ଢ଼େଙ୍କା-ସୋସୋ ରାସ୍ତା ପାଲଟିଛି ଠିକାଦାରଙ୍କ ନେଉଟିଆ କିଆରୀ

ହାଟଡିହି, (ବିକାଶ ବିଶ୍ୱାଳ):ଢ଼େଙ୍କା ସୋସୋ ପୁର୍ତ୍ତ ବିଭାଗ ରାସ୍ତାଟି ଠିକାଦାରଙ୍କ ପାଇଁ ପାଲଟିଛି ନେଉଟିଆ କିଆରୀ । ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ରାସ୍ତାର ଅବସ୍ଥା ସୁଧୁରୁନି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ବଳିପଡୁଛନ୍ତି ଅଞ୍ଚଳବାସୀ । ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ପୁର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବାବେଳେ ଗତ କିଛିବର୍ଷ ହେଲା ଏହା ପୁର୍ତ୍ତ ବିଭାଗ ଅଧିନକୁ ଆସିଥିଲେବି ରାସ୍ତାର ଅବସ୍ଥା ପୁର୍ବଠାରୁ ଅଧିକ ଶୋଚନୀୟ ହୋଇ ପଡିଛି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଏ ବାବଦରେ ଜଣାଉଥିଲେବି କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଯାହାକୁନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାଇ ଢ଼େଙ୍କା ସୋସୋ ରାସ୍ତାଟି ଉପରେ ସୋସୋ, ବାଲିବରେଇ, ଢ଼େଙ୍କା, ବାଙ୍ଗୋର, ପଢ଼ିଆରିପଲ୍ଲୀ, ଧନୁର୍ଜୟପୁର ଆଦି ପଞ୍ଚାୟତ ସମେତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଲୋକମାନେ ନିର୍ଭର କରିଥାନ୍ତି । ପୁର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବାବେଳେ ରାସ୍ତାଟି ଅତି ଶୋଚନୀୟ ହୋଇପଡିଥିଲା । ନେଉଟିଆ କିଆରୀ ଭଳି କିଛି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ମରାମତି ନାମରେ ଚଳୁ କରିଆସୁଥିଲେ । ଗତ କିଛି ବର୍ଷ ହେଲା ଏହା ପୁର୍ତ୍ତ ବିଭାଗ ଅଧିନକୁ ଯିବାପରେ ଲୋକମାନେ ଆଶା କରିଥିଲେ ଯେ ଏଥର ରାସ୍ତାଟିର ଅବସ୍ଥା ସୁଧୁରିଯିବ । ଅଞ୍ଚଳବାସୀ ଭଲ ରାସ୍ତା ଖଣ୍ଡେ ପାଇପାରିବେ । କିନ୍ତୁ ୩/୪ବର୍ଷ ବିତିଯାିଥିଲେ ମଧ୍ୟ ରାସ୍ତାର ଅବସ୍ଥାରେ କିଛିବି ପରିବର୍ତ୍ତନ ହେଲାନାହିଁ । ପ୍ରତିବର୍ଷ ରାସ୍ତା ମରାମତି ନାମରେ ୫୦ରୁ ୬୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ହେଉଛି ସତ କିନ୍ତୁ ତାହା ମାତ୍ର ଦିନ କେଇଟା ଭିତରେ ପୁର୍ବାବସ୍ଥାକୁ ଫେରି ଆସୁଛି । ଏବେ ଢ଼େଙ୍କାବଜାର ଠାରୁ ଢ଼େଙ୍କା ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଯାହା ହୋଇଛି ନିଜ ଆଖିରେ ନଦେଖିଲେ କେହି ବିଶ୍ୱାଷ କରିବେନି । ରାସ୍ତାରେ ପୋଖରୀ ସଦୃଷ ଖାଲଖମା ସୃଷ୍ଟି ହେବାସହ ରାସ୍ତାଟି ଯାତାୟତ ଅନୁପଯୋଗୀ ହୋଇ ପଡିଛି । ପ୍ରତିଦିନ ଦୁର୍ଘଟଣା ଘଟି ଅନେକ ଲୋକ ମୃତାହତ ହେଉଛନ୍ତି । କେନାଲ ପୋଲ କୁ ସଂଯୋଗ କରୁଥିବା ରାସ୍ତାଟି ଖାଲଖମାରେ ଭରପୁର ହୋଇଯାଇଥିବାବେଳେ ପୋଲର ଦୁଇପଟ ରାସ୍ତା ଏପରି ହୋଇଛି ଯେ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି । ଏହି ରାସ୍ତାଦେଇ ଯାତାୟତ କରୁଥିବା ୩/୪ଟି ଯାତ୍ରୀବାହୀ ବସ ମଧ୍ୟ ବନ୍ଦ ହୋଇ ଗଲାଣି । ଏହି ରାସ୍ତାଦେଇ ସୋସୋ କଲେଜ, ଢ଼େଙ୍କା ହାଇସ୍କୁଲ, ଏମ.ଇ ସ୍କୁଲକୁ ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଯାଉଥିବାବେଳେ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ସେମାନେ ନାନା ଅସୁବିଧା ଭୋଗ କରୁଛନ୍ତି । ଏପରିକି ଅନେକ ସମୟରେ ପାଣିକାଦୁଅ ଯୋଗୁଁ ସ୍କୁଲ ଯିବା ସମ୍ଭବପର ହେଉ ନାହିଁ ବୋଲି ମଧ୍ୟ କହିଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ପୁର୍ତ୍ତ ବିଭାଗ ଓ ଜଳସମ୍ପଦ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଜଣା ଯାଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାୟକ, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ମନୋଜ ମହାନ୍ତି, ସୁଦର୍ଶନ ଜେନା, ବିନୋଦ ବିହାରୀ ନାୟକ, ପ୍ରଣବ ମହାନ୍ତି, ଭଗବାନ କର, ନାରାୟଣ ଜେନା, ଦେବାଶିଷ କର, ବିନୋଦ ସିଂ, ବାବୁଲି ସିଂ, କୃପାସିନ୍ଧୁ ସେଠୀ, ପ୍ରମୋଦ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି । ଏନେଇ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି ବୋଲି ସେମାନେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ