ହୋମଗାର୍ଡକୁ ଗିରଫ ଦାବିରେ ରାସ୍ତା ରୋକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଦାରିଙ୍ଗବାଡ଼ି ବ୍ଲକ ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କ ମାଡ଼ରେ ଜଣେ ପିକଅପ ଗାଡିର ଡ୍ରାଇଭର ଗୁରୁତର ହୋଇଥିବା ଘଟଣାରେ ସମ୍ପୃକ୍ତ ହୋମଗାର୍ଡଙ୍କୁ ଗିରଫ ଦାବିରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ରାସ୍ତାରୋକ କରିଛନ୍ତି। ଏନେଇ ଦାରିଙ୍ଗବାଡ଼ି ବଜାରରେ ରାଲି କରିବା ସହ ଦାରିଙ୍ଗବାଡ଼ି ଚାରିଛକରେ ଏକାଠି ହୋଇ ରାସ୍ତାରୋକ କରି ଟାୟାର ଜାଳି ରାସ୍ତାରେ ଧାରଣା ଦେଇଛନ୍ତି। ଫଳରେ ଜାତୀୟ ରାଜପଥରେ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ ହୋମଗାର୍ଡ ଗିରଫ ନହେବା ପର୍ଯ୍ୟନ୍ତ ଧାରଣାରେ ବସିରହିବେ ବୋଲି ଅଟଳ ଅଛନ୍ତି ମହିଳା ମାନେ। ଏଥି ସହିତ ଘଟଣା ଘଟିବାର ୬ ଦିନ ବିତିଯାଇଥିଲେ ସୁଦ୍ଧା ହୋମଗାର୍ଡଙ୍କୁ କାହିଁକି ଗିରଫ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି ମହିଳାମାନେ। ସୂଚନା ଯୋଗ୍ୟ କି, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁର୍ଜୁବାଡ଼ି ଗ୍ରାମର ପ୍ରଶାନ୍ତ ପ୍ରଧାନ ଏକ ଡାଲା ପିକଅପ ଚଳାଇ ଗତ ୨୧ ତାରିଖ ରାତିରେ ଦାରିଙ୍ଗବାଡ଼ି ଚାରିଛକ ଠାରେ ଗାଡି ବୁଲାଉଥିବା ବେଳେ ହୋମଗାର୍ଡ ରତ୍ନାକର ନାୟକଙ୍କ ସ୍କୁଟିକୁ ସାମାନ୍ୟ ଧକ୍କା ହୋଇଥିଲା। ଏଥିରେ ହୋମ ଗାର୍ଡ ଜଣକ ଉତକ୍ଷୀପ୍ତ ହୋଇ  ପ୍ରଶାନ୍ତ ପ୍ରଧାନଙ୍କୁ ମାଡ଼ ମାରିଥିଲେ। ପରେ ପ୍ରଶାନ୍ତ ଗାଡିକୁ ନେଇ ଷ୍ଟାଣ୍ଡରେ ପହଞ୍ଚିଥିଲେ। ହୋମଗାର୍ଡ ସେଠାରେ ମଧ୍ୟ ପହଞ୍ଚି ପ୍ରଶାନ୍ତଙ୍କୁ ନିର୍ଧୁମ ମାଡ଼ ମାରିଥିବା ପ୍ରଶାନ୍ତ ଅଭିଯୋଗ କରିଛନ୍ତି। ହୋମଗାର୍ଡଙ୍କ ମାଡରେ ପ୍ରଶାନ୍ତ ଗୁରୁତର ହୋଇ ଘଟଣାସ୍ଥଳରେ ମୂର୍ଚ୍ଛା ହୋଇ ପଡିଯାଇଥିଲେ। ଏହା ପରେ ପ୍ରଶାନ୍ତଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତରିତ  କରିଥିଲେ। ଏହାପରେ ପରିବାର ଲୋକ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନେଇଥିଲେ। ଏନେଇ ପରିବାର ଲୋକ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଦାରିଙ୍ଗବାଡ଼ି ପୁଲିସ ମାମଲା ରୁଜୁ ନକରି ଆପୋଷ ସମାଧାନ କରିବାକୁ ଚାପ ପକାଉଥିଲେ। ଏଣୁ ପରିବାର ଲୋକ ସମେତ ଗ୍ରାମବାସୀ କନ୍ଧମାଳ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କନ୍ଧମାଳ ଏସପିଙ୍କ ଦ୍ୱାରସ୍ଥ ହେବାର ୪ ଦିନ ବିତିଯାଇଥିଲେ ସୁଦ୍ଧା ହୋମଗାର୍ଡ ଆଜି ପର୍ଯ୍ୟନ୍ତ ଗିରଫ ହୋଇନଥିବା ଯୋଗୁଁ ଲୋକେ ବାଧ୍ୟ ହୋଇ ଦାରିଙ୍ଗବାଡ଼ି ବଜାରରେ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ