ୟୁନିଅନ କ୍ଲବର ପୁନରୁଦ୍ଧାର ଓ ଆଧୁନିକିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳର ଶତବାର୍ଷିକି ପୁରଣ କରିସାରିଥିବା ପୁରାତନ ୟୁନିଅନ କ୍ଲବର ପୁନରୁଦ୍ଧାର, ଆଧୁନିକିକରଣ ସହିତ ତାହାର ସୈାନ୍ଧର୍ଯ୍ୟକରଣ କରାଯିବା ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳର ଉନ୍ନତିକରଣ ପାଇଁ କ୍ଲବ ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୫-ଟି ସଚିବଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଜିଲ୍ଲାର ସର୍ବପୁରାତନ ତଥା ୧୮୯୭ମସିହାରେ ସ୍ଥାପିତ ୟୁନିଅନ କ୍ଲବ ବିଭିନ୍ନ ସମୟରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ରଚନା ଓ ବକ୍ତୃତା ପ୍ରତିଯୋଗୀତା ଏବଂ ଲଗାତର ଭାବେ ଚେସ ଉ ଟେବୁଲ ଟେନିସ ପ୍ରତିଯୋଗୀତା ପ୍ରଭୃତି ଆୟୋଜନ କରି ନୂତନ କ୍ରୀଡାବୀତ ସୃଷ୍ଟି କରିବାର ପ୍ରୟାସ କରିଆସିଛି । ଏଥିସହିତ ୧୨୫ବର୍ଷ ସମ୍ପୂର୍ଣ୍ଣ କରିଥିବା ଏହି କ୍ଲବଟି ପର୍ଯ୍ୟଟନସ୍ଥଳ ଭଳି କିର୍ତ୍ତିରାଜୀ ବହନ କରୁଥିବାରୁ ଏବଂ ଏହା ବ୍ରିଟିଶ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ, ପୂର୍ବତନ ବିଧାୟକ ସ୍ୱର୍ଗତ ଇନ୍ଦ୍ରମଣୀ ରାଉତ, କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ସଚିଦାନନ୍ଦ ମହାନ୍ତି, ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ଓ ଡା. ବିଶ୍ୱପ୍ରକାଶ କାନୁନଗୋ ପ୍ରଭୃତିଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଛି । ଏହି ଅନୁଷ୍ଠାନଟି ବହୁ ଗୈାରବମଣ୍ଡିତ ଓ ଐତିହ୍ୟ ବହନ କରୁଥିବା ବେଳେ ଏବେ ଏକ ପୁରାତନ ଅସୁରକ୍ଷିତ ଗୃହରେ ଚାଲୁଛି । ଅନେକ ଗୁଡିଏ ବାତ୍ୟାରେ ଏହି ଗୃହଟି କ୍ଷତିଗ୍ରସ୍ତ ହୋଇଥିବାରୁ ଏହାର ପୁନରୁଦ୍ଧାର କରାଯିବା ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି । ଏଥିସହିତ ସେହି ଏକାଛାତ ତଳେ ‘ଡାଇମଣ୍ଡ ଜୁବୁଲୀ ଲାଇବ୍ରେରୀ’ ମଧ୍ୟ କାର୍ଯ୍ୟ କରିଆସୁଛି । ଏହି ଲାଇବ୍ରେରୀକୁ ଓଡିଆ କ୍ଷ୍ୟାତନାମା କବି ତଥା କବିବର ରାଧାନାଥ ରାୟ ୧୮୯୭ ଓ ୧୮୯୯ମସିହାରେ ପରିଦର୍ଶନ କରିଥିଲେ । ତେଣୁ ଏହି ଦୁଇଟି ସର୍ବପୁରାତନ ଅନୁଷ୍ଠାନର ପୁନରୁଦ୍ଧାର, ଆଧୁନିକିକରଣ, ସୈାନ୍ଧର୍ଯ୍ୟକରଣ ଓ ପର୍ଯ୍ୟଟନସ୍ଥଳ ଭାବେଗଢି ତୋଳିବାକୁ ଅନ୍ୟୁନ୍ୟ ୨କୋଟି ଟଙ୍କା ଅନୁଦାନ ମଞ୍ଜୁର କରାଯିବାକୁ କ୍ଲବର ସଭାପତି ଡା. ବିଶ୍ୱପ୍ରକାଶ କାନୁନଗୋ, ସମ୍ପାଦକ ମହମ୍ମଦ ଆକବର ଅଲ୍ଲୀ, ରେବତୀରମଣ ଦାସ, ଦେବଦାସ ମହାନ୍ତି, ପ୍ରଫୁଲ୍ଲ କୁମାର ସାହୁ, ବିଜୟ କୁମାର ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୫-ଟି ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।