ୟୁରିଆ ସାରର ଅଭାବି ବିକ୍ରି ଓ କଳାବଜାରୀ ପ୍ରତିବାଦରେ ଅଖିଳ ଭାରତ କୃଷକ ସଭାର ଗଣବିକ୍ଷୋଭ
ବନ୍ତ,(ଚାନ୍ଦିନୀ ମହାନ୍ତି) : ୟୁରିଆ ସାରର ଅଭାବି ବିକ୍ର ଓ କଳାବଜାରୀ ପ୍ରତିବାଦରେ ଅଖିଳ ଭାରତ କୃଷକ ସଭା ବନ୍ତ ଜୋନ୍ କମିଟି ପକ୍ଷରୁ ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଥାନା ଛକ ଠାରୁ ଶତାଧିକ ସାଥୀ ସମର୍ଥକ ମାନେ ହାତରେ ବ୍ୟାନର ଓ ପତାକା ଧରି ସାମାଜିକ ଦୂରତା ରକ୍ଷା କରି କେନ୍ଦ୍ର ଓ ରାଜ୍ୟ ବିରୋଧି ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ôଚ ଥିଲେ । ସେଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବନ୍ତ ଜୋନ୍ କମିଟିର ସଭାପତି ଫକୀର ଚରଣ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏଥିରେ ଭଦ୍ରକ ଜିଲ୍ଲା କୃଷକ ସଭା ସଂପାଦକ ବିମ୍ବାଧର ବାରିକ, ଜୋନ୍ ସଂପାଦକ ସୁବାଷ ଚନ୍ଦ୍ର ବେହେରା, ରମେଶ ଜେନା, ଆଇନଜୀବି ପରମେଶ୍ୱର ବାରିକ, ନିରଞ୍ଜନ ନାୟକ, ପର୍ଶୁରାମ ସ୍ୱାଇଁ, ରବିନ୍ଦ୍ର ତରେଇ, ବଳରାମ ଜେନା, କିଶୋର ବେହେରା, ସନାତନ ସାହୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ବିରୋଧି ଆଇନ ଓ ପଦକ୍ଷେପକୁ ଦୃଢ ବିରୋଧ କରିବା ସହ ବନ୍ତ ବ୍ଲକର କୃଷକ ମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ କୃଷକ ମାନଙ୍କ ସମସ୍ୟାକୁ ନେଇ ୭ ଦଫା ଦାବୀ ପତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀ ମଧ୍ୟରେ ସଂସଦରେ ପାରିତ ହୋଇଥିବା କୃଷକ ବିରୋଧି କୃଷି ବିଲକୁ କାର୍ଯ୍ୟକାରୀ ନକରିବା, ବନ୍ତ ବ୍ଲକକୁ ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ସାର ସରକାରୀ ଧାର୍ଯ୍ୟ ମୂଲ୍ୟରେ ଯୋଗାଇ ଦେବା, ବନ୍ୟା ଓ ରୋଗପୋକରେ ଚାଷ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ସହ ବିନା ମୂଲ୍ୟରେ ବିହନ, ସାର, କୀଟନାଶକ ଯୋଗାଇ ଦେଇ ଚାଷ କାର୍ଯ୍ୟକୁ ପୁନଃକାର୍ଯ୍ୟକ୍ଷମ କରିବା, କୃଷି ଋଣ ଛାଡ କରିବା, ଡଃ.ସ୍ୱାମୀନାଥନ୍ କମିସନର ସୁପାରିଶକୁ ଯଥାଶିଘ୍ର କାର୍ଯ୍ୟକାରୀ କରିବା, ଧାନ କୁଇଁଣ୍ଟାଲ ପିଛା ୩୫୦୦ ଟଙ୍କା ଧାର୍ଯ୍ୟ କରିବା, ପ୍ରତି ପଞ୍ଚାୟତରେ ସ୍ଥାୟୀ ଧାନମଣ୍ଡି ଖୋଲିବା ସହିତ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ଆଦି ଦାବୀ ଅନ୍ତର୍ଭୁକ୍ତ ଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ପ୍ରଶାସନିକ ସ୍ତରରେ ଉପଯୁକ୍ତ ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ କୃଷକ ସଭା ତରଫରୁ ଆଗାମୀ ଦିନରେ ଗଣଆନ୍ଦୋଳନ କରିବା ପାଇଁ ଚେତାବନୀ ଦିଆଯାଇଥିଲା । ଆଜିର ଗଣବିକ୍ଷୋଭରେ ପବିତ୍ର ସେଠୀ, ଅନନ୍ତ ପୃଷ୍ଟି, ଯୁଧିଷ୍ଠିର ଜେନା, ସନାତନ ମହାକୁଡ, ଅନିରୁଦ୍ଧ ଜେନା, ଅଭିମନ୍ୟୁ ଜେନା, ଉମାକାନ୍ତ ମହାପାତ୍ରଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ ।


