‘ହେଲଦି ଲାଇଫ’ ପକ୍ଷରୁ ଜାତୀୟସ୍ତରୀୟ ଯୋଗ ପ୍ରତିଯୋଗିତା ‘ବିନ୍ୟାସ – ୨୦୨୩’ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସହଯୋଗରେ ବାଲେଶ୍ୱରର ଇନଷ୍ଟିଚ୍ୟୁଟ ଅଫ ନେଚର କିୟର ଏଣ୍ଡ ଯୋଗିକ୍ ସାଇନ୍‌ସ ଦ୍ୱାରା ପରିଚାଳିତ ‘ହେଲଦି ଲାଇଫ ଯୋଗ ମହାବିଦ୍ୟାଳୟ’ ପକ୍ଷରୁ ଜାତୀୟସ୍ତରୀୟ ଯୋଗ ପ୍ରତିଯୋଗିତା ‘ବିନ୍ୟାସ – ୨୦୨୩’ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପୌରାଧ୍ୟକ୍ଷା ସବିତା ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ ସହ ବାଳେଶ୍ୱରରେ ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନକୁ ନେଇ ହେଲଦି ଲାଇଫ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ । ଆଧୁନିକ ଯୁଗରେ ଚିକିତ୍ସା ପ୍ରଣାଳୀ ଯେତେ ଆଗେଇଥିଲେ ବି୍ୱାନବ ସମାଜ ପାଇଁ ଭାରତୀୟ ସଂସ୍କୃତି ଉପରେ ଆଧାରିତ ପ୍ରାକୃତିକ ଚିକିତ୍ସା ଏବଂ ଯୋଗାଭ୍ୟାସ ଏକାନ୍ତ ଆବଶ୍ୟକ ବୋଲି ଶ୍ରୀମତୀ ସାହୁ କହିଥିଲେ । ଦୈନିକ ଓଡ଼ିଆ ଖବର କାଗଜ ‘ଧ୍ୱନି ପ୍ରତିଧ୍ୱନି’ର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା, ସମିତି ସଭ୍ୟା ଶାନ୍ତା ଦାସ, ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଜ୍ଞାନରଞ୍ଜନ ବେହେରା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶରୀର ଏବଂ ମନ ମଧ୍ୟରେ ସମନ୍ୱୟ ରକ୍ଷା, ମାନସିକ ଶାନ୍ତି ଓ ନିରୋଗ ସ୍ୱାସ୍ଥ୍ୟ ପାଇଁ ଯୋଗାଭ୍ୟାସ କରିବା ଉଚିତ ବୋଲି କହିଥିଲେ । ୫ବର୍ଷରୁ ୮୦ବର୍ଷ ପର୍ଯ୍ୟନ୍ତ ସବୁବର୍ଗର ଲୋକେ ନିୟମିତ ଯୋଗାଭ୍ୟାସ କଲେ ନିରୋଗ ଭାରତ ନିର୍ମାଣ ହୋଇପାରିବ । ବିଶେଷ କରି କୋଭିଡ କାଳରେ ଯୋଗାଭ୍ୟାସ ଓ ପ୍ରାଣାୟମର ମହତ୍ୱ ସମଗ୍ର ବିଶ୍ୱକୁ ନୂଆ ଦିଶା ଦେଇଥିଲା । ପ୍ରତ୍ୟେକ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେଉଥିଲେ ବି ଏହାକୁ ଜନାଦୃତ ପାଇଁ ସାମୂହିକ ପ୍ରଚେଷ୍ଟା ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ । ହେଲଦି ଲାଇଫ ମହାବିଦ୍ୟାଳୟର ନିର୍ଦ୍ଦେଶକ ଡାକ୍ତର ଚିତ୍ତରଞ୍ଜନ ସାହୁ ଏହି ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ଜାତୀୟସ୍ତରୀୟ ପ୍ରତିଯୋଗିତାର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ଦାସ ଏଥିରେ ସଂଯୋଜନା କରିବା ସହ ଜାତୀୟ ସ୍ତରର ଯୋଗ ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବାଲେଶ୍ୱର ଯୋଗ ସମିତିର ସମ୍ପାଦକ ସୁଜିତ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସହରର ଯୋଗ ପ୍ରଶିକ୍ଷାର୍ଥୀ, ଯୋଗ ପ୍ରଶିକ୍ଷକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ଏଥିରେ ସ୍ଥାନୀୟ ଓଡିଶାର ବିଭିନ୍ନ ଅଂଚଳର ଯୋଗ ମହାବିଦ୍ୟାଳୟ ଓ ଅନୁଷ୍ଠାନମାନଙ୍କରୁ ୭୦ ଜଣ ଓ ରାଜ୍ୟ ବାହାରୁ ୩୦ ଜଣଙ୍କ ସମେତ ସ୍ଥାନୀୟ ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୨୨୫ଜଣ ଅଂଶଗ୍ରହଣ କରୁଛନ୍ତି । ଦେଶର ବିଭିନ୍ନ ଅଂଚଳର ବିଚାରକ, କୋଚ ଓ ରେଫରୀ ପ୍ରତିଯୋଗିତା ପରିଚାଳନା କରୁଛନ୍ତି । ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ମନୋନୀତ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଉଦଯାପନୀ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ହେଲଦି ଲାଇଫ ପକ୍ଷରୁ ସୂଚନା ଦିଆଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ