ୍ର ଓ ଡାକ୍ତର ଦୀପ୍ତି ରଞ୍ଜନ ମହାପାତ୍ରଙ୍କ ଟିମ ସହଯୋଗୀଙ୍କୁ ଶିଶୁକନ୍ୟାର ମାମୁଁ କୃତଜ୍ଞତା ଜ୍ଞାପନ କରିଛନ୍ତି।


