ହୋଲସେଲ୍ ପରିବା ବଜାରରେ ଅମାନିଆଙ୍କ ଭିଡ଼; ରହୁନି ସାମାଜିକ ଦୂରତ୍ୱ ରକ୍ଷା
ହିଞ୍ଜିଳିକାଟୁ (ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ପ୍ରଶାସନ ପକ୍ଷରୁ ଯେତେ ସଚେତନ କଲେ ମଧ୍ୟ ଲୋକେ ମାନିବାକୁ ନାରାଜ । ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ହୋଲସେଲ ପରିବା ବଜାରକୁ ମୂଳ ସ୍ଥାନରୁ ହଟାଯାଇ ମିନି ଷ୍ଟାଡ଼ିୟମ ପରିସରକୁ ସ୍ଥାନାନ୍ତରିତ କରାଯିବା ସତ୍ୱେ ଚେତା ପଶୁନି । ମରିବୁ ପେଉ ସାମାଜିକ ଦୂରତା ନିୟମ ମାନିବୁ ନାହିଁ ନୀତିରେ ଲୋକେ ଅଡ଼ି ବସିଥିବା ଭଳି ମନେ ହେଉଛି । ବୁଧବାର ସ୍ଥାନୀୟ ହୋଲସେଲ୍ ପରିବା ବଜାରର ଦୃଶ୍ୟ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ନବ୍ୟାପିବା ଲାଗି ଲକଡ଼ାଉନ ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସକାଶେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ବୃନ୍ଦ ବିଭିନ୍ନ ଉପାୟରେ ଜନ ସଚେତନ କରି ଆସୁଥିଲେ ମଧ୍ୟ ଲୋକେ ସାମାଜିକ ଦୂରତା ରକ୍ଷାକୁ ସତେ ଯେମିତି ଭୁଲି ଯାଇଛନ୍ତି । ହିଂଜିଳିକାଟୁ ପରିବା ବଜାର ଉପରେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳ ଓ ନିକଟବର୍ତି ଜିଲ୍ଲା ନିର୍ଭର କରୁଥିବାରୁ ପ୍ରତ୍ୟେହ ସହସ୍ରାଧିକ ପରିବା ବ୍ୟବସାୟୀଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମେତ ପୌର ପ୍ରଶାସନ ପକ୍ଷରୁ ଜୋରମାନା ଆଦାୟ କରାଯାଉଥିଲେ ମଧ୍ୟ ପ୍ରଶାସନର ଅନୁପସ୍ଥିତ ସମୟରେ ପୁଣି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।