ହେଲମେଟ କଟକଣାକୁ ଫୁ’ ଡ଼ବଲ ତ ଦୁରର କଥା, ସିଙ୍ଗଲ ବି ମୁକୁଳା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଦୂର୍ଘଟଣା ରୋକିବା ଏବଂ ମୃତ୍ୟୁହାର ହ୍ରାସ କରିବା ପାଇଁ ସରକାରଙ୍କ ପକ୍ଷରୁ ଇଂରାଜୀ ନୂତନ ବର୍ଷରୁ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି । ୨ଚକିଆ ଯାନରେ ଆରୋହୀଙ୍କ ସମେତ ପଛରେ ବସିଥିବା ସାଥୀ ମଧ୍ୟ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଏହି ନିୟମକୁ ମାନୁନାହାନ୍ତି ଗାଡ଼ି ଚାଳକ । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ସହରରେ ଏହାର ବ୍ୟତିକ୍ରମ ହେଉଥଇବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଏ ନେଇ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ହେଲେ ଜନସଚେତନତା ଅଭାବରୁ ବାଇକ ଚାଳକ ମାନେ ହେଲମେଟ ପିନ୍ଧୁନଥିବା ଦେଖିବାକୁ ମିଳୁଛି । ସାଧାରଣତଃ ବାଇକ ଚାଳକ ମାନେ ଗାଡ଼ି ଚାଳନା ସମୟରେ ହେଲମେଟକୁ ନିଜ ବାଇକରେ ହେଲମେଟକୁ ଝୁଲାଇ ରଖିଥିବାରେ ଦେଖିବାକୁ ମିଳୁଛି । ପୁଲିସ ପ୍ରଶାସନ ପକ୍ଷରୁ ଯେଉୂଁ ସ୍ଥାନରେ ଯାନବାହାନ ଯାଂଚ କରାଯାଉଛି, ସେହି ସ୍ଥାନରୁ କିଛି ମିଟର ଦୂରରୁ ଚାଳକ ମାନେ ପୁଲିସକୁ ଦେଖି ହେଲମେଟ ପିନ୍ଧୁଥିବାର ଦେଖିବାକୁ ମିଳୁଛି । ପୁଣି ଥରେ ଯାଂଚ ସ୍ଥାନ ଅତିକ୍ରମ ପରିବା ପରେ ଆରୋହୀ ମାନେ ହେଲମେଟକୁ ବାହାର କରି ଗାଡ଼ିରେ ଝୁଲାଇ ଦେଇଥାନ୍ତି । ଇଂରାଜୀ ନୂତନ ବର୍ଷ ଆରମ୍ଭରୁ ବାଇକ ଚାଳକ ସମେତ ପଛରେ ବସିବା ଲୋକଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ହିଞ୍ଜିଳିକାଟୁ ସହର ସମେତ ନିକଟବର୍ତି ଅଂଚଳରେ ଉକ୍ତ ନିୟମ କାର୍ଯ୍ୟକାରୀ ହୋଇନଥିବା ପରି ମନେ ହେଉଛି । ବାଇକର ପଛରେ ବସିଥିବା ଲୋକ ହେଲମେଟ ପିନ୍ଧିବା ତ ଦୂରର କଥା ବହୁ ଚାଳକ ମାନେ ମଧ୍ୟ ହେଲମେଟ ପିନ୍ଧିନଥିବା ଦେଖିବାକୁ ମିଳିଛି । ଏଭଳି ନିୟମ ଉଲଘଂନ କରୁଥିବା ଚାଳକ ମାନଙ୍କୁ ଧରି ଆବଶ୍ୟକୀୟ କାର୍ଯ୍ୟାନେୁଷ୍ଠାନ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ଉଚ୍ଛ ପ୍ରକାଶ ପାଇଛି । ସ୍ଥାନୀୟ ସହର ମଧ୍ୟରେ ସିସିଟିଭି ଲଗାଗଲେ ଅମାନିଆ ବାଇକ ଚାଳକ ମାନଙ୍କୁ ଧରା ଯାଇପାରନ୍ତା ବୋଲି କୁହାଯାଇଛି । ଏ ନେଇ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କୁ ପଚାରିବାରୁ ସେ କୁହନ୍ତି ଜନସାଧାରଣ କେବଳ ଫାଇନରୁ ବର୍ତିବା ପାଇଁ ହେଲମେଟ ବ୍ୟବହାର ନକରି ଜୀବନ ରକ୍ଷା କରିବାକୁ ହେଲମେଟ ବ୍ୟବହାର କରନ୍ତୁ । ନିଜେ ସଚେତନ ହେଲେ ହିଁ ନିଜର ଜୀବନ ସୁରକ୍ଷା ହୋଇପାରିବ । ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଏନଫୋର୍ସମେଂଟ ଟିମ୍ ଗଠନ କରାଯାଇଛି । ପ୍ରତ୍ୟହ ସ୍ଥାନୀୟ ଥାନା ଅଂଚଳର ବିଭିନ୍ନ ଛକ ସ୍ଥାନ ଗୁଡ଼ିକରେ ଯାନବାହାନ ଯାଂଚ କାର୍ଯ୍ୟ କରାଯାଇ ନିୟମ ଉଲଘଂନକାରୀ ଚାଳକ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଆସନ୍ତା ଏପ୍ରିଲ ମାସ ଆରମ୍ଭରୁ ଟ୍ରାଫିକ ନିୟମ ଆହୁରି କଡ଼ାକଡ଼ି କରାଯିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।