ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସର ଦୁଇଦିନିଆ ଧର୍ମଘଟ ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ଜାତୀୟକରଣ ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତି ବିରୋଧରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ (ୟୁଏଫବିୟୁ) ପକ୍ଷରୁ ଗୁରୁବାରଠାରୁ ଦେଶବ୍ୟାପୀ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । ‘ୟୁଏଫବିୟୁ’ ସହ ଅନୁବନ୍ଧିତ ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନେ ସହରର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖା ସମ୍ମୁଖରେ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ‘ୟୁଏଫବିୟୁ’ ବାଲେଶ୍ୱର ଶାଖାର ଆବାହକ ପରମାନନ୍ଦ ଦେ ଓ ସହ-ଆବାହକ ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ମାନସ କୁମାର ମହାପାତ୍ର, ହେମନ୍ତ ଭୂୟାଁ, ରସାନନ୍ଦ ଦାଶ, ସଞ୍ଜୟ କୁମାର ପରିଡ଼ା, କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ଅଶୋକ କୁମାର ଦାସ, ରାଜେଶ କୁମାର ବେହେରା, ସୁକାନ୍ତ ପତି, ଅସୀମ ସେନ, ରାଜକିଶୋର ବେହେରା, ପଦ୍ମଲୋଚନ ନନ୍ଦୀ, ପ୍ରଫୁଲ କୁମାର ପଣ୍ଡା, ହରିହର ରାଉତ, ଚିନ୍ମୟ ନନ୍ଦୀ, ଗୋବିନ୍ଦ ସାହୁ ପ୍ରମୁଖ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତିକୁ ଦୃଢ ସମାଲୋଚନା କରିଥିଲେ । ରାଷ୍ଟ୍ରର ଜନକଲ୍ୟାଣ ଯୋଜନାର ସଫଳ ରୂପାୟନରେ ଅଗ୍ରଣୀ ଭୂମିକା ଗ୍ରହଣ ସହ ତୃଣମୂଳ ସ୍ତରରେ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଆସୁଥିବା ଜାତୀୟକରଣ ବ୍ୟାଙ୍କଗୁଡ଼ିକୁ ଶିଳ୍ପପତି ତଥା ଉଦ୍ୟୋଗୀଙ୍କ ହାତକୁ ଟେକି ଦେବା ପାଇଁ ସରକାର ନେଉଥିବା ନିଷ୍ପତ୍ତି ସାମ୍ବିଧାନିକ ବ୍ୟବସ୍ଥାର ପରିରପନ୍ଥୀ ବୋଲି ସେମାନେ କହିଥିଲେ । ବ୍ୟାଙ୍କ ଘରୋଇକରଣ ହେବା ଦ୍ୱାରା ଲୋକଙ୍କ ଜମାପୁଞ୍ଜି ଅସୁରକ୍ଷିତ ହେବା ସହ ସେବା ପାଇବା ତ ଦୂରର କଥା ବରଂ ସରକାରୀ ଯୋଜନାର ସୁବିଧା ସୁଯୋଗରୁ ଦେଶବାସୀ ବଞ୍ଚିତ ହେବେ ବୋଲି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ କହିଥିଲେ । ଅନ୍ୟପକ୍ଷରେ ବ୍ୟାଙ୍କ ଶିଳ୍ପର ସମୂଦାୟ ଅନାଦେୟ ଋଣର ୯୦ ପ୍ରତିଶତରୁ ଅଧିକ ବଡ଼ ବଡ଼ ଉଦ୍ୟୋଗୀଙ୍କ ଉପରେ ପଡ଼ି ରହିଛି । କଠୋର ନିୟମ ଲାଗୁ ସହ ଅନାଦେୟ ରଣ ଆଦାୟ ପାଇଁ ବ୍ୟବସ୍ଥା କରିବାକୁ ‘ୟୁଏଫବିୟୁ’ ଦେଇଥିବା ପ୍ରସ୍ତାବ ଲାଗୁ କର୍ମକର୍ତ୍ତାମାନେ ଏହି ଅବସରରେ ଦାବି କରିଥିଲେ । ଦେଶର ସାଧାରଣ ଜନତାଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଦୁଇଦିନିଆ ବ୍ୟାଙ୍କ ଧର୍ମଘଟକୁ ସମର୍ଥନ କରି ଏଆଇଟିୟୁସି ନେତା ଗୌରାଙ୍ଗ ପାଣିଗ୍ରାହୀ, ସିଆଇଟିୟୁ ନେତା ଶ୍ୟାମସୁନ୍ଦର ଜେନା, ସାଧାରଣ ବୀମା କର୍ମଚାରୀ ସଙ୍ଘ ନେତା ଯଶୋଦା ନନ୍ଦନ ଆଶ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘ ନେତା ଗୋପାଳ ଜେନା, କୃଷକ ନେତା ନିର୍ମଳ ନାୟକ, ପ୍ରଫେସର ଶ୍ରତୃଘ୍ନ ମଲିକ, ଆଇନଜୀବୀ ନିରଞ୍ଜନ ପରିଡ଼ା ପ୍ରମୁଖ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ରାଷ୍ଟ୍ର ବିରୋଧୀ ବ୍ୟାଙ୍କ ନୀତିକୁ ସମାଲୋଚନା କରିଥିଲେ ।


