ହୋଲିର କେତେ ରଙ୍ଗ

ସୁନନ୍ଦା ମହାନ୍ତି
ବସନ୍ତ ଆଗମନରେ ଅନନ୍ତବାବୁ ହୋଲିକୁ ଅନେଇ ବସିଥାଆନ୍ତି. ଅତୁଲ ଯୋଉଠି ଥାଉନା କାହିଁକି ହୋଲିରେ ଗାଁକୁ ଆସିବା ନିଶ୍ଚିନ୍ତ ତାଙ୍କର. ଗାଁରେ ବିଶୁ ମାହାଳିକ ଜାଲ ପକେଇ ଚୁନା ମାଛଠୁ ଆରମ୍ଭ କରି ରୋହି ଭାକୁର ଧରିବ ରାତିର ଫିଷ୍ଟ ପାଇଁ. ଜଗା ସୁବୁଦ୍ଧି ତା ଲୁଗା ଦୋକାନରୁ ନେଇ ଆସିବ ସମସ୍ତଙ୍କ ପାଇଁ ଧଳା ଧୋତି ଚାଦର. ତାକୁ ପିନ୍ଧି ସମସ୍ତେ ହୋଲି ଖେଳିବେ. ରାତିକୁ ମାଛ ଫିଷ୍ଟ ସାଙ୍ଗକୁ ଅତୁଲ କଲିକତାରୁ କିଛିନା କିଛି ନେଇଆସିଥିବ ସମସ୍ତଙ୍କ ମନଲାଖି. ଖାସ କରି ଅନନ୍ତବାବୁଙ୍କ ପାଇଁ.କେତେବେଳେ ଜୋତା, କେତେବେଳେ ଛତା ତ କେତେବେଳେ କଲିକତା କାଳିଙ୍କ ପ୍ରସାଦ. ଏଥର ତ କଣ ଆଣିବ ଗୋପନ ଅଛି କିନ୍ତୁ ଏ ବର୍ଷ ବସନ୍ତର ଆଗମନରେ ଫଗୁଣର ଫଗୁ ଖେଳରେ ଅନନ୍ତଙ୍କ ପୁଅ ସହ ଅତୁଲର ଝିଅର ବିବାହ ପକ୍କା କରିବା ଥୟ. ସେହିକଥା ଶ୍ରୀମତୀଙ୍କୁ ଜଣାଇ ଦେବାକୁ ଡାକାପକେଇଲେ ଅନନ୍ତ ବାବୁ ବୁଝିଲ ଅନୁ, ଏଥର ତୁମ ହାତରୁ ସବୁ ଜଞ୍ଜାଳ ତୁମ ବୋହୁ ହାତକୁ ସମର୍ପି ଦେଇ ତୁମେ ତ ରାଣୀ ହେବ ରାଣୀ. ଅନୁ କିଛି ଉତ୍ତର ଦେଉନଥିବା ଦେଖି କହିଲେ କିଛି କହୁନ ଯେ! ଆହେ ଏଥର ଅତୁଲ ଗାଁକୁ ଆସିଲେ ତା ଝିଅ ସଙ୍ଗେ ଆମ ପୁଅର ବାହାଘର ପକ୍କା କରିବି. ତମେ ଖୁସି ନୁହଁ ନା କଣ. କିଛି କହୁନ ଯେ? ଅନନ୍ତ ଭାବିଲେ ଏଇ ଗଲା ଶିବାରାତ୍ରୀ ଦିନ ଅନୁ ଯେବେ କହୁଥିଲେ ଆମ ଓଡିଶାର ଅନେଶତ ଭାଗ ସ୍ତ୍ରୀଲୋକମାନେ ଇଶ୍ୱର ପ୍ରେମୀ.ଏଇ ଦେଖୁନ ଶିବରାତ୍ରୀ ଦିନ ଆମେ ସମସ୍ତେ ଓପାସ କରି କେତେ ଖାଦ୍ୟ ବଞ୍ଚାଇ ଦେଲୁ ଦେଶର.ଏମିତି ଓଡିଶାର ବାର ମାସରେ ତେର ଧର୍ମୀୟ ପୂଜା ପାର୍ବଣ କରି ଆମ ଓଡିଶାର ସ୍ତ୍ରୀ ଲୋକମାନେ କେତେ ଖାଦ୍ୟ ବଞ୍ଚାଉଛୁ ତୁମେ ଭାବିପାରିବ ନାହିଁ. ଅନନ୍ତଙ୍କ ସାଙ୍ଗ ଅତୁଲଙ୍କ ଉପସ୍ଥିତିରେ ଅନୁଙ୍କୁ ଚିଡେଇବାକୁ ଯାଇ ଅନନ୍ତ କହିଥିଲେ ଆହେ ଖାଦ୍ୟ ବଂଚେଇବ କଣ. ଖାଇ ଖାଇ ପାଖାଳଭାତ, ପାଗପୁଗା,ରୁଟି, ଭୁଜା, ପାଖାଳ, ତରକାରୀ, ଶାଗ, ଇତ୍ୟାଡ଼ିରେ ହେଇ ହେଇ ଶହେ କି ଦେଢ଼ଶହ ଟଙ୍କା ଖର୍ଚ୍ଚ ହୋଇଥାନ୍ତା ହେଲେ ତୁମେ ପରା ଆଠଶହ ଟଙ୍କାର ଫଳମୂଳ ଭୋଗ କରି ଖାଇଛ ପୁଣି ବଡ଼ ପାଚିଲା କଦଳୀ କାନ୍ଧି ଥୁଆହୋଇଛି. ଦେଶର ଖାଦ୍ୟ ବଂଚେଇବା ପୂର୍ବରୁ ସ୍ୱାମୀଙ୍କ ପକେଟ ବଞ୍ଚାଅ ନା. ଠୋ ଠୋ ହସିଉଠିଥିଲେ ଅତୁଲ, ସାଙ୍ଗ ଅନନ୍ତଙ୍କର ଭାଉଜଙ୍କ ପ୍ରତି ରସିକତାରେ କିନ୍ତୁ ଗୁମସୁମ ଦେଖାଯାଉଥିଲେ ଅନୁ. ସେଇଥିପାଇଁ ଆଉ ଅନୁ ଅତୁଲର ଝିଅକୁ ବୋହୁ କରିବାକୁ ରାଜି ନୁହଁ କି? ଘରୁ ବାହାରି ଯାଉ ଯାଉ ଅନନ୍ତ କିନ୍ତୁ ଶୁଣେଇ ଦେଇଗଲେ ଏଥର ହୋଲିରେ ବାହାଘର କଥା ପକ୍କା କରିବି. ଆମ ଘରେ ରୋଷେଇ ହେବ. ଯାଉଛି ବିଶୁ ମାହାଳିକକୁ ମନା କରିବି ମାଛ ଧରିବ ନାହିଁ.ଏବର୍ଷ ଜାନୁ ମିଆଁର ଚୋପଡ଼ ଚାଲିବ ଆମ ଘରେ. ପୁଅ ବାହାଘର ପକ୍କା ହେବ ଟି କଣ କମ କଥା!ସଜ ହୋଇ ରହିଥାଅ.
ଅନୁ କିନ୍ତୁ ଗୁମସୁମ. କେତେ କଷ୍ଟରେ ଏଡେରୁ ଏଡୁଟିଏ କରିଛନ୍ତି ଏଇ ହାତରେ ପୁଅକୁ. ଏକମାତ୍ର ପୁଅର କୌଣସି କଥା ଭାଙ୍ଗିପାରନ୍ତିନି ମାଆ ବାପା ଦିଟା. ସତେ ଯେମିତି ତାଙ୍କୁ ଲାଗୁଥାଏ ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ… ହୃଦତାପ ବିନାଶନେ ତୁ ହରିଚନ୍ଦନ. ସବୁ ପଇସା, ଶ୍ରମ ଓ ସମୟ ସରିଛି ସେହି ପୁଅ ଶ୍ରୀମୟ ପାଇଁ. ସିଏ ଚାଁହୁଛି ତ ବିଦେଶ ଯାଉ. ତାରି ଖୁସିରେ ତା ବାପା ମାଆ ଦୁହେଁ ଖୁସି. କିନ୍ତୁ ସେଦିନ ଯେବେ ଶ୍ରୀମୟ କହିଲା ବୋଉ ମୁଁ ଏଠି ଗୋଟେ ଜାପାନର ଝିଅକୁ ବିବାହ କରିସାରିଛି. ତୁ ବାପାଙ୍କୁ ପଚାରି ଯଦି କହିବୁ ତେବେ ଆମେ ଦୋଳ ପୂର୍ଣ୍ଣମୀ ପୂର୍ବରୁ ଜାଗର ଯାତ୍ରା ପରେ ପରେ ଗାଁରେ ପହଁଚିବୁ. ଫୋନ ରିସିଭର ଖସି ପଡିଥିଲା ଅନୁଙ୍କ ହାତରୁ. କେମିତି ଏକଥା ଜଣେଇ ଥାଆନ୍ତେ ସେ ସ୍ୱାମୀଙ୍କୁ ପୁଣି ଅତୁଲଙ୍କ ଉପସ୍ଥିତିରେ? ହୁଦୟ ଭିତରେ ଭାଙ୍ଗି ପଡିଲେ ବି ପାଟିଖୋଲି ଏକଥା କହିପାରୁନଥାନ୍ତି ଅନୁ. ସ୍ୱାମୀଙ୍କର ହୋଲି ଆୟୋଜନ ଦେଖି ନିସ୍ତବ୍ଦରେ ଲୁହ ଗଡେଇ ଚାଲିଛନ୍ତି ଅନୁ. ହୋଲି ଯେତିକି ନିକଟ ହୋଇଆସୁଛି ସେତିକି ଦେହ ଖରାପ ହୋଇଯାଉଛି ଅନୁଙ୍କର. ଅନନ୍ତ ବୁଝିପାରୁନାହାଁନ୍ତି ଅନୁଙ୍କ ଦେହ ଖରାପ ନା ମନ ଖରାପ?
ସେଦିନ ହୋଲି ଦୁଇ ଦିନ ପୂର୍ବରୁ ଅନନ୍ତ ବାବୁ ଗମ୍ଭୀର ଦେଖାଗଲେ. କଣ ଆଉ ପୁଅ ଶ୍ରୀମୟ ବିଷୟରେ ଜାଣି ପାରିଲେକି ବାପା ଅନନ୍ତ ଭାବି ଅନୁ ବିସାଦଗ୍ରସ୍ତ ହେଲେ ତ ଅନନ୍ତ କହିଲେ ଆହେ କି ଦୁର୍ଯୋଗ ବେଳା ଜାନୁ ମିଆଁର ଦୁଇପୁଅ ଭିତରେ ହଣା କଟା ହୋଇ ପୋଲିସ କେଶ ହୋଇଯାଇଛି. ବିସର୍ଣ୍ଣ ଚେହେରାରେ ଅନୁ ପଚାରିଲେ ହେଲେ କାହିଁକି? ବାପା ଜାନୁ ମିଆଁ ଦୁଇ ପୁଅଙ୍କ ଭିତରେ କାମ ବାଣ୍ଟି ଦେଇଥିଲା ବଡ଼ ପୁଅ ରସିକ ତା କାମରେ ସାହାଯ୍ୟ କରିବ ଓ ସାନପୁଅ ହମିଦ ରଦ୍ଦିମାଲ ବ୍ୟବସାୟ କରିବ ହେଲେ ସାନପୁଅ ସେହି ଚୋପଡ଼ ମରା କାମ ଚାହିଁ ରାତିରେ ବଡଭାଇର ସ୍ତ୍ରୀ ଓ ଦୁଇପୁଅଙ୍କ ବେକରେ ଚୋପଡ଼ ମାରିଛି. କି କାଳ ହେଲା, ବାପାଙ୍କ କଥା ନମାନି ଦୁଇପୁଅ ଏମିତି କଲେ ବିଚରା ଜାନୁ ମିଆଁର ଅବସ୍ଥା କଣ ହେବ କହୁ କହୁ ଅନୁ ଅସୁସ୍ଥ ହୋଇପଡ଼ିଲା ବେଳକୁ ଫୋନ ଆସିଥିଲା ଅତନୁଙ୍କ ପାଖରୁ. ଏକମାତ୍ର ଝିଅ ତାଙ୍କର ତାଙ୍କ ମୁଁହରେ ଚୂନ କାଳି ବୋଳି ପଡୋଶୀ ଘର ପୁଅ ସଙ୍ଗେ ତାଙ୍କ ଘରକୁ ଚାଲିଯାଇଛି. ତାର ଶୁଦ୍ଧି କ୍ରିୟାରେ ଯୋଗ ଦେବାକୁ ଅତୁଲ ଫୋନ କରିଛନ୍ତି ଅନନ୍ତଙ୍କୁ. ଶୁଣୁ ଶୁଣୁ ଅନନ୍ତଙ୍କ ପ୍ରତିକ୍ରିୟା ପୂର୍ବରୁ ଅନୁ ବେହୋସ ହୋଇପଡ଼ିଥିଲେ.
ସାକ୍ଷୀଗୋପାଳ, ପୁରୀ
9040977327


