ହେଲଦି ଲାଇଫ ପକ୍ଷରୁ ନିଃଶୁଳ୍କ ଥାଲାସେମିଆ ଚିକିତ୍ସା ପରାମର୍ଶ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ହେଲଦି ଲାଇପ ଯୋଗ ମହାବିଦ୍ୟାଳୟ ପକ୍ଷରୁ ଥାଲାସେମିଆ ଓ ସ୍ୱାସ୍ଥ୍ୟ ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଥାଲାସେମିଆ କେୟାର ସୋସାଇଟି ଓ ବେଙ୍ଗଲୁରୁ ଆଷ୍ଟର ସିଏମଏସଆଇ ସଂସ୍ଥାର ସହାୟତାରେ ଆୟୋଜିତ ଶିବିରକୁ ଥାଲାସେମିଆ ବିଶେଷଜ୍ଞ ଡାକ୍ତର ଷ୍ଟାଲିନ ରାମପ୍ରକାଶ ଉଦଘାଟନ କରିଥିଲେ । ଦୈନିକ ଓଡ଼ିଆ ଖବରକାଗଜ ଧ୍ୱନିପ୍ରତିଧ୍ୱନିର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥାଲାସେମିଆ ରୋଗର ପ୍ରତିଷେଧକ ବ୍ୟବସ୍ଥା ଓ ନିରାକରଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ତେବେ ଥାଲାସେମିଆ ରୋଗ ନିରାକରଣ ସମ୍ପର୍କିତ ଜନସଚେତନତା ସୃଷ୍ଟି ଦିଗରେ ହେଲଦି ଲାଇଫ ଅନୁଷ୍ଠାନର ଏହି ଶିବିର ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସେ କହିଥିଲେ । ହେଲଦି ଲାଇଫର ନିର୍ଦ୍ଦେଶକ ଡାକ୍ତର ଚିତରଞ୍ଜନ ସାହୁ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ଥାଲାସେମିଆ କେୟାର ସୋସାଇଟିର ସାଧାରଣ ସମ୍ପାଦକ ନିରାକାର ପଣ୍ଡା ଅନୁଷ୍ଠାନର କାର୍ଯ୍ୟଦାରା ସମ୍ପର୍କରେ ସୂଚନା ଦେଇଥିଲେ । ଯୁଗ୍ମ ସମ୍ପାଦକ ଦୀପକ କୁମାର ଜାଲି ଓ ସିଏମଆଇ ଚିକିତ୍ସାଳୟର ପରିଚାଳକ ସୁରେଶ କୁମାର ଏଥିରେ ଉପସ୍ଥିତ ଥିଲେ । ଶିବିରରେ ୭୦ରୁ ଅଧିକ ଥାଲାସେମିଆ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ସମସ୍ତଙ୍କୁ ଚିକିତ୍ସା ପରାମର୍ଶ ପ୍ରଦାନ କରାଯାଇଥିଲା । ହେଲଦି ଲାଇଫ ମହାବିଦ୍ୟାଳୟ ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିମାସରେ ଏହିଭଳି ଶିବିର ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ରଘୁନାଥ ପ୍ରଧାନ, ପୀତବାସ ବିଶ୍ୱାଳ, କବିତା ନାୟକ, ଅନୀତା ମିଶ୍ର, ଦମୟନ୍ତୀ ମହାପାତ୍ର, ମମତା ମଢ଼ୁଆଳ, ଅନୀତା ଦାସ, ସୁଚିସ୍ମିତା ଣ୍ଡା ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ ।


