ହୋମିଓପ୍ୟାଥି ଔଷଧ ମିଠା ଲାଗିବାର କାରଣ
ବିଶ୍ୱର ଅନେକ ପ୍ରକାର ଚିକିତ୍ସା ପଦ୍ଧତି ମଧ୍ୟରୁ ହୋମିଓପ୍ୟାଥି ଚିକିତ୍ସା ପଦ୍ଧତି ଅନ୍ୟତମ । ଏଥିରେ ଦିଆଯାଉଥିବା ଔଷଧ ବଟିକାଗୁଡ଼ିକ ପାଟିକୁ ମିଠା ଲାଗିଥାଏ । ଆଜିକାଲି ଅଧିକାଂଶ ଲୋକେ ହୋମିଓପ୍ୟାଥି ଔଷଧ ବ୍ୟବହାର କରୁଥିଲେ ହେଁ ଏହା ବିଷୟରେ ସବୁକିଛି ଜାଣି ନ ଥାନ୍ତି । ତେବେ ଚାଲନ୍ତୁ ଜାଣିବା ହୋମିଓପ୍ୟାଥି ଔଷଧ ମିଠା ଲାଗିବାର କାରଣ ଏବଂ ଏହାର ଖାସ କଥା ସମ୍ପର୍କରେ ।
ହୋମିଓପ୍ୟାଥି ଔଷଧ ଦେଖିବାରେ ଛୋଟ ହୋଇଥାଏ ସତ । ହେଲେ ଏହାର ଅନେକ ବିଶେଷତ୍ୱ ରହିଛି । ଡାକ୍ତରଙ୍କ ଅନୁସାରେ ହୋମିଓପ୍ୟାଥି ଔଷଧ କାଚ ଡବାରେ ରଖିବା ଉଚିତ୍ । ଏହାକୁ ପ୍ଲାଷ୍ଟିକ ଡବାରେ ରଖାଯାଏ ସତ ହେଲେ କାଚ ଡବାରେ ଏହା ରଖିବା ଭଲ ହୋଇଥାଏ । କାରଣ ଏଥିରେ କିଛି ମାତ୍ରାର ଆଲକୋହଲ ବ୍ୟବହାର କରାଯାଏ । ସେଇ କାରଣରୁ ମିଠା ମିଠା ବଟିକା ଉପରେ ଏହି ଔଷଧ ପକାଇ ଖାଇବାକୁ ଦିଆଯାଇଥାଏ ।
ଏଲୋପାଥି ଓ ଆୟୁର୍ବେଦିକ ଭଳି ହୋମିଓପ୍ୟାଥି ମଧ୍ୟ ଚିକିତ୍ସାର ଏକ ଉପାୟ । ହେଲେ ଏଲୋପାଥି ଭଳି ହୋମିଓପ୍ୟାଥି ଏକ୍ସପେରିମେଣ୍ଟ ପଶୁମାନଙ୍କ ଉପରେ କରାଯାଏ ନାହିଁ । ହୋମିଓପ୍ୟାଥି କେବଳ ମଣିଷମାନଙ୍କ ପାଇଁ ଥାଏ । ଏହାର ଅନେକ ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ଥାଏ । କେବେ କେବେ ହୋମିଓପ୍ୟାଥି ଔଷଧ ଖାଇଲେ ଝାଡା-ବାନ୍ତି ଓ ସ୍କିନ ଏଲର୍ଜି ଭଳି ସମସ୍ୟା ହୋଇଥାଏ । ହେଲେ କିଛି ରୋଗ ପାଇଁ ହୋମିଓପ୍ୟାଥିର ଔଷଧ ଖୁବ୍ ଭଲ ହୋଇଥାଏ ।
ହୋମିଓପ୍ୟାଥି ଔଷଧ ପାଖାପାଖି ସବୁ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ । ହେଲେ ଅସାଧ୍ୟ ରୋଗ ପାଇଁ ଏଲୋପ୍ୟାଥି ଔଷଧ ଖାଇବା ଉଚିତ୍ । ଏଲୋପାଥି ଔଷଧ ଖାଇଲେ ରୋଗ ସମ୍ପୂର୍ଣ୍ଣ ଭାବେ ଭଲ ହୁଏ ନାହିଁ । କିଛି ସମୟ ବା ଦିନ ଯାଏଁ ଠିକ୍ ହୁଏ ସତ ହେଲେ ପୁଣି ହୋଇଥାଏ । କିନ୍ତୁ ହୋମିଓପ୍ୟାଥି ଖାଇଲେ ତାହା ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଏ ।
ହୋମିଓପ୍ୟାଥି ଔଷଧ ଖାଇଲେ ଡାକ୍ତର କିଛି ଖାଦ୍ୟ ଖାଇବା ପାଇଁ ବାରଣ କରିଥାନ୍ତି । ହୋମିଓପ୍ୟାଥି ଔଷଧ ଖାଇଲେ ଡାକ୍ତର କଫି ପିଇବା ପାଇଁ ମନା କରନ୍ତି । କାରଣ କଫିରେ କେଫିନ୍ ମାତ୍ରା ରହେୟ କେଫିନ୍ ଖାଇଲେ ଏହି ଔଷଧର ପ୍ରଭାବ ପଡ଼ିବ ନାହିଁ । କେବଳ ସେତିକି ନୁହେଁ ଏହି ଔଷଧ ଖାଇବା ସମୟରେ କିଛି ଡାକ୍ତର ପର୍ଫ୍ୟୁମ ଲଗାଇବା ପାଇଁ ମଧ୍ୟ ମନା କରନ୍ତି ।