ହେଲମେଟ ଚେକିଂକୁ ନେଇ ପୋଲିସ ହଟହଟା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଆଜି ହେଲମେଟ ଓ ମାସ୍କ ଚେକିଂକୁ ନେଇ ଭଣ୍ଡାରିପୋଖରୀ ପୁଲିସ ହଟହଟା ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦିନ ପ୍ରାୟ ୧୨ଟା ବେଳେ ଜାତୀୟ ରାଜପଥର ପାଳଦା ବାଙ୍କ ପୋଲ ତଳେ ପୁଲିସ ଭ୍ୟାନ ପହଂଚି ମାସ୍କ ଓ ହେଲମେଟ ଚେକିଂ ଆରମ୍ଭ କରିଥିଲା । ବର୍ତ୍ତମାନ ରାସ୍ତାକାମ ଚାଲିଥିବାରୁ ଏହି ପୋଲ ତଳେ ଦୈନିକ ଶହଶହ ମୋଟର ଯାନ ଯାତାୟତ କରିଥାଏ । ତେଣୁ ଦୈନିକ ରୁଟିନ ଅନୁଯାୟୀ ପୁଲିସ ଆଜି ଚେକିଂ ଆରମ୍ଭ କରିଥିଲା । ପ୍ରଥମରୁ କିଛି ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ ହୋଇଥିବା ବେଳେ କିଛି ସମୟ ପରେ ଚେକିଂକୁ ନେଇ ଉତ୍ତେଜନା ଆରମ୍ଭ ହୋଇଥିଲା । ଆଜି ପୁଲିସ ଯେଉଁ ଗାଡିଟିକୁ ନେଇ ଚେକିଂ କରିବାକୁ ଯାଇଥିଲା ସେହି ଯାନର କାଗଜପତ୍ର ଠିକ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ । କିଛି ସଚେତନ ନାଗରିକ ମୋବାଇଲ ଆପ ଜରିଆରେ ପୁଲିସ ଗାଡିର ନମ୍ବରକୁ ମାରି କାଗଜପତ୍ର ଠିକ ନଥିବା ଜାଣିବାକୁ ପାଇଥିଲେ । ପରେପରେ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯଦିଓ ଗାଡିଟି ଥାନା ପକ୍ଷରୁ ଅସ୍ଥାୟୀ ଭାବେ ଭଡାରେ ଆସିଥିଲା କିନ୍ତୁ ତାର କାଗଜପତ୍ର ଠିକ ନଥିବାରୁ ପୁଲିସକୁ ଆଜି ଅଡ଼ୁଆ ପରିସ୍ଥିତିର ସାମ୍ନା ହେବାକୁ ପଡିଥିଲା । ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଥିଲା ।


